ରାଜ୍ୟରେ ବନ୍ୟାସ୍ଥିତି: ୧୭ରେ ଉତ୍କଳ ବିଶ୍ବବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ, ଭଦ୍ରକର ୫ ବ୍ଲକ୍‌, ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ବର, ୧୬/୮: ରାଜ୍ୟରେ ବନ୍ୟାସ୍ଥିତି ଓ ୧୭ ତାରିଖ (ସୋମବାର) ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ ଆଦି ଜିଲ୍ଲାରେ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ବନ୍ଦ କରାଯାଇଛି। ଅପରପକ୍ଷରେ ବର୍ଷା ଓ ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ମଧ୍ୟ ସୋମବାର ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ଜାରି ସୂଚନାନୁସାରେ, (ପତ୍ର ସଂଖ୍ୟା ୨୧୪୬) ୧୭ ତାରିଖରେ ହେବାକୁ ଥିବା ୟୁଜି (+୩), ବିଏସ୍‌ସି, ଆଇଟିଏମ୍‌, କମ୍ପ୍ୟୁଟର ସାଇନ୍‌ସ ଓ ବିଏଡ୍‌(ୟୁଡିଟିଇ)ର ୪ର୍ଥ ସେମିଷ୍ଟର ପରୀକ୍ଷାକୁ ବାତିଲ କରାଯାଇଛି। ଛାତ୍ର, ଅଧ୍ୟାପକ ସଦସ୍ୟ ଓ ପରୀକ୍ଷାରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଏହି ପତ୍ରରେ ଉଲ୍ଲେଖ କରାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ବାଲେଶ୍ବରରେ ମଧ୍ୟ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନର ଛୁଟି ଘୋଷଣା କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ମର୍ମରେ ଆଜି ଜିଲ୍ଲା ଶିକ୍ଷାବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

ବନ୍ୟା ପରିସ୍ଥିତି ଯୋଗୁଁ ଭଦ୍ରକ ଜିଲ୍ଲାର ୫ଟି ବ୍ଲକର ବିଦ୍ୟାଳୟରେ ୧୭ ତାରିଖରେ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ଭଦ୍ରକଙ୍କ ନିର୍ଦ୍ଦେଶକ୍ରମେ ତା. ୧୭.୦୮.୨୦୨୬ (ସୋମବାର) ଦିନ ଜିଲ୍ଲାର ବାସୁଦେବପୁର, ଭଣ୍ଡାରିପୋଖରୀ, ଚାନ୍ଦବାଲି, ଧାମନଗର ଓ ତିହିଡି ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳର ସମସ୍ତ ବିଦ୍ୟାଳୟ ଗୁଡିକରେ ଛୁଟି ଘୋଷଣା କରାଯାଇଛି। ଅଭିଭାବକମାନଙ୍କୁ ପ୍ରଶାସନକୁ ସହଯୋଗ କରିବା ସହ ପିଲାମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଅନୁରୋଧ କରାଯାଉଛି।ଏତତବ୍ୟତୀତ, ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନଙ୍କୁ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବା ସହ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ତୁରନ୍ତ ଦାୟିତ୍ୱ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ପାଇଁ ସୋମବାର ଜିଲ୍ଲାର ସମସ୍ତ ସ୍କୁଲ (୧ମରୁ ଦ୍ଵାଦଶ) ବନ୍ଦ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଘୋଷଣା କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି (୧୭ ଅଗଷ୍ଟ) କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଯୋଗୁଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନାବଶ୍ୟକ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

 

Comments are closed.