କଟକ, ୨୭/୨: ଜନ୍ମଦାତ୍ରୀ ମା’ଙ୍କୁ ଶିଶୁକନ୍ୟାକୁ ଭେଟିବାକୁ ଦିଆଯାଉ ନଥିବା ଅଭିଯୋଗ ନେଇ ଫିଲିପାଇନ୍ସର ଜଣେ ନାଗରିକ ଦାୟର କରିଥିବା ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଶିଶୁର ଜିମା ହସ୍ତାନ୍ତର ପ୍ରସଂଗ ନେଇ ଦାୟର ହେବିୟସ କର୍ପସ ପିଟିସର ହାଇକୋର୍ଟ ଶୁଣାଣି କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ଶିଶୁର ସ୍ଥିତି ନେଇ ଯାଜପୁର ଏସପିଙ୍କ ନିକଟରୁ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି। ଶିଶୁର ସ୍ଥିତି ଓ କଲ୍ୟାଣ ପ୍ରସଂଗ ନେଇ ଯାଜପୁର ଏସପିଙ୍କ ଲିଖିତ ତଥ୍ୟ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମାମଲାରେ ଶିଶୁର ବାପା, ଜେଜେ ଓ ଜେଜେ ମା’ଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି।
ଜଷ୍ଟିସ ମାନସ ରଞ୍ଜନ ପାଠକ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଫିଲିପାଇନ୍ସର ଜଣେ ମହିଳାଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାର୍ଚ୍ଚ ୨୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ଫିଲିପାଇନ୍ସର ନାଗରିକ ହୋଇଥିବା ବେଳେ ବର୍ତ୍ତମାନ ଭିଏତନାମର ହାନୋଇରେ ଏକ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି। ସେ ଭାରତରେ ରହୁଥିବା ବେଳେ ଶିଶୁ କନ୍ୟାକୁ ୨୦୨୩, ନଭେମ୍ବର ମାସରେ ଜନ୍ମ ଦେଇଥିଲେ। ପରବର୍ତ୍ତୀ ସମୟରେ ଭିସା ସମ୍ବନ୍ଧୀୟ କେତେକ ପ୍ରତିବନ୍ଧକ ପାଇଁ ସାମୟିକ ଭାବେ ସେ ଭାରତ ଛାଡ଼ି ଯିବାକୁ ବାଧ୍ୟ ହୋଇଥିଲେ।
ଶିଶୁ କନ୍ୟାକୁ ତାର ବାପାଙ୍କ ନିକଟରେ ସେ ଛାଡ଼ି ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏପରି ସୁଯୋଗର ଦୁରୁପଯୋଗ କରି ପ୍ରତିପକ୍ଷମାନେ ଶିଶୁ କନ୍ୟାକୁ ତାଙ୍କ ନିକଟରୁ ଦୂରେଇ ରଖିଛନ୍ତି। ଭାରତ ଆସବା ପରେ ତାଙ୍କୁ ଶିଶୁକନ୍ୟାକୁ ଭେଟିବାକୁ ଦିଆଯାଉ ନାହିଁ। ଅବୈଧ ଭାବେ ଶିଶୁ କନ୍ୟାକୁ ପ୍ରତିପକ୍ଷ ରଖିଛନ୍ତି। ଏହା ଦ୍ବାରା ମାତୃସ୍ନେହ ଓ ଉପଯୁକ୍ତ ଦେଖାଶୁଣାରୁ ଶିଶୁ ବଞ୍ଚିତ। ଅଢେଇ ବର୍ଷରୁ କମ ବୟସର ଶିଶୁକନ୍ୟାକୁ ତାର ଜିମା ଜନ୍ମଦାତ୍ରୀ ମା’ଙ୍କୁ ହସ୍ତାନ୍ତର କରାଯିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଶିଶୁକନ୍ୟା ତାଙ୍କୁ ହସ୍ତାନ୍ତର ଦାବି କରି ଆବେଦନକାରୀ ଏହି ମାମଲା ହାଇକୋର୍ଟରେ ଦାୟର କରିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ରଜତ କୁମାର ପଣ୍ଡା, ପି.ପି. ପରିଡା, ଆଦ୍ୟାଶା ଦାସ ଓ ଧନଞ୍ଜୟ ପଣ୍ଡା ମାମଲା ପରିଚାଳନା କରୁଛନ୍ତି।