ପ୍ରକାଶ ପାଇଲା ଓଏଫ୍ଏସ୍ ପରୀକ୍ଷା ଫଳ, ଶ୍ରେଷ୍ଠ ୮ରେ ୬ ଝିଅ

ଭୁବନେଶ୍ବର, ୧୭।୯: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ଫରେଷ୍ଟ ସର୍ଭିସ(ଓଏଫ୍‌ଏସ୍‌) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଆୟୋଗଙ୍କ ଦ୍ୱାରା ମୋଟ ୬୭ ଜଣ ସଫଳ ପରୀକ୍ଷାର୍ଥୀଙ୍କ ନାମ ରାଜ୍ୟ ସରକାରଙ୍କୁ ସୁପାରିସ୍ କରାଯାଇଥିବା ବେଳେ ଶ୍ରେଷ୍ଠ ୮ ଜଣଙ୍କ ମଧ୍ୟରେ ୬ ଜଣ ଝିଅ ରହିଛନ୍ତି। ଓଏଫ୍‌ଏସ୍‌ ପରୀକ୍ଷାରେ ଆୟୁଷୀ ପତି ଟପ୍ପର ହୋଇଥିବା ବେଳେ ମନସ୍ମିତା ମହାରଣା, ବିବେକ ଦାସ, ଲକ୍ଷ୍ମୀପ୍ରିୟା ଉପାଧ୍ୟାୟ, ମାନସ ରଞ୍ଜନ ବେହେରା, ଐଶ୍ୱର୍ଯ୍ୟା ରାଉତରାୟ, ସସ୍ମିତା ବିଶ୍ୱାଳ ଓ ସାଇନଶ୍ରୀ ଦାଶ ଯଥାକ୍ରମେ ୨ରୁ ୮ ନମ୍ବର ମଧ୍ୟରେ ରହିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ଫରେଷ୍ଟ ସର୍ଭିସ ପରୀକ୍ଷା-୨୦୧୯ ଫଳ ଆଜି ପ୍ରକାଶ ପାଇଛି। ଏହି ପରୀକ୍ଷା ନିମନ୍ତେ ୧୨୯୦୪ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ ଲିଖିତ ପରୀକ୍ଷାରେ ୨୭୧୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। କୋଭିଡ୍ ମହାମାରୀ ଯୋଗୁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା। ଓପିଏସ୍‌ସିଙ୍କ ଦ୍ୱାରା ସୁପାରିସ୍ କରାଯାଇଥିବା ସଫଳ ପରୀକ୍ଷାର୍ଥୀମାନେ ରାଜ୍ୟ ସରକାରଙ୍କର ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ଥିବା ଆସିଷ୍ଟାଣ୍ଟ ଫରେଷ୍ଟ କଞ୍ଜେରଭେଟର(ଏସିଏଫ) ଓ ଫରେଷ୍ଟ ରେଞ୍ଜର ଭାବେ କାର୍ଯ୍ୟ କରିବେ।

Comments are closed.