ଫେବୃଆରୀ ମାସ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍

ନୂଆଦିଲ୍ଲୀ, ୨୭।୧: ଫେବୃଆରୀ ମାସ ପାଇଁ କେନ୍ଦ୍ର ସରକାର ଜାରି କରିଛନ୍ତି କରୋନା ଗାଇଡଲାଇନ। ଜାନୁଆରୀ ମାସ ଭଳି ଫେବୃଆରୀ ମାସର ଗାଇଡଲାଇନରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ। ପୂର୍ବଭଳି ମାସ୍କ, ସାନିଟାଇଜେସନ ଓ ସାମାଜିକ ଦୂରତା ରଖିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ତେବେ ସିନେମା ହଲ ଓ ଥିଏଟରଗୁଡ଼ିକ ପୂର୍ବରୁ ୫୦% ଦର୍ଶକଙ୍କୁ ନେଇ କାର୍ଯ୍ୟକ୍ଷମ ହେଉଥିଲା,  ଏବେ ଏଗୁଡ଼ିକରେ ସିଟ୍‌ ସଂଖ୍ୟା ବୃଦ୍ଧି ହୋଇପାରିବ ବୋଲି କେନ୍ଦ୍ର ସରକାର ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି। ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଏସଓପି ଜାରି କରିବ।

ସୁଇମିଂ ପୁଲ ମଧ୍ୟ ସମସ୍ତଙ୍କ ପାଇଁ ଖୋଲିବ। ଏଥିପାଇଁ ମଧ୍ୟ ସଂଶୋଧିତ ଏସଓପି ଜାରି ହେବ। ଏବେ କେବଳ କ୍ରୀଡ଼ାବିତ୍‌ଙ୍କ ପାଇଁ ସୁଇମିଂ ପୁଲ ଖୋଲିଥିଲା। ସମସ୍ତ ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର କଟକଣା ମୁକ୍ତ କରିଛନ୍ତି। ହେଲେ ଏହା ମଧ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ କ’ଣ ସବୁ ବ୍ୟବସ୍ଥା ହେବ, ସେ ବିଷୟରେ କର୍ମସ ବିଭାଗ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହ ଆଲୋଚନା କରି ନିଷ୍ପତ୍ତି ନେବ।

Comments are closed.