ଖସିପଡ଼ିଲା ଯାତ୍ରିବାହୀ ବିମାନ: ୬୨ ମୃତ ଆଶଙ୍କା

ଜାକାର୍ତ୍ତା, ୯। ୧: ସମୁଦ୍ର ଭିତରକୁ ଖସି ପଡ଼ିଛି ଇଣ୍ଡୋନେସିଆର ଯାତ୍ରୀବାହୀ ବିମାନ। ଇଣ୍ଡୋନେସିଆର  ରାଜଧାନୀ ଜାକାର୍ତ୍ତାରୁ ଶନିବାର ଦିନ ଏକ ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବା ପରେ ନିଖୋଜ ହୋଇ ଯାଇଥିବା ସୂଚନା ରହିଛି। ନିଖୋଜ ଥିବା ବିମାନ ହେଉଛି ଶ୍ରୀବିଜୟାର ଏୟାରର ଏସଜେ-୮୨ ବିମାନ। ଯେଉଁଥିରେକି ୫୬ ଜଣ ଯାତ୍ରୀ ଓ ୬ ଜଣ ବିମାନର କ୍ରୁ  ମେମ୍ବର ଥିଲେ। ଏଥିସହିତ ଯାତ୍ରୀଙ୍କ ମଧ୍ୟରେ ୫ଜଣ ଶିଶୁ ଥିବା ଖବର ପ୍ରକାଶ ପାଇଛି।  ତେବେ ଉଡ଼ାଣ ଭରିବାର ୪ ମିନିଟ୍ ମଧ୍ୟରେ ବିମାନଟି ସମୁଦ୍ର ଗର୍ଭକୁ ଖସି ପଡ଼ିଥିଲା। ଏହାର ଧ୍ବଂସାବ‌ଶେଷ ସମୁଦ୍ରରୁ ମିଳିଥିବା ଜଣାପଡ଼ିଛି। ଶନିବାର ସନ୍ଧ୍ୟାରେ ବିମାନଟି ସୋକାର୍ଣ୍ଣୋ-ହଟ୍ଟା ବିମାନ ବନ୍ଦରରୁ ଉଡ଼ାଣ ଭରିଥିଲା। ଏହାର ୪ ମିନିଟ୍‌ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଶ୍ରୀବିଜୟା ବିମାନ ମାତ୍ର ଗୋଟିଏ ମିନିଟ୍‌ରେ ୧୦ ହଜାର ଫୁଟ୍ ଉଚ୍ଚତାରୁ ତଳକୁ ଖସିଥିବା ଟ୍ରାକ କରା ଯାଇଛି। ଏହା ପରେ କିଛି ଅଘଟଣର ଆଶଙ୍କା ବଢି ଯାଇଛି। ଯଦି ଏତେ ଦ୍ରୁତ ବେଗରେ କୌଣସି ବିମାନ ତଳକୁ ଖସେ ତେବେ କ୍ରାଶ ହେବାର ସମ୍ଭାବନା ବଢିଯାଏ। ଇଣ୍ଡୋନେସିଆ ସରକାର ଉଦ୍ଧାର କାର୍ଯ୍ୟ ପାଇଁ ରେସକ୍ୟୁ ଟିମ୍‌କୁ ନିୟୋଜିତ କରିଛି।

Comments are closed.