ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍‌ କଲା ବାତ୍ୟା ‘ଗୁଲାବ’

0

ଭୁବନେଶ୍ୱର, ୨୯।୯: ଶେଷରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ କଳିଙ୍ଗପାଟନମରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ‘ଗୁଲାବ’। ପଶ୍ଚିମ କଳିଙ୍ଗପାଟ୍ଟନମଠାରୁ ୩୦ କିଲୋମିଟର ଦୂର ସନ୍ଥଗୁଡ଼ାଠାରେ ଏହା ଲ୍ୟାଣ୍ଡଫଲ କରିଥିବାର ଏସଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏସ୍‌ଆରସିଙ୍କ କହିବା ମୁତାବକ ରାତି ସାଢ଼େ ୭ଟାରୁ ସାଢ଼େ ୮ଟା ଭିତରେ ବାତ୍ୟା ଉପକୂଳ ଅତିକ୍ରମ କରିଛି। ଘଣ୍ଟା ପ୍ରତି ୯୪ କିଲୋମିଟର ବେଗରେ ପବନ ବୋହିବା ରେକର୍ଡ ହୋଇଛି। ବର୍ତ୍ତମାନ ଶ୍ରୀକାକୁଲମଠାରେ ୭୦ କିଲୋମିଟର ବେଗରେ ପବନ ବୋହୁଥିବା ବେଳେ ପଶ୍ଚିମ ଦିଗରେ ଏହା ଗତି କରୁଛି। ଆସନ୍ତା ୬ ଘଣ୍ଟା ପରେ ଏହା ଗଭୀର ଅବପାତରେ ପରିଣତ ହେବ।

ଉତ୍ତର ଆନ୍ଧ୍ର ଦକ୍ଷିଣ ଓଡ଼ିଶା ଦେଇ ଏହା ଛତିଶଗଡ଼ ଯିବ ଓ ବାତ୍ୟା ‘ଗୁଲାବ’ର ପ୍ରକ୍ରିୟା ଦୁର୍ବଳ ହେବା ଆରମ୍ଭ ହେଲାଣି। ସେହିପରି ଗଜପତି, ଗଞ୍ଜାମ କିମ୍ବା ରାୟଗଡାରେ ସେଭଳି ପବନ ହୋଇନଥିବାର ଏସଆରସି କହିଛନ୍ତି। ବାତ୍ୟା ପ୍ରଭାବରେ ବିଳମ୍ବିତ ରାତିରେ କୋରାପୁଟ, ରାୟଗଡା ଓ ଗଜପତିରେ ବର୍ଷା ପରିମାଣ ବଢ଼ିବ ବୋଲି ସେ କହିଛନ୍ତି। ଓଡ଼ିଶାକୁ ପ୍ରବେଶ ସମୟରେ ପବନର ବେଗ ୫୦ରୁ ୬୦ କିଲୋମିଟର ରହିବ। ସେହିପରି ଭୂସ୍ଖଳନ ଆଶଙ୍କାରେ ସୋରଡ଼ା-ଦାରିଙ୍ଗବାଡ଼ି ରାସ୍ତାକୁ ବନ୍ଦ ରଖାଯାଇଥିବା ବେଳେ ସେଭଳି ବିଶେଷ କ୍ଷୟକ୍ଷତି ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ୩୯ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଏହା ଛତିଶଗଡ଼ ଚାଲିଯାଇଥିବ ବୋଲି ଏସଆର୍‌ସି କହିଛନ୍ତି। ସେହିପରି ଅଚାନକ ଆଶଙ୍କା ଏଡ଼ାଇ ଦିଆଯାଇ ନପାରେ। ରାତିରେ ବର୍ଷାର ପରିମାଣ ଉପରେ ନିର୍ଭର କରୁଛି। ବନ୍ୟା ଆଶଙ୍କା ପାଇଁ ଗଜପତି, ରାୟଗଡ଼ା ଓ କୋରାପୁଟର ଅଧିକାରୀମାନଙ୍କୁ ସତର୍କ କରାଯାଇଛି।

Leave A Reply

Your email address will not be published.