ଜିତୁ ମୁଣ୍ଡା କାନ୍ଧରେ ଭଉଣୀର କଙ୍କାଳ ପ୍ରସଙ୍ଗ: ମିଳିଲା ମୃତ୍ୟୁ ଓ ଉତ୍ତରାଧିକାରୀ ପ୍ରମାଣପତ୍ର

ଭୁବନେଶ୍ବର, ୨୮/୪: ୩ ମାସ ପୂର୍ବେ ନିଜ ମୃତ ଭଉଣୀର ବ୍ୟାଙ୍କ୍‌ ଜମାଖାତାରୁ ଟଙ୍କା ଉଠାଇବା ନିମନ୍ତେ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରମାଣ ମାଗିବାକୁ କେନ୍ଦ୍ର କରି ପାଟଣା ବ୍ଲକ ଦିଆନାଳି ଗାଁର ଜିତୁ ମୁଣ୍ଡା ନିଜର ଭଉଣୀର କଙ୍କାଳ ଧରି ବ୍ୟାଙ୍କ୍‌ରେ ପହଞ୍ଚିଥିଲା। ଏହି ଘଟଣାରେ ରାଜ୍ୟ ଓ ଦେଶର ବିଭିନ୍ନ ମହଲରୁ ତୀବ୍ର ପ୍ରତ୍ରିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାରେ ଆଜି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଘଟଣାଟି ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଅଭିହିତ କରାଯାଇଛି।
ପ୍ରଶାସନ ପକ୍ଷରୁ ଜାରି ପ୍ରେସ୍‌ ବିବୃତିରେ କୁହାଯାଇଛି, ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ରେଡ୍‌କ୍ରସ୍‌ ପାଣ୍ଠିରୁ ୩୦ହଜାର ଟଙ୍କା ପ୍ରଦାନ କରିଛନ୍ତି। ପରିବାରର ଦାରିଦ୍ର୍ୟ ଓ ଅସହାୟତାକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ମୃତ ଭଉଣୀ କଲରା ମୁଣ୍ଡାଙ୍କ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହାସହ ସୁଧ ସହ ଜମାଟଙ୍କା ୧୯ହଜାର ୪୦୨ ଟଙ୍କା ପ୍ରଦାନ କରାଯାଇଛି।
ଏହା ବ୍ୟାଙ୍କ ସଂବନ୍ଧୀୟ କାରବାର ସମ୍ପର୍କରେ ଅଜ୍ଞତା ଯୋଗୁଁ ଘଟିଛି, ଏହା ସତ୍ବେ କୌଣସି ଅଶିକ୍ଷିତ ବ୍ୟକ୍ତି ଏଭଳି ପୁଣି ଅସୁବିଧାରେ ନପଡ଼ିବେ ସେ ନେଇ ଅଧିକ ସମ୍ବେଦନଶୀଳତା ଗ୍ରହଣ କରାଯିବ। ଘଟଣାର ସବିଶେଷ ତଦନ୍ତ କରାଯାଉଛି। ଯଦି ଏଭଳି କୌଣସି ଘଟଣା କିମ୍ବା ସମସ୍ୟାର ସମ୍ମୁଖିନ ହେଲେ ତୁରନ୍ତ ଜିଲ୍ଲା ପ୍ରଶାସନ କିମ୍ବା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ସୂଚିତ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

 

Comments are closed.