ଭୁବନେଶ୍ବର, ୧୦/୪: ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା। ଅପରାହ୍ଣ ୧ଟାରେ ସେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି, କଟକର ପ୍ରସିଦ୍ଧ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିବେ। ଏଥିଲାଗି ବାଲିଯାତ୍ରା ପଡ଼ିଆରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ। ତେଣେ ପୁରୀରେ ବିଜେପିର ବିଧାୟକ ଓ ସାଂସଦମାନଙ୍କର ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କାର୍ଯ୍ୟକ୍ରମ ବି ରହିଛି ତାଙ୍କର। ସେ ୧୩ ତାରିଖ ସନ୍ଧ୍ୟା ଯାଏ ଓଡ଼ିଶାରେ ରହିବେ। ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଭୁବନେଶ୍ବର ଏଏମ୍ସ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ବି ରହିଛି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ବରେ ପରିଚାଳିତ ରାଜ୍ୟ ସରକାର ଆସନ୍ତା ୧୧ ତାରିଖରେ ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଶୁଭାରମ୍ଭ ହେବ। ତିନିଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହି ଯୋଜନାର ଶୁଭାରମ୍ଭ କରିବେ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଆୟୁଷ୍ମାନ ଭାରତ’ ଅପ୍ରେଲ ମାସରୁ ଶୁଭାରମ୍ଭ ହେବ ବୋଲି ଘୋଷଣା କରିଥିଲେ। ଏଥିରେ ୭୦ ବର୍ଷରୁ ଅଧିକ ବୟସ୍କ ପାଇବେ ଚିକିତ୍ସା ସୁବିଧା। ୭୦ ବର୍ଷରୁ ଅଧିକ ବୟସ୍କ ଲୋକ ଥିଲେ ପରିବାର ପିଛା ସର୍ବାଧିକ ଚିକିତ୍ସା ସୁବିଧା ୧୫ ଲକ୍ଷ ଟଙ୍କା। ସମୁଦାୟ ୩.୫୨ କୋଟି ଲୋକ ହେବେ ଉପକୃତ। ରାଜ୍ୟରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ଲାଗି ୧୦ ଲକ୍ଷ ଟଙ୍କାର କ୍ୟାସଲେସ୍ ଚିକିତ୍ସା ସୁବିଧା ଉପଲବ୍ଧ କରିଛନ୍ତି ରାଜ୍ୟ ସରକାର। ଏହି ସୁବିଧା ରାଜ୍ୟ ଭିତରେ ଓ ଓଡ଼ିଶା ବାହାରେ ଥିବା ୨୯ ହଜାର ବେସରକାରୀ ହସ୍ପିଟାଲରେ ମିଳିବ।
Comments are closed.