ରାଜ୍ୟରେ ପ୍ରଥମ: ଏମ୍‌ସ ଭୁବନେଶ୍ୱରରେ ଲୋ ଭିଜନ୍‌ କ୍ଲିନିକ୍‌ ଉଦ୍‌ଘାଟିତ

ଏମ୍‌ସ ଦିଲ୍ଲୀ ଏବଂ ଜର୍ମାନୀର ସିବିଏମ୍‌ ଅନୁଷ୍ଠାନ ସହଯୋଗରେ ଆରମ୍ଭ ହେଲା ସେବା

0

ଭୁବନେଶ୍ୱର, ୨୩/୪: ଅତ୍ୟନ୍ତ କ୍ଷୀଣ ଦୃଷ୍ଟିଶକ୍ତି କାରଣରୁ ଦୈନନ୍ଦିନ ଜୀବନରେ ଆସୁଥିବା ଏକାଧିକ ପ୍ରତିବନ୍ଧକ ଏବଂ ପ୍ରତିଘାତ କାରଣରୁ ନିରାଶ ହୋଇପଡ଼ିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏମ୍‌ସ ଭୁବନେଶ୍ୱର ଆଣିଦେଇଛି ଆଶାର କିରଣ। ଦୃଷ୍ଟି ଶକ୍ତି ଦୁର୍ବଳ ହେତୁ ପ୍ରାୟ ଆଶା ହରାଇଥିବା ରୋଗୀଙ୍କ ଜୀବନକୁ ଆଲୋକିତ କରିବା ଉଦ୍ଦେଶ୍ୟରେ ଏମ୍‌ସ ଭୁବନେଶ୍ୱର ଚକ୍ଷୁ ବିଭାଗରେ ଉଦ୍‌ଘାଟିତ ହୋଇଛି “ଲୋ ଭିଜନ୍ କ୍ଲିନିକ୍”। ଏହି ବିଶେଷ ଭିଜନ କ୍ଲିନିକ୍ ସାମାଜିକ ଦୃଷ୍ଟିହୀନତା ତଥା ଗ୍ଲୁକୋମା, ବୟସାଧିକ, ମଧୁମେହ, ରେଟିନା ରୋଗ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣରୁ ଦୃଷ୍ଟିଶକ୍ତିହୀନତା ଭୋଗୁଥିବା ରୋଗୀମାନଙ୍କୁ ସେମାନଙ୍କର ସାଧାରଣ ଜୀବନଯାପନ ବ୍ୟବସ୍ଥାକୁ ସାହାଯ୍ୟ କରିବ। ଉପରୋକ୍ତ ଦୃଷ୍ଟିବାଧିତ ରୋଗୀମାନେ ଅସ୍ତ୍ରୋପଚାର କିମ୍ବା ଅନ୍ୟାନ୍ୟ ଚିକିତ୍ସା ସେବାରୁ କୌଣସି ଲାଭ ପାଇପାରନ୍ତି ନାହିଁ ଏବଂ ସେମାନଙ୍କର ସାମାଜିକ ଜୀବନ ବିଶେଷ ପ୍ରଭାବିତ ହୋଇଥାଏ। ସେମାନେ ସମାଜ ଓ ପରିବାର ଉପରେ ବୋଝ ଭାବି ନିରାଶ ହୋଇପଡ଼ିବା ସହିତ ହତାଶା ମଧ୍ୟରେ କାଳାତିପାତ କରନ୍ତି। ରାଜ୍ୟର ଯେକୌଣସି ସରକାରୀ ଅନୁଷ୍ଠାନ ମଧ୍ୟରେ ପ୍ରଥମ ଏହି ଲୋ ଭିଜନ୍‌ କ୍ଲିନିକ୍‌ ଉପରୋକ୍ତ ଦୃଷ୍ଟିଶକ୍ତିହୀନ ରୋଗୀଙ୍କ ପାଇଁ ଆଶାର ଏକ ନୂତନ ସୂର୍ଯ୍ୟୋଦୟ ଆଣିଦେବ।

ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏହି କ୍ଲିନିକ୍‌କୁ ଉଦ୍‌ଘାଟନ କରିଥିଲେ। ଡ. ଆର୍‌ ପି ସେଣ୍ଟର୍‌, ଏମ୍‌ସ ନିୟୁଦିଲ୍ଲୀର ଡ. ପ୍ରବୀଣ ବଶିଷ୍ଟ, ଏମ୍‌ସ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିନ୍‌ ଡ. ପ୍ରଶାନ୍ତ ରାଘବ ମହାପାତ୍ରଙ୍କ ଉପସ୍ଥିତିରେ ଏହି କ୍ଲିନିକର ଶୁଭାରମ୍ଭ ହୋଇଯାଇଛି। ଡ. ଆର୍‌ ପି ସେଣ୍ଟର୍‌, ଏମ୍‌ସ ନିୟୁଦିଲ୍ଲୀ ଏବଂ ଜର୍ମାନୀର କ୍ରିଷ୍ଟୋଫେଲ୍ ବ୍ଲିଣ୍ଡେନ୍ ମିସନ୍ (ସିବିଏମ୍)ର ସହଯୋଗରେ ସ୍ଥାପିତ ଏହି କ୍ଲିନିକ୍‌ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟର ରୋଗୀଙ୍କ ପାଇଁ କାର୍ଯ୍ୟ କରିବ। ଏମ୍‌ସ ଭୁବନେଶ୍ବର ଚକ୍ଷୁ ବିଭାଗରେ ଦୈନିକ କାର୍ଯ୍ୟକ୍ଷମ ଏହି କ୍ଲିନିକ୍‌ ଆବଶ୍ୟକ କରୁଥିବା ଲୋକଙ୍କୁ ଦୃଷ୍ଟିଶକ୍ତି ପୁନର୍ବାସ ସେବା ପ୍ରଦାନ କରିବାରେ ସହାୟକ ହେବ ଯାହାକି ସେମାନଙ୍କର ସାଧାରଣ ଜୀବନଯାପନ ପ୍ରଣାଳୀକୁ ସ୍ବାଭାବିକ କରିବ।

Leave A Reply

Your email address will not be published.