ଭୁବନେଶ୍ୱର: ମହାନଦୀ ଜଳ ବିବାଦ ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଥିବା ସୂଚନା ମିଳିଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଜଳ ବିବାଦର ସମାଧାନ ପାଇଁ ଏବେ ଉଦ୍ୟମ ତ୍ବରାନ୍ବିତ ହୋଇଛି ବୋଲି ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଦୀର୍ଘ ୭ ବର୍ଷ ଧରି ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇନଥିଲା। ନୂତନ ସରକାର ଆସିବା ପରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ନିକଟରେ ପୁନର୍ବାର ଆଲୋଚନାର ସୁଯୋଗ ଦେବାକୁ ଅନୁରୋଧ କରାଯାଇଥିଲା। ଏହି ବିବାଦ ମୂଳତଃ ରାଜନୈତିକ ପରିପ୍ରେକ୍ଷିତରେ ଗଢ଼ିଉଠିଛି ଏବଂ ଦୁଇ ରାଜ୍ୟର ନେତୃତ୍ୱ ମଧ୍ୟରେ ସକାରାତ୍ମକ ଆଲୋଚନା ମାଧ୍ୟମରେ ଏହାର ସମାଧାନ ସମ୍ଭବ। ଟ୍ରିବ୍ୟୁନାଲ ଅଧ୍ୟକ୍ଷ ତାଙ୍କ ପ୍ରସ୍ତାବକୁ ସ୍ୱୀକାର କରିଥିଲେ। ୨୦୨୫ ଜୁଲାଇ ପରେ ଏପର୍ଯ୍ୟନ୍ତ ୮ଥର ଶୁଣାଣି ହୋଇସାରିଛି ଏବଂ ଛତିଶଗଡ଼ ପକ୍ଷରୁ ମଧ୍ୟ ସମ୍ମତି ମିଳିଛି।
ଜଳସ୍ଥିତି ଓ ବିଦ୍ୟୁତ ଉତ୍ପାଦନର ସମୀକ୍ଷା
ଟ୍ରିବ୍ୟୁନାଲର ନୂତନ ଅଧ୍ୟକ୍ଷ ବେଲା ଏମ୍ ତ୍ରିବେଦୀଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେମାନେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ଥିତି ଓ ପାୱାରହାଉସ ପରିଦର୍ଶନ କରିଥିଲେ। ବିଦ୍ୟୁତ ଉତ୍ପାଦନ ପ୍ରକ୍ରିୟା ବିଷୟରେ ଇଞ୍ଜିନିୟରମାନେ ବିସ୍ତୃତ ତଥ୍ୟ ଦେଇଥିଲେ। ଟ୍ରିବ୍ୟୁନାଲ ଦଳ ସମୀକ୍ଷା ପରେ ସନ୍ତୁଷ୍ଟ ଥିବା ସୂଚନା ମିଳିଛି।
କାର୍ଯ୍ୟକାଳ ବୃଦ୍ଧି ପାଇଁ ଉଦ୍ୟମ
ଟ୍ରିବ୍ୟୁନାଲର କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୧୩ରେ ସମାପ୍ତ ହେବାକୁ ଥିଲେ ମଧ୍ୟ, ସମାଧାନ ପାଇଁ ଆବଶ୍ୟକ ହେଲେ ଏହା ବୃଦ୍ଧି କରାଯିବା ପାଇଁ ଉଦ୍ୟମ ହେଉଛି। ନିର୍ଦ୍ଧାରିତ ସମୟରେ ସମାଧାନ ନ ହେଲେ ମାମଲା ସୁପ୍ରିମକୋର୍ଟକୁ ଯାଇପାରେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
ବିରୋଧୀଙ୍କ ଆପତ୍ତିକୁ ଖଣ୍ଡନ
କେତେକ ବିରୋଧୀ ଦଳ ଟ୍ରିବ୍ୟୁନାଲ ଗସ୍ତକୁ ‘ପିକ୍ନିକ୍’ ବୋଲି କହିଥିବାବେଳେ ସରକାର ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷା ଓ ମହାନଦୀ ପାଣିର ସଠିକ ବ୍ୟବସ୍ଥାପନ ପାଇଁ ସରକାର ଦୂରଦୃଷ୍ଟି ସହ କାମ କରୁଛନ୍ତି ବୋଲି କୁହାଯାଇଛି। ଟ୍ରିବ୍ୟୁନାଲ ଦଳ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚି ସମ୍ବଲପୁର ହୀରାକୁଦ ଅଞ୍ଚଳରେ ଅବସ୍ଥାନ କରୁଛନ୍ତି। ଏହି ଗସ୍ତ ମହାନଦୀ ଜଳ ବିବାଦର ସୁସ୍ଥାୟୀ ସମାଧାନ ପାଇଁ ଏକ ନୂଆ ଆଶା ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ଓଡ଼ିଶା ଗସ୍ତରେ ଆସିଛନ୍ତି ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍। ଟ୍ରିବ୍ୟୁନାଲ୍ର ନୂଆ ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଓ ସେମାନଙ୍କ ପରିବାର ସଦସ୍ୟ ଗୁରୁବାର ସନ୍ଧ୍ୟାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିଥିଲେ। ଆଡ୍ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମଧ୍ୟ ସେମାନଙ୍କ ସହ ରହିଥିଲେ। ବିମାନବନ୍ଦରରେ ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ କୁନାଲ ମୋତିରାମ ଚହ୍ବାଣ, ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିମାନବନ୍ଦରରେ ଔପଚାରିକ ସ୍ବାଗତ ପରେ ଟିମ୍ ସିଧା ସମ୍ବଲପୁର ଅଭିମୁଖେ ଆସି ହୀରାକୁଦ ବନ୍ଧ ରାଇଟ୍ ଡାଇକ୍ରେ ଥିବା ଅତିଥିଶାଳା ଅଶୋକନିବାସରେ ପହଞ୍ଚିଥିଲେ।