ଭୁବନେଶ୍ୱର, ୧୭/୮: ବ୍ୟାପକ ବିଚାର ବିମର୍ଶ ପରେ ଦେଶରେ ଏକ ନୂତନ ଜାତୀୟ ଶିକ୍ଷା ନୀତି (ଏନଇପି) – ୨୦୨୦ ପ୍ରସ୍ତୁତ କରାଯାଇଛି । ନୂଆ ଶିକ୍ଷା ନୀତିର ବିଶେଷତ୍ୱ ହେଉଛି ଏହା ନମନୀୟ। ଏହା ଏକ ବ୍ୟାପକ ନୀତି କୌଣସି ରାଜ୍ୟ ଉପରେ ଏନଇପିକୁ ଲଦି ଦିଆଯାଇନାହିଁ । ବିଭିନ୍ନ ରାଜ୍ୟ ସେମାନଙ୍କର ଆବଶ୍ୟକତା ଅନୁଯାୟୀ, ଜାତୀୟ ଶିକ୍ଷା ନୀତିକୁ ଆପଣାଇପାରିବେ। ନୂଆ ଶିକ୍ଷା ନୀତିରେ ଭାରତର ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି । ଭୁବନେଶ୍ୱରରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି।Ads by
ଆଜି ଭୁବନେଶ୍ୱର ଠାରେ କୁଇ ଏବଂ ଦେଶିଆ ଭାଷା ଶିକ୍ଷା ପୁସ୍ତକ ଏବଂ ଡାକ ଲଫାପା ଉନ୍ମୋଚନ ସମାରୋହରେ ଶ୍ରୀମତୀ ସୀତାରମଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପୁସ୍ତକ ଉନ୍ମୋଚନ କରାଯାଇଛି । ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଏନସିଇଆରଟି) ଏବଂ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ସହଭାଗିତାରେ ଦୁଇଟି ପୁସ୍ତକ ପ୍ରସ୍ତୁତ କରାଯାଇଛି । କୁଇ ଏବଂ ଦେଶିଆ ଭାଷାଭାଷୀ ପିଲାମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ ଲାଗି ପୁସ୍ତକ ଦୁଇଟି ସହାୟକ ହୋଇପାରିବ ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ଅର୍ଥ ମନ୍ତ୍ରୀ କହିଥିଲେ ଯେ, ଇଂରାଜୀ ଭାଷାରେ ଶିକ୍ଷାଦାନ ଓ ଦକ୍ଷତା ହାସଲର ଦୌଡ଼ରେ ଆମେ ମାତୃଭାଷାକୁ ଭୁଲିଯିବା ଭଳି ସ୍ଥିତିରେ ଆସି ପହଞ୍ଚିଛୁ । ଓଡ଼ିଶା ଭଳି ଭାଷା ଭିତ୍ତିରେ ଗଠନ ହୋଇଥିବା ରାଜ୍ୟଗୁଡ଼ିକ ସେମାନଙ୍କ ମାତୃଭାଷା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଜାତୀୟ ଶିକ୍ଷା ନୀତିରେ ମଧ୍ୟ ଏଥିପାଇଁ ବ୍ୟବସ୍ଥା କରାଯାଇଛି । ଭାଷା ସହିତ ପ୍ରକୃତିର ସମ୍ପର୍କ ରହିଛି । କାରଣ ଗୋଟିଏ କଥିତ ଭାଷାରୁ ସେହି ଅଞ୍ଚଳର ପ୍ରାକୃତିକ ପରିବେଶର ପ୍ରତିଫଳନ ଦେଖିବାକୁ ମିଳିଥାଏ। ମାତୃଭାଷା ଦ୍ୱାରା ବିଚାର ସମୃଦ୍ଧ ହୋଇଥାଏ। ତେଣୁ ମାତୃଭାଷାରେ ପ୍ରାଥମିକ ଶିକ୍ଷାଦାନ ଏବଂ ସେହି ଭାଷାରେ ପୁସ୍ତକ ପ୍ରକାଶନର ଆବଶ୍ୟକତା ରହିଛି । ସେ ଆହୁରି କହିଥିଲେ ଯେ, ମାତୃଭାଷାରେ ଶିକ୍ଷା ଗ୍ରହଣ କରୁଥିବା, କହୁଥିବା, ଲେଖୁଥିବା ଓ ଚିନ୍ତା କରୁଥିବା ଲୋକ ପାଖରେ ଅଧିକ ବିଚାରଗତ ସ୍ପଷ୍ଟତା ରହିଥାଏ। ଏହି ସ୍ପଷ୍ଟତା ପରବର୍ତ୍ତୀ ସମୟରେ ଅନ୍ୟ ଭାଷାକୁ ସ୍ଥାନାନ୍ତରିତ ହୋଇଥାଏ।
ଛୋଟ ପିଲାଙ୍କୁ ଆରମ୍ଭରୁ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରି କେନ୍ଦ୍ର ଅର୍ଥ ମନ୍ତ୍ରୀ କହିଥିଲେ ଯେ, ପିଲାଟିଏ ଛୋଟ ଥିବା ସମୟରେ ସବୁଠୁ ଅଧିକ ଜ୍ଞାନ ହାସଲ କରିଥାଏ ବୋଲି ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି । ତେଣୁ ପ୍ରାରମ୍ଭିକ ଅବସ୍ଥାରେ ପିଲାକୁ ମାତୃଭାଷା କହିବା, ଲେଖିବା ଓ ପଢ଼ିବା ଶିଖାଇଲେ ତା’ର ଜ୍ଞାନ ସମୃଦ୍ଧ ହୋଇଥାଏ। ଦେଶିଆ ଓ କୁଇ ଭାଷାରେ ଶିକ୍ଷାଦାନ ପାଇଁ ଓଡ଼ିଆ ଲିପି ସହିତ ପୁସ୍ତକ ଉନ୍ମୋଚନ କରାଯିବା ଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶିକ୍ଷା ମନ୍ତ୍ରଣାଳୟ ଓ ଏନସିଇଆରଟିର ପ୍ରୟାସ ଓ ଉଦ୍ୟମ ପ୍ରଶଂସନୀୟ ବୋଲି ଶ୍ରୀମତୀ ସୀତାରମଣ କହିଥିଲେ।
