ହନୁମାନ ଜୟନ୍ତୀ ହିଂସା ମାମଲା: ସମ୍ବଲପୁରରେ ପହଞ୍ଚିଲେ ଡିଜିପି ସୁନୀଲ ବଂଶଲ
ସମ୍ବଲପୁର, ୧୫।୪: ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଆଜି ଅପରାହ୍ଣ ପ୍ରାୟ ୪ଟାରେ ସମ୍ବଲପୁରରେ ପହଞ୍ଚିଛନ୍ତି। ଡିଜିପି ଶ୍ରୀ ବଂଶଲ ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଯାତ୍ରା କରି ସ୍ଥାନୀୟ ଜମାଦାରପାଲୀ ଏୟାରଷ୍ଟିପ୍ରୁ ସିଧାସଳଖ ଉତ୍ତରାଞ୍ଚଳ ଆଇଜି କାର୍ଯ୍ୟାଳୟକୁ ଯାଇଛନ୍ତି। ତାଙ୍କ ସହିତ ଆଇନଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା ଓ ଗୁଇନ୍ଦା ଏଡିଜି ସଂଜୀବ ପଣ୍ଡା ଅଛନ୍ତି। ରାଜ୍ୟ ସରକାରଙ୍କ ବରିଷ୍ଠ ପୁଲିସ ଅଧିକାରୀମାନେ ଆଇନ୍ଶୃଙ୍ଖଳା ପରିସ୍ଥିତି ସ୍ବାଭାବିକ ସ୍ତରକୁ ଆଣିବା ପାଇଁ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାରଙ୍କ ସହିତ ବୈଠକ କରୁଛନ୍ତି।
ଏହା ପୂର୍ବରୁ ପ୍ରଶାସନ ପକ୍ଷରୁ ସମ୍ବଲପୁର ଜିଲ୍ଲାର ସମସ୍ତ ସୀମା (ସୋନପୁର, ବରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ବୌଦ୍ଧ ସୀମାକୁ ଲାଗି ଥିବା ଅଞ୍ଚଳ)କୁ ସିଲ୍ କରାଯାଇଛି। ଏନେଇ ଏସପି ବି ଗଙ୍ଗାଧର ସୂଚନା ଦେଇଛନ୍ତି। ଏଣେ ସ୍ଥିତିକୁ ଦେଖି ଅଧିକସଂଖ୍ୟକ ପୁଲିସ ଫୋର୍ସ ମୁତୟନ କରାଯାଇଛି। କର୍ଫ୍ୟୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।
ସମ୍ବଲପୁର ଜିଲ୍ଲାରେ ଗୁରୁବାର ଠାରୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁଣି ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିବା ପାଇଁ ସରକାରଙ୍କୁ ସୁପାରିସ କରାଯାଇଥିବା ନେଇ ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ମଧ୍ୟରାତ୍ରିରୁ ସମ୍ବଲପୁରରେ କର୍ଫ୍ୟୁ ଘୋଷଣା କରାଯାଇଛି। ରାତି ୧୨ଟାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି। କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଅତ୍ୟାବଶ୍ୟକ ସେବା ବ୍ୟତୀତ ସବୁ କିଛି ବନ୍ଦ ରହିବ ବୋଲି ସେ ସୂଚନା ଦେଇଛନ୍ତି। ଗତ ୧୨ ତାରିଖ ସନ୍ଧ୍ୟାରେ ଘଟିଥିବା ହିଂସାକାଣ୍ଡ ପରେ ସରକାରଙ୍କ ପକ୍ଷରୁ ସତର୍କତା ପଦକ୍ଷେପ ସ୍ବରୂପ ୧୪୪ ଧାରା ଜାରି କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୧୩ ତାରିଖ ସକାଳ ୧୦ଟାରୁ ସମ୍ବଲପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଇଣ୍ଟରନେଟ୍ ସେବା ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା। ଏସବୁ ସତ୍ତ୍ବେ ସମ୍ବଲପୁରରେ ହିଂସା ଥମିନାହିଁ। ଅରାଜକତା ସୃଷ୍ଟି ହୋଇଛି। ବ୍ୟାପକ ଜଳାପୋଡ଼ା ହେଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି।
ତେବେ ସକାଳ ୮ଟାରୁ ୧୦ଟା ଯାଏଁ ଏବଂ ଅପରାହ୍ଣ ସାଢେ ୩ଟାରୁ ସନ୍ଧ୍ୟା ସାଢେ ୫ଟା ଯାଏଁ ଜରୁରି କାମର ବାହାରକୁ ବାହାରିପାରିବେ ଲୋକେ। କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଆତ୍ୟାବଶ୍ୟକ ସେବା ବ୍ୟତୀତ ସବୁ କିଛି ବନ୍ଦ ରହିବ। ଏପରି କି ବସ ଚଳାଚଳ ବନ୍ଦ ରହିବ। ସେହିପରି ଟ୍ରେନ ଯାତ୍ରୀ କଟକଣା କୋହଳ ସମୟରେ ଷ୍ଟେସନକୁ ଯାଇପାରିବେ, ଅନ୍ୟସମୟରେ ସହର ଭିତର ଦେଇଯାଇପାରିବେ ନାହିଁ। ସେପଟେ ଜରୁରି ସ୍ୱାସ୍ଥ୍ୟ ସେବା ପାଇଁ ୨୪ ଘଂଟିଆ ହେଲପଲାଇନ ନମ୍ବର ( ୭୬୫୫୮୦୦୭୬୦) ଜାରି କରାଯାଇଛି।
Comments are closed.