ଭଦ୍ରକରେ ପ୍ରବଳ ବର୍ଷା, ଜୁଲାଇ ୧୫ରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୧୪/୭: ଲଘୁଚାପ ଜନିତ ବର୍ଷା ଯୋଗୁ ବେହାଲ ଭଦ୍ରକ ସହର।  ଜିଲ୍ଲାର ସର୍ବାଧିକ ୬୭.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷାଯୋଗୁଁ  ବିଭିନ୍ନ ୱାର୍ଡ ସହ ବାବା ଆଖଣ୍ଡଳମଣି ରାସ୍ତାରେ ତିନି ଫୁଟର ବର୍ଷା ପାଣି ଜମିଛି। ସ୍ଥିତିକୁ ଦେଖି ଆସନ୍ତାକାଲି (ଜୁଲାଇ ୧୫)ରେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ନିମନ୍ତେ ଛୁଟି ଘୋଷଣା କରାଯାଇଛି।

ଜିଲ୍ଲାରେ ଲଗାତାର ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ଆଜି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ଏଲଟ ରହିବାକୁ ନିର୍ଦେଶ ଦେଇଛନ୍ତି ଜ଼ିଲ୍ଲାପାଳ।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଜିଲ୍ଲାରେ ସୋମବାର ସକାଳ ସୁଦ୍ଧା ବିଭିନ୍ନ ବର୍ଷାମାପନ (ଆର୍.ଆର୍.) କେନ୍ଦ୍ରରେ ମଧ୍ୟମରୁ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ସର୍ବାଧିକ ୬୭.୨ ମିଲିମିଟର ବର୍ଷା ଚାନ୍ଦବାଲିରେ ରେକର୍ଡ ହୋଇଥିବାବେଳେ, ବନ୍ତରେ ୪୪ ମି.ମି., ଧାମନଗରରେ ୪୯ ମି.ମି., ତିହିଡ଼ିରେ ୪୨ ମି.ମି., ଭଦ୍ରକରେ ୩୨.୨ ମି.ମି., ଭଣ୍ଡାରିପୋଖରୀରେ ୩୦ ମି.ମି. ଏବଂ ବାସୁଦେବପୁରରେ ୨୯ ମି.ମି. ବର୍ଷା ହୋଇଛି।

ଲଗାତାର ବର୍ଷା ଯୋଗୁଁ ଜିଲ୍ଲାରେ ପାଗ ମେଘୁଆ ରହିଥିବା ସହ ତାପମାତ୍ରାରେ ହ୍ରାସ ପରିଲକ୍ଷିତ ହୋଇଛି। କେତେକ ନିମ୍ନାଞ୍ଚଳରେ ପାଣି ଜମିବାର ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି।

Comments are closed.