ରାଜ୍ୟ ବାହାରକୁ କିମ୍ବା ବିଦେଶ ଗସ୍ତରେ ଯିବାକୁ ଥିବ ସରକାରୀ ଅଧିକାରୀଙ୍କ ପାଇଁ କଡ଼ା ନିୟମ

୨୧ ଦିନ ପୂର୍ବରୁ ଛୁଟି ଆବେଦନ ସହ ସଦର ମହକୁମା ଛାଡ଼ିବାକୁ ନେବାକୁ ପଡ଼ିବ ପୂର୍ବାନୁମତି

ଭୁବନେଶ୍ୱର, ୨୪/୭: ବ୍ୟକ୍ତିଗତ କାରଣରେ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯାତ୍ରା କରୁଥିବା ସରକାରୀ କର୍ମଚାରୀ/ଅଧିକାରୀଙ୍କ ପାଇଁ ଅର୍ଥ ବିଭାଗ କଡ଼ା ନିୟମ ଜାରି କରିଛି। ଏଣିକି ଓଡ଼ିଶା ବାହାରକୁ କିମ୍ବା ବିଦେଶ ଗସ୍ତ ପୂର୍ବରୁ ସମ୍ପୃକ୍ତ କର୍ମଚାରୀଙ୍କୁ ଅତି କମ୍‌ରେ ୨୧ ଦିନ ପୂର୍ବରୁ ଛୁଟି ପାଇଁ ଆବେଦନ କରିବାକୁ ହେବ। ଏହା ସହ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠାରୁ ଛୁଟି ମଞ୍ଜୁର କରାଇବା ସହ ସଦର ମହକୁମା (ହେଡ୍‌କ୍ୱାର୍ଟର୍ସ) ଛାଡ଼ିବା ପାଇଁ ପୂର୍ବାନୁମତି ନେବା ବାଧ୍ୟତାମୂଳକ ହେବ। କେବଳ ଜରୁରୀ ପରିସ୍ଥିତିରେ ଏହି ସମୟସୀମାରୁ ବ୍ୟତିକ୍ରମ କରାଯାଇପାରିବ।
ଅର୍ଥ ବିଭାଗର ଅତିରିକ୍ତ ସଚିବ ତଥା establishment officer ସାଗରିକା ହୋତାଙ୍କ ପକ୍ଷରୁ ଓଡ଼ିଶା ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲ୍‌, ବାଣିଜ୍ୟିକ କର ଓ ଜିଏସ୍‌ଟି କମିଶନର, ଏମ୍‌ଡିଆର୍‌ଏଫ୍‌ଏମ୍‌, ଆକାଉଣ୍ଟସ୍‌ କଣ୍ଟ୍ରୋଲର, ଲୋକାଲ୍‌ ଫଣ୍ଡ ଅଡିଟ୍‌, ଟ୍ରେଜେରୀ ଓ ଇନ୍ସପେକ୍ସନ୍‌ ନିର୍ଦ୍ଦେଶକଙ୍କ ସମେତ ଅର୍ଥ ବିଭାଗ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟକୁ ଏହି ନିର୍ଦ୍ଦେଶ ପଠାଯାଇଛି।
ପତ୍ରରେ ଦର୍ଶାଯାଇଛି ଯେ, ଓଡ଼ିଶା ସର୍ଭିସ କୋଡ୍‌ ଏବଂ ସାଧାରଣ ପ୍ରଶାସନ ବିଭାଗର ପୂର୍ବ ନିର୍ଦ୍ଦେଶ ଅନୁଯାୟୀ, କାଜୁଆଲ୍‌ ଲିଭ୍‌ ବ୍ୟତୀତ ଅନ୍ୟ କୌଣସି ଛୁଟିରେ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯିବା ପୂର୍ବରୁ ସକ୍ଷମ କର୍ତ୍ତୃପକ୍ଷଙ୍କଠାରୁ ଛୁଟି ମଞ୍ଜୁର କରାଇବା ସହ ସଦର ମହକୁମା ଛାଡ଼ିବା ପାଇଁ ପୂର୍ବାନୁମତି ନେବା ଆବଶ୍ୟକ। ମାତ୍ର ନିକଟ ଅତୀତରେ ଏହା ଲକ୍ଷ୍ୟ କରାଯାଇଛି ଯେ, ଅନେକ ଅଧିକାରୀ ଓ କର୍ମଚାରୀ ଏହି ନିୟମକୁ ଅବହେଳା କରି ପୂର୍ବାନୁମତି ବିନା ଯାତ୍ରା କରୁଛନ୍ତି କିମ୍ବା ଯାତ୍ରାର ଅଳ୍ପ କିଛି ଦିନ ପୂର୍ବରୁ ଛୁଟି ଓ ଅନୁମତି ପାଇଁ ଆବେଦନ କରୁଛନ୍ତି। ଫଳରେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରେ ସମୟମଧ୍ୟରେ ଛୁଟି ମଞ୍ଜୁର କରିବା ଓ ଅନୁମତି ପ୍ରଦାନ କରିବା ସମ୍ଭବ ହେଉନାହିଁ।
ଏହି ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ ଅର୍ଥ ବିଭାଗ ସମସ୍ତ ବିଭାଗୀୟ ମୁଖ୍ୟ ଓ ଅଧୀନସ୍ଥ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଛି ଯେ, ସେମାନେ ନିଜ ଅଧୀନରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ନିୟମ ସମ୍ପର୍କରେ ଅବଗତ କରାଇବେ। ବ୍ୟକ୍ତିଗତ କାରଣରେ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯିବାକୁ ଚାହୁଁଥିବା କର୍ମଚାରୀମାନେ ଅତି କମ୍‌ରେ ୨୧ ଦିନ ପୂର୍ବରୁ ଛୁଟି ପାଇଁ ଆବେଦନ କରିବା ସହ ସଦର ମହକୁମା ଛାଡ଼ିବାକୁ ମଧ୍ୟ ପୂର୍ବାନୁମତି ନେବାକୁ ପଡ଼ିବ।
ଅର୍ଥ ବିଭାଗ ସ୍ପଷ୍ଟ କରିଛି ଯେ, କୌଣସି କର୍ମଚାରୀ ଛୁଟିରେ ଯିବା ପୂର୍ବରୁ ତାଙ୍କ ଛୁଟି ମଞ୍ଜୁର ହେବା ସହ ସଦର ମହକୁମା ଛାଡ଼ିବା ପାଇଁ ଅନୁମତି ମଧ୍ୟ ମିଳିବା ଆବଶ୍ୟକ। ଏହି ନିର୍ଦ୍ଦେଶ ମାଧ୍ୟମରେ ସରକାରୀ କାର୍ଯ୍ୟାଳୟରେ ପ୍ରଶାସନିକ ଶୃଙ୍ଖଳା ସୁଦୃଢ଼ କରିବା ସହ ଛୁଟି ପରିଚାଳନା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବାକୁ ଅର୍ଥ ବିଭାଗ ପଦକ୍ଷେପ ନେଇଥିବା ଜଣାପଡ଼ିଛି।

Comments are closed.