ଏଣିକି ସ୍ବତନ୍ତ୍ର ଆଇନ୍‌ରେ ପରିଚାଳିତ ହେବ ଲିଙ୍ଗରାଜ ମନ୍ଦିର: ଅଧ୍ୟାଦେଶକୁ ମିଳିଲା କ୍ୟାବିନେଟ୍‌ ସ୍ବୀକୃତି

ମନ୍ଦିର ସାମ୍ନାରେ ସମୂହ ଦୀପଦାନ, ସବୁ ମହଲରେ ସ୍ବାଗତ

ଭୁବନେଶ୍ବର,୧୪/୧୨: କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟକୁ ଯାଇ ଏକାମ୍ର କ୍ଷେତ୍ରର ବିକାଶ କାର୍ଯ୍ୟ ତଦାରଖ କରିଥିଲେ। ସେବାୟତମାନେ ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ୍‌ କରିବାକୁ ଅନୁରୋଧ କରିଥିଲେ। ଏ ଦିଗରେ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କଥା ଦେଇଥିଲେ। ଆଜି ମୁଖ୍ୟମନ୍ତ୍ରୀ କଥା ରଖିଛନ୍ତି। ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଶ୍ରୀଲିଙ୍ଗରାଜ ମନ୍ଦିର ଆଇନ୍‌କୁ ସ୍ବୀକୃତି ମିଳିଛି। ବର୍ତ୍ତମାନ ବିଧାନସଭା ମୁଲତବୀ ଥିବାରୁ ଅଧ୍ୟାଦେଶ ଜରିଆରେ ଏହି ନୂଆ ଆଇନ୍‌ କାର୍ଯ୍ୟକାରୀ ହେବ। ଏହି ଅଧ୍ୟାଦେଶରେ କ୍ୟାବିନେଟ୍‌ ମୋହର ବାଜିଛି। ଏବେ ଶ୍ରୀମନ୍ଦିର ଢାଞ୍ଚାରେ ସ୍ବତନ୍ତ୍ର ଆଇନ୍ ବଦଳରେ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳିତ ହେବ। ଜଣେ ପ୍ରଶାସକ ଏହାର ମୁଖ୍ୟ ଦାୟିତ୍ବ ରହିବେ।
ଆଜି କ୍ୟାବିନେଟ୍‌ରେ ଏହି ଅଧ୍ୟାଦେଶ ପାରିତ ହେଲା ପରେ ଭୁବନେଶ୍ବରରେ ଏହାକୁ ସ୍ବାଗତ କରାଯାଇଛି। ଲିଙ୍ଗରାଜ ମନ୍ଦିର ସାମ୍ନାରେ ସମୂହ ଦୀପଦାନ କରାଯାଇ ନିଷ୍ପତ୍ତିକୁ ସ୍ବାଗତ କରାଇଥିଲା। ଶତାଧିକ ଲୋକ ଏକାଠି ହୋଇ ଦୀପ ଦାନ କରିଥିଲେ। ଆଇନ ମନ୍ତ୍ରୀ ପ୍ରତାପ ଜେନା, ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ନୂଆ ଆଇନରେ ଲିଙ୍ଗରାଜ ମନ୍ଦିର ଓ ଏହାର ସମ୍ପତ୍ତି, ମନ୍ଦିର ପରିସର ମଧ୍ୟରେ ଓ ବାହାରେ ଥିବା ଅନ୍ୟ ମନ୍ଦିର, ପବିତ୍ର ସ୍ଥାନ ଓ ମଠ ସମ୍ପର୍କିତ ବ୍ୟାପାରଗୁଡ଼ିକର ପରିଚାଳନା ଭାର ଶ୍ରୀମନ୍ଦିର ଢାଞ୍ଚାରେ ଏକ ସ୍ବତନ୍ତ୍ର କମିଟିକୁ ଯିବ। ଏହା ଦ୍ବାରା ମନ୍ଦିରର କାର୍ଯ୍ୟଗୁଡ଼ିକର ଉତ୍ତମ ଓ ଠିକ୍ ପରିଚାଳନା ହେବା ସହିତ ତୀର୍ଥଯାତ୍ରୀ, ଭକ୍ତ ଓ ଉପାସକମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ହେବ। ଏହା ମଧ୍ୟ ମନ୍ଦିରର ସମ୍ପତ୍ତି ସୁରକ୍ଷିତ ରଖିବା ପାଇଁ କମିଟିକୁ ସଶକ୍ତ କରିବ। ଏହି ଅଧ୍ୟାଦେଶରେ ମନ୍ଦିରର ସୁପରିଚାଳନା ନିମନ୍ତେ ବିସ୍ତୃତ ଭାବରେ ବ୍ୟବସ୍ଥା କରାଯାଇଛି। ପରିଚାଳନା କମିଟି ଗଠନ, କମିଟିର ସଭ୍ୟ ସଂଖ୍ୟା, କମିଟିର ଦାୟିତ୍ବ ଓ କ୍ଷମତା, ପରିଚାଳକଙ୍କ କ୍ଷମତା ଓ ଦାୟିତ୍ବ, ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସୁରକ୍ଷା ଓ ପରିଚାଳନା, ସେବକମାନଙ୍କର ଭୂମିକା ଓ ଦାୟିତ୍ବ, ମନ୍ଦିର ପାଣ୍ଠିର ଗଠନ ଓ ପରିଚାଳନା ଇତ୍ୟାଦି ପାଇଁ ସମସ୍ତ ବ୍ୟବସ୍ଥ‌ା ରହିଛି। ଏହା ବ୍ୟତୀତ ନିକଟ ଅତୀତରେ ଲିଙ୍ଗରାଜ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଅନେକଗୁଡ଼ିଏ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ଏସବୁ ମଧ୍ୟ ନୂଆ ଆଇନ୍‌ ବଳରେ ଅଗ୍ରାଧିକାର ଭିତ୍ତିରେ କରାଯିବ।

Comments are closed.