ଭୁବନେଶ୍ୱର, ୬/୧୦: ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ -୨, ଫୁଲନଖରା । ରାଜ୍ୟରେ ପ୍ରଥମ ଥର ପାଇଁ ସମ ହସ୍ପିଟାଲ-୨ରେ ଏଣ୍ଡୋବ୍ରୋଙ୍କିଆଲ୍ ଅଲ୍ଟ୍ରାସାଉଣ୍ଡ (ଇବିୟୁଏସ)- ଗାଇଡେଡ କ୍ରାୟୋବାୟୋପ୍ସି ପ୍ରକ୍ରିୟାରେ ଫୁସ୍ଫୁସ୍ରେ ସୃଷ୍ଟି ହୋଇଥିବା କ୍ଷତ ସ୍ଥାନର ମାଂସ ପରୀକ୍ଷା ପାଇଁ କଢ଼ାଯାଇଛି ।
ଜଣେ ୭୫ ବର୍ଷୀୟା ବୃଦ୍ଧା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ସହ କଫ ଏବଂ ହେମୋପଟାଇସିସ ଭଳି ସମସ୍ୟାରେ ୨ ମାସ ହେବ ପୀଡ଼ିତ ଥିଲେ । ଛାତିରେ ସିଟି ସ୍କାନ୍ ଦ୍ୱାରା ବାମ ପଟ ଫୁସଫୁସରେ ଏକ କ୍ଷତ ଥିବା ଜଣାପଡ଼ିଥିଲା । ଚିରାଚରିତ ବାୟୋପ୍ସି ପ୍ରକ୍ରିୟାରେ ଚିକିତ୍ସାରେ ସମସ୍ୟା ଉପୁଜୁଥିବା ବେଳେ ଏହି ଅତ୍ୟାଧୁନିକ ରାଡିଏଲ୍ ଇବିୟୁଏସ ଏବଂ କ୍ରାୟୋବାୟୋପ୍ସି ଦ୍ୱାରା ଡାକ୍ତରୀ ଟିମ ଉଚ୍ଚମାନର ଟିସ୍ୟୁ ନମୂନା ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ ।
ପରବର୍ତୀ ସମୟରେ ହିଷ୍ଟୋପାଥୋଲଜି ଦ୍ୱାରା ଏହି କ୍ଷତ ଟ୍ୟୁବରକ୍ୟୁଲାର ଥିବାର ଜଣାପଡ଼ିବା ସହ ଉପଯୁକ୍ତ ଚିକିତ୍ସାର ରାସ୍ତା ବାହାରିପାରିଥିଲା ।
ଏହି ପ୍ରକ୍ରିୟାରେ ପଲମୋନାରୀ ମେଡିସିନ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସ୍ୱଦେଶ କୁମାର ମହାନ୍ତି ନେତୃତ୍ୱ ନେଇଥିବା ବେଳେ ତାଙ୍କୁ ଡାକ୍ତର ରଚିତା ମହାନ୍ତି ଏବଂ ଡାକ୍ତର ସୂର୍ଯ୍ୟ ଶଙ୍କର ମେହେର ଓ ଆନେସ୍ଥେସିଆ ବିଭାଗ ପକ୍ଷରୁ ସମସ୍ତ ସହଯୋଗ କରାଯାଇଥିଲା ।
ଏହା କେବଳ ଏକ ଡାକ୍ତରୀ ସଫଳତା ନୁହେଁ ବରଂ ଆନ୍ତର୍ଜାତିକ ପଲମୋନାରୀ ମେଡିସିନ କ୍ଷେତ୍ରରେ ଓଡ଼ିଶା ପାଇଁ ଏକ ବଡ଼ ପଦକ୍ଷେପ ବୋଲି ଡାକ୍ତର ମହାନ୍ତି କହିଛନ୍ତି । ଏହି ପଦ୍ଧତି ଦ୍ୱାରା ଫୁସଫୁସର ଗଭୀରତମ ସ୍ଥାନରେ ଥିବା କ୍ଷତ ନିକଟରେ ପହଂଚିପାରିବା ସହ ଏହାର ନମୂନା ସଂଗ୍ରହ କରିବାରେ ମଧ୍ୟ ସମ୍ଭବ ହୋଇପାରୁଥିବା ଡାକ୍ତର ମହାନ୍ତି କହିଛନ୍ତି ।
ଏହି ସଫଳତା ଦ୍ୱାରା ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ ଫୁସଫୁସ ସମସ୍ୟାର ଚିକିତ୍ସା ନିମନ୍ତେ ଏଭଳି ଉନ୍ନତ ଅତ୍ୟାଧୁନିକ ଚିକିତ୍ସା ଓ ପରୀକ୍ଷଣ ପ୍ରକ୍ରିୟା ଆପଣେଇବାରେ ଭାରତର ହାତଗଣତି କେନ୍ଦ୍ରଗୁଡ଼ିକ ସହ ଯୋଡ଼ି ହୋଇପାରିଥିବା ଡାକ୍ତର ମହାନ୍ତି କହିଛନ୍ତି ।
Comments are closed.