ଜୁଲାଇ ୧୬ ଯାଏ ବଢ଼ିଲା ଲକ୍‌ଡାଉନ୍‌

କାଟାଗୋରୀ ଏର ୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ ସବୁ ଦୋକାନ ଖୋଲା

ଭୁବନେଶ୍ୱର ୩୦।୬: ପୁଣି ବଢ଼ିଲା ଲକ୍‌ଡାଉନ୍‌ ସମୟସୀମା। ଜୁଲାଇ ୧୬ ଯାଏ ଆଂଶିକ ଲକ୍‌ଡାଉନ ବଳବତ୍ତର ରଖିଲେ ରାଜ୍ୟ ସରକାର। କାଟେଗୋରୀ-ଏରେ ଥିବା ୨୦ଟି ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ସବୁ ଦୋକାନ ବଜାର ଖୋଲିବ। କାଟେଗୋରୀ-ବିରେ ଥିବା ୧୦ଟି ଜିଲ୍ଲାରେ ସକାଳ ୬ଟାରୁ ଦିନ ୨ଟା ଯାଏ ଦୋକାନ ଖୋଲା ରହିବ। ସାରା ରାଜ୍ୟରେ ସନ୍ଧ୍ୟା ୬ ରୁ ସକାଳ ୬ ଯାଏ ନାଇଟ କର୍ଫ୍ୟୁ ବଳବତ୍ତର ରହିବ। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ ପାଇଁ ଏପରି ପଦକ୍ଷେପ ନିଆଯାଇଛି । ପୂର୍ବରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ ଗତକାଲି ଶେଷ ହେଉଥିବାରୁ ଏହାର ସମୟସୀମାକୁ ବୃଦ୍ଧି କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର।

ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଜିଲ୍ଲାଗୁଡ଼ିକୁ ୨ଟି କାଟେଗୋରୀରେ ବିଭକ୍ତ କରାଯାଇଛି। କାଟେଗୋରୀ ଏ ଓ କାଟେଗୋରୀ ବି। ୫ ପ୍ରତିଶତରୁ ସଂକ୍ରମଣ କମିଥିବା ଜିଲ୍ଲା ଗୁଡିକୁ କାଟେଗୋରୀ ଏରେ ରଖାଯାଇଛି। ସେହିପରି ୫ ପ୍ରତିଶତରୁ ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲା ଗୁଡିକୁ କାଟେଗୋରୀ ବିରେ ସ୍ଥାନିତ କରାଯାଇଛି। କାଟେଗୋରୀ ଏରେ ୨୦ଟି ଜିଲ୍ଲା ଓ କାଟେଗୋରୀ ବିରେ ୧୦ଟି ଜିଲ୍ଲାକୁ ସ୍ଥାନିତ କରାଯାଇଛି। ସ୍ଥିତି ଦେଖି ଧିରେଧିରେ ଅନଲକ୍ ଆରମ୍ଭ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କାଟେଗୋରୀ ବିରେ ଥିବା ୧୦ ଟି ଜିଲ୍ଲା: ନୟାଗଡ଼, ଖୋର୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ ଓ ପୁରୀ। ସେହିପରି କାଟେଗୋରୀ ଏ ଥିବା ୨୦ଟି ଜିଲ୍ଲା ହେଲେ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା।

କାଟେଗୋରୀ ଏରେ ଥିବା ୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଦୋକାନ ବଜାର ଖୋଲା ରହିବ। ଏହି ୨୦ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବ। ସପ୍ତାହନ୍ତ ସଟଡାଉନ କଟକଣା ହଟିବ। ସପିଂ ମଲ୍, ପାର୍ଲର ଆଦି ଛାଡି ଆଉ ସବୁ ଦୋକାନ ଖୋଲା ରହିବ। ସପ୍ତାହିକ ହାଟ ଖୋଲିବ। ଏହା ସହ ଏହି ଜିଲ୍ଲା ଗୁଡିକରେ ଧାର୍ଯ୍ୟ ସିଟରେ ବସ୍ ଓ ଟାକ୍ସି ଚଳାଚଳ କରିବ। ଇନଡୋର ଓ ଆଉଟଡୋର୍ ସୁଟିଂକୁ ମଧ୍ୟ ଅନୁମତି ମିଳିବ।

କାଟେଗୋରୀ ବିରେ ଥିବା ୧୦ଟି ଜିଲ୍ଲାରେ ସକାଳ ୬ଟାରୁ ଦିନ ୨ଟା ଯାଏଁ ଦୋକାନ ଖୋଲା ରହିବ। ଏହି ଜିଲ୍ଲାରେ ସ୍ପା, ପାର୍ଲର ଓ ମଲ୍ ବନ୍ଦ ରହିବ। ଦୋକାନ ଖୋଲିବା ବେଳେ ଦୋକାନ ମାଲିକ କୋଭିଡ୍ ଗାଇଡଲାଇନ୍ ପାଳନ କରିବେ। ଯେଉଁଠି ଗାଇଡଲାଇନ୍ ଉଲ୍ଲଙ୍ଘନ ହେବ ସେଠାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ୧୦ ଜିଲ୍ଲାରେ ଆଉଟଡୋର ସୁଟିଂ ପାଇଁ ଅନୁମତି ମିଳିବ। ଉଠା ଦୋକାନୀ ଦୋକାନ ଖୋଲି ପାରିବେ, ଜିନିଷ ପାର୍ସଲ ଦେବେ। ତେବେ ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ୍ ଖୋଲିବାକୁ ଅନୁମତି ମିଳିବ।

 

Comments are closed.