ବଦଳିଲା ଯୁକ୍ତ ୨ ପରୀକ୍ଷା ନୀତି

୨ ବର୍ଷରେ ୬ ଇଣ୍ଟରନାଲ ଓ ୨ ବାର୍ଷିକ ପରୀକ୍ଷା

0

ଭୁବନେଶ୍ବର, ୨।୧୦: ଯୁକ୍ତ ଦୁଇରେ ଲାଗୁ ହେଲା ନୂଆ ପରୀକ୍ଷା ନୀତି। ୨ ବର୍ଷରେ ୬ଟି ଇଣ୍ଟରନାଲ୍‌ ପରୀକ୍ଷା ସହ ହେବ ଦୁଇଟି ବାର୍ଷିକ ପରୀକ୍ଷା। ମହାବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ପରଫର୍ମାନ୍ସ ରେକର୍ଡ ସଂଗ୍ରହ ହେବ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏହି ପରୀକ୍ଷା ସଂସ୍କାର ନୀତିରେ ଆଜି ବାଜିଛି ରାଜ୍ୟ ସରକାରଙ୍କ ମୋହନ।

ଦୁଇ ବର୍ଷ ମଧ୍ୟରେ ହେବ ୬ଟି ଇଣ୍ଟରନାଲ୍‌ ଓ ଦୁଇଟି ବାର୍ଷିକ ପରୀକ୍ଷା। ତିନି ମାସକୁ ଥରେ ହେବ ୨୦ ମାର୍କ ବିଶିଷ୍ଟ ଇଣ୍ଟରନାଲ୍ ପରୀକ୍ଷା। ଏହି ପରୀକ୍ଷାରେ କିପରି ପ୍ରଶ୍ନ ଆସିବ? ତାହା ମଧ୍ୟ ସ୍ପଷ୍ଟ କରାଯାଇଛି। ୬ଟି ୧ ମାର୍କ ବିଶିଷ୍ଟ ପ୍ରଶ୍ନ ଅତି ସଂକ୍ଷିପ୍ତରେ ଆସିବ। ସେହିପରି ୨ ମାର୍କ ବିଶିଷ୍ଟ ସଂକ୍ଷିପ୍ତ ପ୍ରଶ୍ନ ୪ଟି ରହିବ। ଯେଉଁଥିରୁ ପରୀକ୍ଷାର୍ଥୀ ତିନିଟିର ଉତ୍ତର ଦେବେ। ୪ ମାର୍କ ବିଶିଷ୍ଟ ୩ଟି ପ୍ରଶ୍ନରୁ ୨ଟିର ଉତ୍ତର ରଖିବେ ପରୀକ୍ଷାର୍ଥୀ। ପ୍ରଶ୍ନ ପଢି ବୁଝିବା ଲାଗି ଅତିରିକ୍ତ ୫ ମିନିଟ୍‌ ସମୟ ଦିଆଯିବ। ମୋଟ୍‌ ୪୫ ମିନିଟ୍‌ର ପରୀକ୍ଷା ହେବ। ଏହି ପଦ୍ଧତିରେ ପରୀକ୍ଷା କରାଇବାକୁ ମହାବିଦ୍ୟାଳୟ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ମାଧ୍ୟମିକ ପରିଷଦ। ଏହାସହ ପ୍ରଥମ ବର୍ଷର ବାର୍ଷିକ ପରୀକ୍ଷା ମଧ୍ୟ କଲେଜ ସ୍ତରରେ ହେବ।

ସିଏଚ୍ଏସ୍ଇ କେବଳ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପରିଚାଳନା କରିବ। କଲେଜ ସ୍ତରରେ ହେଉଥିବା ପରୀକ୍ଷା ଫଳକୁ ଅନ୍‌ଲାଇନ ଜରିଆରେ ସିଏଚ୍‌ଏସ୍‌ଇକୁ ପଠେଇବେ। ଯାହାକୁ କି’ ରେକର୍ଡ ଭାବେ ରଖାଯିବ। ଭବିଷ୍ୟତରେ ମହାମାରୀ ପରିସ୍ଥିତିରେ ପରୀକ୍ଷା ବାତିଲ ହେଲେ, ଏସବୁ ପରୀକ୍ଷା ଆଧାରରେ ମାର୍କ ଦିଆଯିବ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏପରି ପରୀକ୍ଷା ସଂସ୍କାର ନୀତିକୁ ଆଜି ରାଜ୍ୟ ସରକାର ମୋହନ ମାରିଛନ୍ତି। ଅର୍ଥାତ ଚଳିତ ବର୍ଷଠାରୁ ଏହି ଢାଞ୍ଚାରେ ପରୀକ୍ଷା ହେବ।

ପ୍ରଥମ ବର୍ଷର କୋର୍ସ ଦ୍ୱିତୀୟ ବର୍ଷରେ ଆସିବ ନାହିଁ। ସେହିପରି ଗତବର୍ଷ ଭଳି ଏବର୍ଷ ମଧ୍ୟ ୩୦ ପ୍ରତିଶତ କମ ସିଲାବସ୍‌ରେ ଶିକ୍ଷାଦାନ ହେବ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏପରି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଇଣ୍ଟରନାଲ୍‌ ପରୀକ୍ଷାରେ ଘରୋଇ କଲେଜ ଗୁଡ଼ିକ ପିଲାଙ୍କୁ ଅଧିକ ମାର୍କ ଦେଇଥାନ୍ତି ବୋଲି ପିଲାଙ୍କ ମତ। ଏଥିରେ କିପରି ସ୍ୱଚ୍ଛତା ବଜାୟ ରହିବ, ସେଥିପ୍ରତି କଡ଼ା ପଦକ୍ଷେପ ନେବାକୁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି।

Leave A Reply

Your email address will not be published.