ଟୋକିଓ, ୭।୮: ଗୋଟିଏ ଦିନରେ ଭାରତକୁ ମିଳିଛି ଦୁଇ ଦୁଇଟି ମେଡାଲ। ଟୋକିଓରେ ଇତିହାସ ରଚିଛନ୍ତି ଭାରତୀୟ ଖେଳାଳି ନୀରଜ ଚୋପ୍ରା। ଜାଭେଲିନରେ ଜିତିଲେ ସ୍ବର୍ଣ୍ଣ ପଦକ। ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ଜାଭେଲିନରେ ପଦକ ଜିତିଛନ୍ତି ନୀରଜ। ଏଥିସହିତ ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ଆଥଲେଟିକ୍ସ ବିଭାଗରେ ପଦକ ଜିତିଛି ଭାରତ। ଆଥଲେଟିକ୍ସରେ ପଦକ ମରୁଡ଼ିର ଅବସାନ ଘଟାଇଛନ୍ତି ହରିଆଣାର ପାନିପତ ନିକଟସ୍ଥ ଖାଣ୍ଡ୍ରା ଗାଁର ଚାଷୀ ପରିବାରର ପୁଅ ନୀରଜ। ଏଥିସହିତ ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି।
ଫାଇନାଲ ମୁକାବିଲାର ପ୍ରଥମ ପ୍ରୟାସରେ ନୀରଜ ୮୭.୦୩ ମିଟର ଥ୍ରୋ କରି ଦମଦାର ଆରମ୍ଭ କରିଥିଲେ। ସେହିପରି ଦ୍ବିତୀୟ ପ୍ରୟାସରେ ୮୭.୫୮ ମିଟର ଫିଙ୍ଗି ଥିଲେ। ଏହାପରେ ତୃତୀୟ ପ୍ରୟାସରେ ନୀରଜ ୭୬.୭୯ ମିଟର ହିଁ ଥ୍ରୋ କରିପାରିଥିଲେ। ହେଲେ ସେ ପ୍ରଥମ ସ୍ଥାନରେ ରହିବା ସହ ସ୍ବର୍ଣ୍ଣ ପଦକ ଜିତି ଟୋକିଓରେ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା। ଡେବ୍ୟୁ ଅଲିମ୍ପିକ୍ସରେ କମାଲ କରିଛନ୍ତି ୨୩ ବର୍ଷିୟ ନୀରଜ।
ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ନୀରଜ ୮୬.୬୫ ମିଟର ଥ୍ରୋ କରି ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲେ। ସବୁଠୁ ବଡ଼ କଥା ହେଲା ଏହାପୂର୍ବରୁ ଭାରତ ଅଲିମ୍ପିକ୍ସର ଆଥଲେଟିକ୍ସ ବିଭାଗରେ ପଦକ କେବେ ଜିତି ନଥିଲା। ୧୯୨୦ରେ ଭାରତ ପ୍ରଥମ ଥର ବେଲ୍ଜିୟମରେ ଆୟୋଜିତ ଅଲିମ୍ପିକ୍ସରେ ଭାଗ ନେଇଥିଲା। ୫ ଜଣିଆ ଦଳରେ ଟ୍ରାକ୍ ଓ ଫିଲ୍ଡରେ ୩ ଓ କୁସ୍ତିରେ ୨ ଜଣ ଖେଳିଥିଲେ। ହେଲେ ସେହି ଦିନଠୁ ଏପର୍ଯ୍ୟନ୍ତ ଟ୍ରାକ୍ ଓ ଫିଲ୍ଡରେ ଭାରତର ପଦକ ଖାତା ଖାଲି ରହିଥିଲା। ତେବେ ୧୯୦୦ ପ୍ୟାରିସ ଅଲିମ୍ପିକ୍ସରେ ନର୍ମାନ ପିଚାର୍ଡ୍ସ ଦୁଇଟି ରୌପ୍ୟ (୨୦୦ ମିଟର ଦୌଡ଼ ଓ ବାଧାଦୌଡ଼) ପଦକ ଜିତିଥିଲେ। କିନ୍ତୁ ଅନ୍ତର୍ଜାତୀୟ ଦୌଡ଼କୁଦ ମହାସଂଘ (ଆଇଏଏଏଫ୍) ତାଙ୍କ ପଦକକୁ ଭାରତର ବୋଲି ସ୍ବୀକାର କରିନି। ତେବେ କିଂବଦନ୍ତି ଧାବକ ମିଲ୍ଖା ସିଂହ (୧୯୬୪) ଏବଂ ପିଟି ଉଷା (୧୯୮୪) ପଦକ ନିକଟତର ହୋଇଥିଲେ ମଧ୍ୟ ପୋଡିୟମରେ ଠିଆ ହେବାର ଗୌରବ ପାଇନଥିଲେ।
୧୯୯୭ ଡିସେମ୍ବର ୨୪ରେ ନୀରଜ ଏକ ଚାଷୀ ପରିବାରରେ ହୋଇଥିଲା। ସେ ଚଣ୍ଡିଗଡରେ ଡିଏଭି କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ୨୦୧୬ରେ ପୋଲାଣ୍ଡରେ ହୋଇଥିବା ଆଇଏଏଏଫ ଚାମ୍ପିଅନଶିପରେ ୮୬.୪୮ ମିଟର ଦୂର ଫିଙ୍ଗି ନୀରଜ ପ୍ରଥମ ସ୍ଵର୍ଣ୍ଣ ପଦକ ଜିତିଥିଲେ। ଏହି ପ୍ରଦର୍ଶନ ପରେ ତାଙ୍କୁ ସେନାରେ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା।
Comments are closed.