ବିଜେପିରେ ସାମିଲ ହେଲେ ମିଥୁନ୍‌ ଦା’

କୋଲକାତା, ୦୭/୦୩: ପଦ୍ମ ଧରିଲେ ସିନେ ତାରକା ମିଥୁନ ଚକ୍ରବର୍ତ୍ତୀ। କୋଲକାତାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ରିଗେଡ ଗ୍ରାଉଣ୍ଡ ରାଲିରେ ଯୋଗ ଦେଇ ସେ ବିଜେପିରେ ସାମିଲ ହୋଇଛନ୍ତି। ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ମିଥୁନ। ତେବେ ପ୍ରଧାନମନ୍ତ୍ରୀ ମୋଦି ଆଉ କିଛି ସମୟ ମଧ୍ୟରେ ବ୍ରିଗେଡ ଗ୍ରାଉଣ୍ଡ ମଞ୍ଚରେ ପହଞ୍ଚିବେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନୀ ମାହୋଲ ଏବେ ବେଶ୍ ସରଗରମ ରହିଛି। ଟିଏମ୍‌ସି ୨୯୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ବିଜେପି ୫୭ଟି ଆସନରେ ଟିକେଟ ଘୋଷଣା କରିଛି। ଟିଏମସି ତାର ପ୍ରାର୍ଥୀ ତାଲିକାରେ ସିନେ ତାରକାଙ୍କୁ ପ୍ରାଧାନ୍ୟ ଦେଇଥିବା ବେଳେ ଆଜି ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ଯୋଗ ଦେଇଛନ୍ତି। ତେବେ ସିନେ ତାରକା ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହେବେ ବୋଲି ପୂର୍ବରୁ କଳ୍ପନା ଜଳ୍ପନା ହେଉଥିଲା। ଗତକାଲି ବିଳମ୍ବିତ ରାତିରେ ବିଜେପି ନେତା କୈଳାଶ ବିଜୟବର୍ଗୀୟ ବେଲଗଛିଆରେ ପହଞ୍ଚି ମିଥୁନ ଚକ୍ରବର୍ତ୍ତୀଙ୍କ ସହ ସାକ୍ଷାତ କରିଥିଲେ। ଏହାପରେ ସେ ଏନେଇ ଟୁଇଟ୍ କରିଥିଲେ। ଯାହାପରେ ମିଥୁନ ପଦ୍ମ ଧରିବା ନେଇ ଆଲୋଚନା ପର୍ଯ୍ୟାଲୋଚନା ଜୋର ଧରିଥିଲା।

Comments are closed.