ଆସନ୍ତାକାଲିଠୁ ସଂସଦର ମୌସୁମୀ ଅଧିବେଶନ

0

ନୂଆଦିଲ୍ଲୀ, ୧୭/୭: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଏଥିଲାଗି କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅଗଷ୍ଟ ୧୨ ତାରିଖ ଯାଏ  ଚାଲିବାକୁ ଥିବା ଏହି ଅଧିବେଶନରେ କେନ୍ଦ୍ର ସରକାର ୨୪ଟି ବିଧେୟକ  ଆଗତ କରିବାକୁ ଯୋଜନା କରିଛନ୍ତି। ମୁଖ୍ୟତଃ କ୍ୟାଣ୍ଟନମେଣ୍ଟ ବିଲ୍ ଓ ବହୁ  ରାଜ୍ୟ ସମବାୟ ସମିତି ବିଲ୍ ଆଗତ କରିବାକୁ ସରକାର ଯୋଜନା କରିଛନ୍ତି। ଏହା ବ୍ୟତୀତ ଛତିଶଗଡ଼ ଓ ତାମିଲନାଡୁ ପାଇଁ ୨ଟି ସ୍ୱତନ୍ତ୍ର ବିଲ୍ ରହିଛି । ତଫସିଲଭୁକ୍ତ ଜାତି ଓ ଜନଜାତିରେ ଆଉ କିଛି ଜାତିକୁ ସାମିଲ କରିବା ପାଇଁ  ସମ୍ବିଧାନ ସଂଶୋଧନ ବିଧେୟକ ସଂସଦରେ ଉପସ୍ଥାପନ କରାଯିବ । ଏସବୁ  ବାଦେ କଫି ବିଲ୍, ଏସ୍ଇଜେଡ୍ ଆକ୍ଟ-୨୦୦୫, ଜିଆଇ ଟ୍ୟାଗ୍ ବିଲ୍ ଭଳି  କେତୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ସଂସଦରେ ଉପସ୍ଥାପନ କରିବାକୁ ସରକାର ଲକ୍ଷ୍ୟ  ରଖିଛନ୍ତି । ତେବେ ନୂଆ ବିଲ୍ ବ୍ୟତୀତ ଆଉ ପ୍ରାୟ ୮ଟି ବିଧେୟକ ସଂସଦର  ଦୁଇ ସଦନରେ ପଡ଼ି ରହିଛି ।

ନୂଆ ବିଲ୍ ଆଗତ ଓ ପୁରୁଣା ବିଲ୍ ଉପରେ ଆଲୋଚନା ବ୍ୟତୀତ  ସଂସଦର ମୌସୁମୀ ଅଧିବେଶନରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ର ରହିଛି । ମୌସୁମୀ ଅଧିବେଶନ ଭିତରେ ହିଁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି  ନିର୍ବାଚନ ସମାପନ ହେବ।  ଆସନ୍ତାକାଲି ଅଧିବେଶନର ପ୍ରଥମ ଦିନରେ  ରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟ୍ ଗ୍ରହଣ ହେବ । ସାଂସଦମାନେ ନିଜ ନିଜ  ବୁଥରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ । ଜୁଲାଇ ୨୧ରେ ହେବ ଗଣତି। ମୌସୁମୀ ଅଧିବେଶନ ପୂର୍ବରୁ ବିଜେପି ପକ୍ଷରୁ ଦଳୀୟ ନେତାଙ୍କ ବୈଠକ  ରବିବାର ସକାଳେ ଅନୁଷ୍ଠିତ ହୋଇଯାଇଛି । ପାର୍ଲାମେଣ୍ଟର ପରିସରରେ ଏହି  ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର  ଗୃହମନ୍ତ୍ରୀ ଅମିତ ଶାହ ଏଥିରେ ଯୋଗ ଦେଇଥିଲେ । ବିରୋଧୀଙ୍କୁ ମୁକାବିଲା ଓ  ଆସନ୍ତାକାଲି ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ନେଇ ଏହି ବୈଠକରେ  ଆଲୋଚନା କରାଯାଇଛି ।

ସେପଟେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ମିଳିତ ଭାବେ ଏକ ବୈଠକ  ଅନୁଷ୍ଠିତ ହୋଇଛି । ସଂସଦର ମୌସୁମୀ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ଉଠାଇ  ସରକାରଙ୍କଠାରୁ ଜବାବ ଆଦାୟ କରିବା ଲାଗି ଏହି ବୈଠକରେ ଆଲୋଚନା  କରାଯାଇଛି । ତେବେ ମିଳିତ ବିରୋଧୀ ଦଳ ବୈଠକକୁ ତେଲେଙ୍ଗାନା ରାଷ୍ଟ୍ର  ସମିତିକୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ମୁଖ୍ୟତଃ ଅଗ୍ନିପଥ ଭଳି ପ୍ରସଙ୍ଗକୁ ନେଇ  ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧି।  ମୌସୁମୀ ଅଧିବେଶନରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି,  ମୁଦ୍ରାସ୍ଫୀତି, ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର  ଅବମୂଲ୍ୟାୟନ, ତୈଳ ଦର ବୃଦ୍ଧି ପ୍ରସଙ୍ଗ ଉତଥାପନ କରାଯିବ ବୋଲି  କୁହାଯାଇଛି।  ସେହିପରି ବେରୋଜଗାରୀ ଉପରେ ମଧ୍ୟ ସରକାରଙ୍କ ଜବାବ  ଚାହିଁବ କଂଗ୍ରେସ।  ଏହାଛଡ଼ା ଲଦାଖରେ ଚୀନ୍‌ର ଅନୁପ୍ରବେଶ ଉଦ୍ୟମକୁ  କଂଗ୍ରେସ ପ୍ରସଙ୍ଗ କରିପାରେ।  ସେହିପରି ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର  ଅପବ୍ୟବହାର ଉପରେ ଦଳ ସରକାରଙ୍କୁ ଘେରିପାରେ ।

Leave A Reply

Your email address will not be published.