ଭୁବନେଶ୍ବର, ୩୦/୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗତ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା ମହାକୁମ୍ଭ ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ପରିଚାଳିତ ସରକାରୀ ବସ୍ ସେବା ବାତିଲ କରାଯାଇଛି। ଓଡ଼ିଶା ରାଜ୍ୟ ସଡ଼କ ଓ ପରିବନ ନିଗମ (ଓଏଏସ୍ଆରଟିସି) ପକ୍ଷରୁ ସ୍ବତନ୍ତ୍ର ବସ୍ ବାତିଲ୍ ହୋଇଛି। ଫଳରେ ଆସନ୍ତା ଫେବ୍ରୁଆରି ୪ ତାରିଖ ଯାଏଁ ଓଏଏସ୍ଆାରଟିସିର ସ୍ବତନ୍ତ୍ର ବସ୍ ବାତିଲ୍ କରାଯାଇଛି।
ରାଜ୍ୟ ସରକାର କହିଛନ୍ତି ଯେ, ପ୍ରୟାଗରାଜରେ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଏଏସ୍ଆରଟିସିର ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ କୁମ୍ଭମେଳା ଯିବା ପାଇଁ ଆଗୁଆ ଟିକେଟ୍ କରିଥିଲେ ସେହି ଲୋକମାନେ ଟଙ୍କା ଫେରସ୍ତ ପାଇଁ ମୋବାଇଲ ନମ୍ବର (୯୯୩୭୫୪୭୭୭୩)କୁ ଯୋଗାଯୋଗ କରନ୍ତୁ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୧୨ ତାରିଖ ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାକୁମ୍ଭ ଉପଲକ୍ଷେ ସ୍ଵତନ୍ତ୍ର ବସ ସେବା ଚଳାଚଳର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବସ୍ ସେବା କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ନୂଆ ବସ୍ଷ୍ଟାଣ୍ଡରୁ ହୋଇଥିଲା। ଏହା ପରେ ଓଏଏସ୍ଆରଟିସିର ସ୍ବତନ୍ତ୍ର ବସ୍ ବ୍ରହ୍ମପୁରରୁ ପ୍ରୟାଗରାଜ ଅଭିମୁଖେ ଗଡ଼ିଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଗଞ୍ଜାମ ଜିଲ୍ଲାପାଳ ଓ ଅନ୍ୟ ଅତିଥିବୃନ୍ଦ ଉପସ୍ଥିତ ଥିଲେ। ଓଏସ୍ଆରଟିସିର ସମ୍ବଲପୁରରୁ ଅଯୋଧ୍ୟାକୁ ସଂଯୋଗ କରୁଥିବା ସ୍ବତନ୍ତ୍ର ବସ୍ ସେବା ଆରମ୍ଭ ହୋଇଥିଲା।
ଓଡ଼ିଶାରୁ ଅଯୋଧ୍ୟାକୁ ମହାକୁମ୍ଭ ମେଳାର ଆଧ୍ୟାତ୍ମିକ ଯାତ୍ରା ପାଇଁ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଓଏସ୍ଆରଟିସି ପକ୍ଷରୁ ବସ୍ ଯାତ୍ରା ସମୟରେ ଖାଦ୍ୟ ଓ ପାନୀୟ ବିତରଣ କରାଯାଉଛି। ଓଏସ୍ଆରଟିସି ଆପଣଙ୍କ ଯାତ୍ରାକୁ ନିରାପଦ, ସୁବିଧାଜନକ ଏବଂ ଆନନ୍ଦମୟ କରିବାରେ ସଦା ପ୍ରତିବଦ୍ଧ।
ସୂଚନାଯୋଗ୍ୟ, ପ୍ରୟାଗରରାଜର ତ୍ରିବେଣୀ ସଂଗମରେ ବୁଧବାର ଦିନ ମୌନୀ ଅମାବାସ୍ୟା ଅବସରରେ କୋଟିକୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ। ଏହା ପୂର୍ବରୁ ମଙ୍ଗଳବାର-ବୁଧବାର ରାତିରେ ବଡ଼ଧରଣର ଅଘଟଣ ଘଟିଥିଲା। ଦଳାଚକଟା କାରଣରୁ ୩୦ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିଲା। ୫୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ। ଏହି ଅପ୍ରୀତିକର ଅଘଟଣ ପରେ ସେଠାରେ ଅନେକ କଟକଣା ଲାଗୁ ହୋଇଛି।