ଚୀନ‌ରେ ବଡ଼ ଧରଣର ଦୁର୍ଘଟଣା: ୧୮ ମୃତ, ୫ ନିଖୋଜ

ଚୀନର ଏକ କୋଇଲା ଖଣିରେ ଦୁର୍ଘଟଣା ଘଟି ୧୮ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଶ୍ରମିକ ନିଖୋଜ ଅଛନ୍ତି। ଖଣି ଭିତରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ ନିର୍ଗତ ହେବା ଯୋଗୁଁ ଶ୍ରମିକମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି | ଚୀନର ସରକାରୀ ସମ୍ବାଦ ଏଜେନ୍ସି ‘ସିନହୁଆ’ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଯୋଗଚୁଆନ ଜିଲ୍ଲାର ଡିଆସୁଇଡୋଙ୍ଗ କୋଇଲା ଖଣିରେ ଶୁକ୍ରବାର ସନ୍ଧ୍ୟା ୫ଟାରେ ଏହି ଘଟଣା ଘଟିଛି। ବର୍ତ୍ତମାନ ସୁଦ୍ଧା ପାଞ୍ଚ ଜଣ ନିଖୋଜ ଥିବା ବେଳେ ସେମାନଙ୍କୁ ଖୋଜାଖୋଜି ଜାରି ରହିଛି।

ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କ ମୃତ ଦେହ ଉଦ୍ଧାର କରାଯାଇପାରିନାହିଁ। ସିନହୁଆର ରିପୋର୍ଟ ଅନୁଯାୟୀ, କାର୍ବନ ମନୋକ୍ସାଇଡ୍ ସ୍ତର ବୃଦ୍ଧି ହେତୁ ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ୧୯୭୫ ମସିହାରୁ ଆରମ୍ଭ ହୋଇଥିବା ଏହି ଖଣିର ବାର୍ଷିକ ଉତ୍ପାଦନ କ୍ଷମତା ୧,୨୦,୦୦୦ ଟନ୍ ରହିଛି।

ଏକ ଆକଳନ ଅନୁଯାୟୀ, ଚୀନରେ ପ୍ରତିବର୍ଷ ୫୦୦୦ ରୁ ଅଧିକ ଲୋକ ଏଭଳି ଦୁର୍ଘଟଣାରେ ପ୍ରାଣ ହରାନ୍ତି। ପୂର୍ବରୁ ୨୦୧୩ ରେ ଏହି ଖଣିରେ ବିଷାକ୍ତ ହାଇଡ୍ରୋଜେନ୍ ସଲଫାଇଡ୍ ନିର୍ଗତ ହୋଇ ତିନି ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ।

 

Comments are closed.