କଲମ୍ବୋ, ୧୨।୫: ଶ୍ରୀଲଙ୍କା ସଙ୍କଟ ଭିତରେ ଦେଶରେ ନିଯୁକ୍ତ ହୋଇଛନ୍ତି ନୂଆ ପ୍ରଧାନମନ୍ତ୍ରୀ। ଘୋର ଆର୍ଥିକ ବିପର୍ଯ୍ୟୟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାରେ ରାନିଲ ବିକ୍ରମସିଂଘେ ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ୨୨୫ ଆସନ ବିଶିଷ୍ଟ ଶ୍ରୀଲଙ୍କା ସଂସଦରେ ରାନିଲ ବିକ୍ରମସିଂଘେଙ୍କ ମାତ୍ର ଜଣେ ସଦସ୍ୟ ଅଛି। ପୂର୍ବରୁ ୪ ଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଥିବା ରାନିଲ ବିକ୍ରମସିଂଘେ ପୁଣି ଥରେ ଏହି ଦ୍ୱୀପରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଓ ରାନିଲଙ୍କ ମଧ୍ୟରେ ଅନୁଷ୍ଠିତ ଏକ ରୁଦ୍ଧଦ୍ୱାର ବୈଠକ ପରେ ତାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ରାନିଲ ପୂର୍ବରୁ ୪ ଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରହିଥିବାରୁ ତାଙ୍କର ଏ କ୍ଷେତ୍ରରେ ଗଭୀର ଅଭିଜ୍ଞତା ରହିଛି । ଗତ ୨୦୧୮ ମସିହାରେ ତତକାଳୀନ ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର କରିଥିଲେ। ତେବେ ଏହି ଘଟଣାର ୨ ମାସ ପରେ ତାଙ୍କୁ ପୁଣି ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ କରାଯାଇଥିଲା। ଶ୍ରୀଲଙ୍କା ସଂସଦରେ ରାନିଲଙ୍କର ମାତ୍ର ଗୋଟିଏ ଆସନ ଥିଲେ ବି ବିରୋଧୀ ଦଳମାନେ ତାଙ୍କୁ ସମର୍ଥନ କରିଛନ୍ତି। ଅନ୍ୟପଟେ ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ କୋର୍ଟ।
ସେ କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡ଼ିପାରିବେ ନାହିଁ। ରାଜପକ୍ଷଙ୍କ ସମେତ ତାଙ୍କ ପୁଅ ନମଲ ରାଜପକ୍ଷ ଓ ଅନ୍ୟ ୧୫ ଜଣଙ୍କ ଉପରେ କୋର୍ଟ ସମାନ କଟକଣା ଲାଗୁ କରିଛନ୍ତି। ଶ୍ରୀଲଙ୍କା ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଓ ପୋଡ଼ାଜଳା ପାଇଁ ରାଜପକ୍ଷଙ୍କୁ ଦାୟୀ କରାଯାଉଛି। ତାଙ୍କ ସମର୍ଥକମାନେ ସରକାରଙ୍କୁ ବିରୋଧ କରୁଥିବା ବିକ୍ଷୋଭକାରୀଙ୍କୁ ଆକ୍ରମଣ କରିବାରୁ ସ୍ଥିତି ଭୟଙ୍କର ହୋଇଥିଲା ବୋଲି ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ ହେବା ପରେ ରନିଲଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଅଭିନନ୍ଦନ ଜଣାଇଛନ୍ତି। ଏହି ସଂକଟ ସମୟରେ ସେ ଦେଶକୁ ଉଦ୍ଧାର କରିବେ ବୋଲି ମହିନ୍ଦା ଆଶା ପ୍ରକାଶ କରିଛନ୍ତି ।
Comments are closed.