ପିପିଲି ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ହେଲେ ବିଶ୍ବକେତନ

ଭୁବନେଶ୍ୱର, ୨୪।୪: ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ମନୋନୀତ କରାଯାଇଛଇ। ଅଜିତ୍ ମଙ୍ଗରାଜ କୋଭିଡ୍ ସଂକ୍ରମିତ ହୋଇ ପ୍ରାଣ ହରାଇବା ପରେ ଆଜି କଂଗ୍ରେସ ନିଜର ନୂଆ ପ୍ରାର୍ଥୀ ଭାବେ ବିଶ୍ୱକେଶନଙ୍କ ନାମ ଘୋ‌ଷଣା କରିଛି। ସେ ଆସନ୍ତା ୨୬ ତାରିଖ ସକାଳେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଆଇସିସି ସାଧାରଣ ସମ୍ପାଦକ ମୁକୁଲ ୱାସନିକ ଆଜି ଶ୍ରୀ ମହାପାତ୍ରଙ୍କୁ ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ କରାଯିବା ସମ୍ପର୍କରେ ଗଣମାଧ୍ୟମକୁ ପ୍ରେସ୍ ରିଲିଜ୍ ମାଧ୍ୟମରେ ସୂଚନା ଦେଇଛନ୍ତି।

ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ କଂଗ୍ରେସର ଏକ କମିଟି ଗଠନ ହୋଇ ଶ୍ରୀ ମହାପାତ୍ରଙ୍କ ନାଁ ଉପରେ ଚୂଡ଼ାନ୍ତ ମୋହର ମରା ଯାଇଥିଲା। ପିପିଲିର କିଛି ଆଗଧାଡ଼ିର କଂଗ୍ରେସ କର୍ମୀ ଏବେ ବିଜେଡି ସହ ଗୁପ୍ତ ବୁଝାମଣାରେ ଥିବାରୁ ସେମାନଙ୍କୁ ପ୍ରାର୍ଥୀ ନକରିବା ପାଇଁ ଏହି କମିଟି ନିଷ୍ପତ୍ତି ନେଇଥିଲା। କମିଟି ଗତକାଲି ରାତିରେ ଶ୍ରୀ ମହାପାତ୍ରଙ୍କ ନାଁ ଏଆଇଆସିସିକୁ ପଠାଇଥିଲା। ଶ୍ରୀ ମହାପାତ୍ରଙ୍କ ପ୍ରାର୍ଥୀତ୍ୱକୁ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଅନୁମୋଦନ କରିବା ପରେ ଏଆଇସିସି ପକ୍ଷରୁ ଏନେଇ ଆନୁଷ୍ଠାନିକ ସୂଚନା ଦିଆଯାଇଛି।

ପିସିସି କାର୍ଯ୍ୟକାରୀ ସଭାପତି ତଥା ପ୍ରାର୍ଥୀ ମନୋନୟନ କମିଟି ଅଧ୍ୟକ୍ଷ ପ୍ରଦୀପ ମାଝୀ କହିଛନ୍ତି ଯେ, ଶ୍ରୀ ମହାପାତ୍ର ଏବେ ପୁରୀ ଜିଲ୍ଲା ସେବାଦଳର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବାବେଳେ ସେ ମଧ୍ୟ ପୁରୀ କୋର୍ଟରେ ଓକିଲାତି କରୁଛନ୍ତି। ତୃଣମୂଳସ୍ତରରେ ଦଳର ଜଣେ ଭଲ ସଂଗଠକ ଭାବେ ସେ ଜଣାଶୁଣା ଓ ଦଳ ପ୍ରତି ଆନୁଗତ୍ୟ ରହିଥିବାରୁ ତାଙ୍କୁ ପ୍ରାର୍ଥୀ କରାଯାଇଛି। ଶ୍ରୀ ମହାପାତ୍ର ଆସନ୍ତା ୨୬ ତାରିଖ ସକାଳେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ।

Comments are closed.