୪୦ ଘଣ୍ଟାରେ ନିଷ୍କର୍ଷରେ ପହଞ୍ଚିବ ଚାଷୀ ଆନ୍ଦୋଳନ: ସରକାରଙ୍କ ସହ ଆଲୋଚନା କଲେ ହରିଆଣା ଉପମୁଖ୍ୟମନ୍ତ୍ରୀ ଚୌଟାଲା

ନୂଆଦିଲ୍ଲୀ, ୧୨।୧୨: ୪୦ ଘଣ୍ଟା ମଧ୍ୟରେ ଚାଷୀ ଆନ୍ଦୋଳ ଏହାର ନିଷ୍କର୍ଷରେ ପହଞ୍ଚିବ। ସରକାର ଓ ଚାଷୀଙ୍କ ମଧ୍ୟରେ ଆଉ ଏକ ପର୍ଯ୍ୟ‌‌ାୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ଆଲୋଚନା କରିବା ପରେ ଏଭଳି ମନ୍ତବ୍ୟ ରଖିଛନ୍ତି ହରିଆଣାର ଉପମୁଖ୍ୟମନ୍ତ୍ରୀ ତଥା ଜେଜେପି ସୁପ୍ରିମୋ ଦୁଷ୍ୟନ୍ତ ଚୌଟାଲା। ମଣ୍ଡି ଏବଂ ଏମଏସ୍‌ପିକୁ ନେଇ ଚାଷୀମାନଙ୍କର ଦାବି ସମାଧାନ ନ ହେବା ଯାଏ ଚାଷୀ ଆନ୍ଦୋଳନରୁ ହଟିବେ ନାହିଁ। ତିନି କୃଷି ଆଇନ୍ ପ୍ରତ୍ୟାହାର ନହେବା ଯାଏ ଚାଷୀ ଆନ୍ଦୋଳନ ଚାଲୁ ରହିବ। ଏଭଳି କିଛି ପ୍ରସଙ୍ଗକୁ ନେଇ ଉପମୁଖ୍ୟମନ୍ତ୍ରୀ ଚୌଟାଲା ମୋଦି ସରକାରଙ୍କ ତିନି ପ୍ରମୁଖ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ଏବେ ସରକାର ଚାଷୀଙ୍କ ଦାବି ଶୁଣି ସମସ୍ୟାର ସମାଧାନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ଚାଷୀଙ୍କ ଦାବିକୁ ଗମ୍ଭୀରତାର ସହ ବିଚାର କରୁଛନ୍ତି। ଆଗାମୀ ୨୮ରୁ ୪୦ ଘଣ୍ଟା ମଧ୍ୟରେ ସରକାର ଚାଷୀଙ୍କ ସମସ୍ୟାର ସମାଧାନ କରିବେ ବୋଲି ଉପମୁଖ୍ୟମନ୍ତ୍ର ଚୌଟାଲା ଆଶା ରଖିଛନ୍ତି। ତେବେ ଚାଷୀ ମାନେ ଆନ୍ଦୋଳନରେ ବସିବା ଅପେକ୍ଷା ସରକାରଙ୍କ ସହ କଥା ହେବା ଦରକାର ବୋଲି ସେ କହିଛନ୍ତି।

Comments are closed.