ଭୁବନେଶ୍ୱର, ୨୧/୫: ରାଜ୍ୟ ପୂର୍ତ୍ତ ବିଭାଗର ଗୁରୁବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭାଗ ଦ୍ବାରା ପ୍ରାୟୋଜିତ ୫୦କୋଟିରୁ ଊର୍ଦ୍ଧ୍ବ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯାଇଥିଲା।
ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ହଲ୍ରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିଥିଲେ। ବୈଠକରୁ ମିଳିଥିବା ସୂଚନାନୁସାରେ, ପୁରୀ ଐତିହ୍ୟ ପ୍ରକଳ୍ପ, ଏସ୍ସିବିର କ୍ଲିନିକାଲ୍ ଓ ରେସିଡେନ୍ସିଆଲ୍ କମ୍ପ୍ଲେକ୍ସ, ମହିମା ଗାଦି ମନ୍ଦିର ପ୍ରକଳ୍ପ, ବ୍ରାହ୍ମଣୀ ଓ ବୈତରଣୀ, ମହାନଦୀରେ ହାଇଲେବୁଲ୍ ସେତୁ ନିର୍ମାଣ ଆଦିର ଅଗ୍ରଗତି ନେଇ ଆାଲୋଚନା ହୋଇଥିଲା। ଏହିସବୁ କାର୍ଯ୍ୟରେ କୌଣସି ପ୍ରକାର ଅବହେଳାକୁ କେବେହେଲେ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ସତର୍କ କରାଇଥିଲେ। ସରକାରୀ ଅଧିକାରୀଙ୍କ ଦାୟିତ୍ୱହୀନତା କାରଣରୁ ହେଉ କିମ୍ବା ଠିକା ସଂସ୍ଥା ଦ୍ୱାରା ଅଯଥା ବିଳମ୍ବ ହେବା ନେଇ ସମସ୍ତ ଅଭିଯୋଗ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି । ଏହି କ୍ରମରେ ଏସ୍ସିବିର କ୍ଲିନିକାଲ୍ ଓ ରେସିଡେନ୍ସିଆଲ୍ କମ୍ପ୍ଲେକ୍ସ ନିର୍ମାଣ ଦାୟିତ୍ୱ ନେଇଥିବା ଠିକା ସଂସ୍ଥାକୁ କାର୍ଯ୍ୟରେ ବିଳମ୍ବ ପାଇଁ ଚେତାବନୀ ଦିଆଯିବା ସହ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ନହଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି I
ବୈଠକରେ ପୁରୀ ବାସେଳି ସାହି ଧର୍ମଶାଳାର ନିର୍ମାଣ, ଦିଗବାରେଣୀ ଓ ସମଙ୍ଗ ପାର୍କିଂ, ରେଭେନ୍ସା ବାଳିକା ହଷ୍ଟେଲ ନିର୍ମାଣ, ଭୁବନେଶ୍ୱରସ୍ଥିତ ବିଧାୟକ କୋଠା, ଟାଇପ୍-୪, ଟାଇପ୍-୨ ଆବାସିକ କମ୍ପ୍ଲେକ୍ସ, ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ, ସାରଳା ମନ୍ଦିର ଉନ୍ନୟନ ପ୍ରକଳ୍ପ, ମହିମା ମନ୍ଦିର ଉନ୍ନୟନ ପ୍ରକଳ୍ପ, ଯାଜପୁର ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ସମେତ ନିର୍ମାଣ ବିଭାଗ ଅଧୀନରେ ଥିବା ୧୦ଟି ରାସ୍ତା, ୯ଟି ସେତୁ, ୮ଟି ବିଲ୍ଡିଂ ସମେତ ଓବିସିସିର ୨୦ଟି ପ୍ରକଳ୍ପ ନିର୍ମାଣର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା ।
ଏହି ବୈଠକରେ ନିର୍ମାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଅନୁପମ୍ ସାହା, ସ୍ୱତନ୍ତ୍ର ଶାସନ ସଚିବ ଇଂ. ଏଲ୍.କେ. ପାଢ଼ୀ, ଇଆଇସି (ସିଭିଲ୍) ଇଂ ସତ୍ୟବ୍ରତ ବେହେରା, ଇଆଇସି (ଡିଜାଇନ୍, ପ୍ଲାନିଂ, କୋଅର୍ଡିନେସନ୍) ଇଂ ସମୀର ହୋତା, ଇଆଇସି (ରୋଡସ୍) ଇଂ ଧ୍ୟାନଚାନ୍ଦ ନାୟକ, ଉପଦେଷ୍ଟା ଜେ.କେ. ଦାସ, ମୁଖ୍ୟଯନ୍ତ୍ରୀ, ଜାତୀୟ ରାଜପଥ ଇଂ ନାରାୟଣ ପଟେଲ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ ମହାନନ୍ଦ, ଅର୍ଥ ପରାମର୍ଶଦାତା ରତୀକାନ୍ତ ମହାପାତ୍ର, ଯୁଗ୍ମ ଶାସନ ସଚିବ ଦୀପ୍ତିରଞ୍ଜନ ବେହେରାଙ୍କ ସମେତ ବିଭିନ୍ନ ଜୋନ୍ର ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଏବଂ ଠିକା ସଂସ୍ଥାର କାର୍ଯ୍ୟନିର୍ବାହୀମାନେ ଉପସ୍ଥିତ ଥିଲେ ।
Comments are closed.