ପ୍ରଶାସନିକସ୍ତରରେ ବଦଳି: ଅରବିନ୍ଦ ପାଢ଼ୀ କୃଷି ସଚିବ, ଅଶ୍ୱଥି ଗଣଶିକ୍ଷା ସଚିବ

0

ଭୁବନେଶ୍ୱର, ୩।୮: ରାଜ୍ୟ ସରକାର ଆଜି ଆଇଏଏସ୍‌ସ୍ତରରେ ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଥିବା ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଓ ଆଇଏଏସ୍ ଏସ୍. ଅଶ୍ୱଥିଙ୍କୁ ସ୍କୁଲ ଓ ଗଣଶିକ୍ଷା ସଚିବ ଭାବେ ନିଯୁକ୍ତି ମିଳିଛି। ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସଞ୍ଜିବ ଚୋପ୍ରାଙ୍କୁ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱରୁ ମୁକ୍ତ କରାଯାଇଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ପଦରୁ ହଟାଇ ଦିଆଯାଇଛି। ତାଙ୍କୁ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି ଓ ସେ ଅତିରିକ୍ତ ଭାବେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବେ। ଶ୍ରୀ ସେଠୀ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ ନେବା ଦିନ ହିଁ ଆଇଏଏସ୍ ଶାଶ୍ୱତ ମିଶ୍ରଙ୍କ ପାଖରେ ଥିବା ଏହି ଅତିରିକ୍ତ ଦାୟିତ୍ୱ ରଦ୍ଦ ହୋଇଯିବ।

ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୬ ବ୍ୟାଚ୍ ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଶ୍ରୀ ପାଢ଼ୀ କୃଷି ବିଭାଗର ଦାୟିତ୍ୱ ନେବା ଦିନ ହିଁ ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରାଙ୍କ ପାଖରେ ଥିବା ଏହି ଅତିରିକ୍ତ ଦାୟିତ୍ୱ ରଦ୍ଦ ହୋଇଯିବ।

ସେହିପରି ୧୯୯୭ ବ୍ୟାଚ୍ ଆଇଏଏସ୍ ସଞ୍ଜୟ କୁମାର ସିଂଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ସିଂ ଏବେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେ ଅତିରିକ୍ତ ଭାବେ ବିଡିଏ ଉପାଧ୍ୟକ୍ଷ, ଭୁବନେଶ୍ୱର ସ୍ମାର୍ଟ ସିଟି ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ ଜାରି ରଖିବେ।ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୩ ବ୍ୟାଚ୍ ଆଇଏଏସ୍ ଏସ୍ ଅଶ୍ୱଥିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତି ମିଳିଛି।

Leave A Reply

Your email address will not be published.