ଅନ୍ୟତମ ଅତିଥି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ, ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ଇଂରେଜ ଶାସନ ସମୟରେ ୧୯୩୬ ମସିହାରେ ଓଡ଼ିଶା ଏକ ଭାଷା ଭିତ୍ତିକ ରାଜ୍ୟ ମାନ୍ୟତା ପାଇଥିଲା। ଏହା ଆମ ଓଡ଼ିଆଙ୍କ ପାଇଁ ଗୌରବର ବିଷୟ। ଆଗାମୀ ଶହ ଶହ ବର୍ଷ ଧରି ଓଡ଼ିଆ ଭାଷା, ସଂସ୍କୃତି ଓ ସମାଜ ନିଜ ପ୍ରତିଷ୍ଠା ବଜାୟ ରଖିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ।
ଶ୍ରୀ ପ୍ରଧାନ କହିଥିଲେ ଯେ, ଦେଶିଆ ଓ କୁଇ ଭାଷାରେ ଆଜି ଉନ୍ମୋଚନ କରାଯାଇଥିବା ଦୁଇଟି ପୁସ୍ତକ ଆଦିବାସୀ ସମୁଦାୟର ପିଲାଙ୍କ ଶିକ୍ଷାଦାନ ପାଇଁ ବର୍ଣ୍ଣବୋଧ ଭଳି କାମ କରିବ । ଆଦିବାସୀଙ୍କ ସାଂସ୍କୃତିକ, ଭାଷାଗତ ଐତିହ୍ୟ ଓ ପରିଚୟକୁ ସଂରକ୍ଷିତ ଓ ପ୍ରୋତ୍ସାହିତ କରିବ । ମାତୃଭାଷାରେ ଶିକ୍ଷାଦାନ ଜାତୀୟ ଶିକ୍ଷା ନୀତିର ଏକ ଆଧାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଜୋର ଦେଇ କହିଛନ୍ତି । ମାତୃଭାଷାରେ ଶିକ୍ଷାଦାନ ନହେବା ପର୍ଯ୍ୟନ୍ତ ପିଲାର ଚିନ୍ତନ, ତର୍କ କ୍ଷମତା, ଅନୁସନ୍ଧାନ ମନୋବୃତ୍ତି ବିକଶିତ ହୋଇପାରିବ ନାହିଁ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି କହିଥିଲେ, ଓଡ଼ିଶା ସୀମାନ୍ତ କୋଟିଆ ଗସ୍ତ କରିବା ସମୟରେ କନ୍ଧ, ପରଜା ଓ ଗଡ଼ବା ପିଲାମାନେ ଓଡ଼ିଆ ଭାଷାରେ ପଢ଼ିବାରେ ସମସ୍ୟାରେ ପଡ଼ୁଥିବା ସେ ଅନୁଭବ କରିଥିଲେ । ଏ ବିଷୟରେ ସେ ଶିକ୍ଷକଙ୍କ ସହିତ କଥା ହୋଇଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା, ଶିକ୍ଷା ମନ୍ତ୍ରଣାଳୟ ଏବଂ ଭାଷାବିତ୍ଙ୍କ ସହିତ ଆଲୋଚନା କରି ଏଭଳି ପୁସ୍ତକ ପ୍ରକାଶନ ପାଇଁ ବ୍ୟବସ୍ଥା କରିଥିଲେ । ୧୦୦ ଦିନ ଭିତରେ ଓଡ଼ିଶାର ଦୁଇଟି ଆଦିବାସୀ ଭାଷାରେ ପୁସ୍ତକ ଉନ୍ମୋଚନ କରାଯାଇଛି ବୋଲି ସେ କହିଥିଲେ। ଦୁଇଟି ପୁସ୍ତକ ପ୍ରସ୍ତୁତିରେ ସମ୍ପୃକ୍ତ ରହିଥିବା ଲୋକମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଥିଲେ ।
ଶ୍ରୀ ପ୍ରଧାନ କହିଥିଲେ ଯେ, ଓଡ଼ିଶାରେ ୭୫ଟି ଆଦିବାସୀ ଜାତି ଓ ଉପଜାତି ରହିଛି । ଏମାନେ ୭୨ଟି କଥିତ ଭାଷାରେ କଥା ହୋଇଥାନ୍ତି । ଧୀରେ ଧୀରେ ସବୁ ଭାରତୀୟ ଭାଷାରେ ଶିକ୍ଷାଦାନ ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଉଦ୍ୟମ ଜାରି ରହିଛି । ଦେଶର ଶିକ୍ଷା ବ୍ୟବସ୍ଥାକୁ ମାତୃଭାଷା ଆଧାରିତ କରିବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ମହାଡାକପାଳ ଶୁଭେନ୍ଦୁ ସ୍ୱାଇଁ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ, ଏନସିଇଆରଟିର ନିର୍ଦ୍ଦେଶକ ଦିନେଶ ପ୍ରସାଦ ସକ୍ଳାନୀଙ୍କ ସମେତ ବହୁ ଭାଷାବିତ୍, ଶିକ୍ଷକ, ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିଥିଲେ।
Comments are closed.