ପୁଲିସ୍ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦର ମୃତ

ଭୁବନେଶ୍ବର, ୨୪।୭: ପୁଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କଟକ ଜିଲ୍ଲା ଚୌଦ୍ୱାର ଜେଲରୁ ମୟୂରଭଞ୍ଜ ଜିଲ୍ଲା ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ଏନକାଉଣ୍ଟର କରିଛି ପୁଲିସ । ହାଇଦର ପରିଶ୍ରା କରିବା ବାହାନାରେ ଦୌଡ଼ି ପଳାଉଥିଲା ବେଳେ ପୁଲିସ ତାକୁ କାବୁ କରିବାକୁ ଯାଇ ଏନ୍‌କାଉଣ୍ଟର କରିଥିଲା। ଶେଷରେ ପୁଲିସ ଉପାୟ ନ ପାଇ ବାଧ୍ୟ ହୋଇ ହାଇଦରକୁ ଗୁଳି କରିଥିଲା। ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

କଟକ ଡିସିପି ପ୍ରତୀକ ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, କୁଖ୍ୟାତ ଅପରାଧୀ ହାଇଦରକୁ ଆଜି ଚୌଦ୍ୱାର ଜେଲରୁ ବାରିପଦା ଜେଲ ନିଆଯାଉଥିଲା। ସେ କହିଛନ୍ତି ଯେ, ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ଆଜି ଅପରାହ୍ନ ପ୍ରାୟ ୩ଟା ୨୦ରେ ହାଇଦର ପରିଶ୍ରା ଯିବା ପାଇଁ କଟକ ପୁଲିସର ଏସ୍କଟ  ଟିମ୍‌କୁ କହିଥିଲା। ସେଠାରୁ ସେ ସୁଯୋଗ ଦେଖି ଖସି ପଳାଇବାକୁ ଉଦ୍ୟମ କରିଥିଲା। ସୁରକ୍ଷାକର୍ମୀଙ୍କ ଠାରୁ ବନ୍ଧୁକ ଛଡ଼ାଇବାକୁ ଉଦ୍ୟମ କରିଥିଲା। ଉପାୟ ନ ପାଇ ସୁରକ୍ଷାକର୍ମୀ ତାକୁ ଅଟକାଇବାକୁ ଗୁଳି ଚଳାଇଥିଲେ। ହାଇଦର ପେଟରେ ଗୁଳି ବାଜିଛି ବୋଲି ଡିସିପି କହିଛନ୍ତି । ଆସନ୍ତାକାଲି ହାଇଦର୍‌ର ମୃତଦେହ ପୋଷ୍ଟମର୍ଟମ ହେବ। ପରିବାର ଲୋକ ମୃତଦେହ ଦାବି କରିଛନ୍ତି । ପୋଷ୍ଟମର୍ଟମ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ।

Comments are closed.