ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ, ୧୦ ଥର ହୋଇଥିଲେ ବିଧାୟିକା

0

ଭୁବନେଶ୍ବର, ୧୦/୨ : ଖଲ୍ଲିକୋଟ ରାଣୀ ତଥା କବିସୂର୍ଯ୍ୟନଗର ଓ ଖଲ୍ଲିକୋଟର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାମିଲନାଡୁର ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି।

ସୂଚନାଯୋଗ୍ୟ, ବରିଷ୍ଠ ନେତ୍ରୀ ଭି. ସୁଜ୍ଞାନ କୁମାରୀ ଦେଓ ୧୦ ଥର ବିଧାୟିକା ଭାବେ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରିଛନ୍ତି। ସେ ୧୯୬୧ ମସିହାରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୭୪ ରୁ ୨୦୧୪ ଯାଏଁ ଗଂଜାମ ଜିଲ୍ଲାର ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ।

ଭି ସୁଜ୍ଞାନ କୁମାରୀ ଦେଓ ୧୯୩୭ ମସିହା ଅଗଷ୍ଟ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଧର୍ମପତ୍ନୀ। ମାଡ୍ରାସ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଷ୍ଟାମ୍ପ ସଂଗ୍ରହ, ଇଣ୍ଟରିୟର ଡିଜାଇନ୍‌, କାର ଡ୍ରାଇଭିଂ, ବିଭିନ୍ନ ପ୍ରସଙ୍ଗରେ ଲେଖିବାକୁ ଭଲ ପାଉଥିଲେ। ରାଜନୈତିକ କ୍ୟାରିୟର ଭାରତୀୟ ଜାତୀୟ କଂଗ୍ରେସରୁ ଆରମ୍ଭ କରିଥିଲେ। କଂଗ୍ରେସ ଟିକେଟରେ ସେ ପ୍ରଥମ ଥର ପାଇଁ ଖଲ୍ଲିକୋଟ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୧୯୬୧ରୁ ୨୦୦୯ ପର୍ଯ୍ୟନ୍ତ ସେ ଖଲ୍ଲିକୋଟରୁ ଅଧିକାଂଶ ସମୟ ପର୍ଯ୍ୟନ୍ତ ବିଧାୟିକା ଥିଲେ। ୧୯୬୧ରୁ ୧୯୬୭ପର୍ଯ୍ୟନ୍ତ କଂଗ୍ରେସ, ୧୯୭୪ରୁ ୧୯୭୭ ପର୍ଯ୍ୟନ୍ତ ଉତ୍କଳ କଂଗ୍ରେସ, ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ଜନତା, ୧୯୮୫ରୁ ୧୯୯୦ଜନତା ପାର୍ଟି ୧୯୯୦ରୁ ୨୦୦୦ ପର୍ଯ୍ୟନ୍ତ ଜନତା ଦଳ ଓ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡି ଟିକେଟରେ ବିଧାୟିକା ହୋଇଥିଲେ। ତେବେ ସେ ପ୍ରଥମ ୮ ଥର ଖଲ୍ଲିକୋଟ ଓ ଶେଷ ୨ଥର କବିସୂର୍ଯ୍ୟନଗର ବିଧାନସଭା ଆସନରୁ ବିଧାୟିକା ହୋଇଥିଲେ।

ଭି ସୁଜ୍ଞାନ କୁମାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ବିଷୟରେ ଜାଣିବା ପରେ ଶୁକ୍ରବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ସ୍ବତନ୍ତ୍ର ବିମାନରେ ଚେନ୍ନାଇ ଯାଇ ହସ୍ପିଟାଲରେ ରାଣୀଙ୍କୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଚେନ୍ନାଇ ଯାଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ହସ୍ପିଟାଲର ଡାକ୍ତରୀ ଦଳଙ୍କୁ କହିଥିଲେ। ଏହାସହ ରାଣୀଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରି ରାତିରେ ଭୁବନେଶ୍ବର ଫେରି ଆସିଥିଲେ। ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ରାଣୀଙ୍କ ପୁତୁରା ଡ. ସାକେଥ୍‌ ରାମାରାଓ, ଝିଆରୀ, ଭାଇ, ଭଉଣୀ ଓ ତାଙ୍କ ନିକଟତମ ସୀତାରାମ ପାଣିଗ୍ରାହୀଙ୍କୁ ଭେଟିଥିଲେ।

 

Leave A Reply

Your email address will not be published.