ଭୁବନେଶ୍ବର, ୨।୭: ରାଗିଂରେ ଅତିଷ୍ଟ ହୋଇ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଛନ୍ତି। ରୁଚିକାଙ୍କ ବାପା କଲେଜ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ବରଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। କଲେଜରେ ସିନିୟର ଛାତ୍ରୀମାନଙ୍କ ରାଗିଂ ଯୋଗୁଁ ଛାତ୍ରୀ ରୁଚିକା ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି। କାରଣ ମୃତ୍ୟୁ ପୂର୍ବରୁ ଛାତ୍ରୀ ରୁଚିକା ସୁଇସାଇଡ ନୋଟ୍ ସାମ୍ନାକୁ ଆସିଛି। ଛାତ୍ରୀ ନିଜେ ସୁଇସାଇଡ ନୋଟ୍ରେ ଆତ୍ମହତ୍ୟାର କାରଣ ଲେଖିଛନ୍ତି।
ରୁଚିକା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୩ ଜଣ ସିନିଅର ଛାତ୍ରୀ ତାଙ୍କୁ ରାଗ ରଖି ମାନସିକ ନିର୍ଯାତନା ଦେଉଥିଲେ। କିନ୍ତୁ ରୁଚିକା ଏ କଥା ବାପା-ମା’ ଅଥବା ନିଜ ରୁମ୍ମେଟକୁ ମଧ୍ୟ କହିପାରି ନଥିଲେ। ତେଣୁ ଶେଷରେ ଜୀବନ ହାରିବା ପାଇଁ ବାଧ୍ୟ ହୋଇଥିଲେ। ବଡ଼ ହୋଇ ସେ କଲେକ୍ଟର ହୋଇଥାନ୍ତେ। ତାଙ୍କ ବାପା-ମା’ଙ୍କ ଲୁହରେ ସେମାନେ ଭାସିଯିବେ ବୋଲି ଉଲ୍ଲେଖ କରିଛନ୍ତି।
ଚିଠିରେ ରୁଚିକା ଆହୁରି ଲେଖିଛନ୍ତି, ମୁଁ ଜୀବନରେ ବହୁତ ଥକି ଗଲିଣି । ମୋ ବାପା, ବୋଉ ମୋତେ ଏତେ କଷ୍ଟ କରି ପାଠ ପଢ଼ାଇଲେ। ଆମ ଘରର ଲୋକଙ୍କର ମୋ ପାଠପଢା ପାଇଁ ଚଳିବା କଷ୍ଟ । ହେଲେ ହଷ୍ଟେଲରେ ମୋ ସିନିୟର ମୋତେ ବହୁତ କଷ୍ଟ ଦେଲେ। ୩ ଜଣ ସିନିୟର ମୋତେ ମାନସିକ ଭାବେ ନିର୍ଯାତନା ଦେଇଛନ୍ତି। ଆଉ ସହି ପାରିଲିନି କି ଘରେ କହି ପାରିଲିନି । ମୋତେ ମୋ ବାପା, ବୋଉ, ଅଜା, ଆଇ, ମାମୁ, ମାଇଁ ମଉସା, ମାଉସୀ ସମସ୍ତେ ବହୁତ ଭଲ ପାଆନ୍ତି । ବହୁତ ଆଶା କରିଥିଲେ କି ମୁଁ କଲେକ୍ଟର ହେବି । ବାପା, ମା ମୋତେ ବହୁତ ପଇସା ଖର୍ଚ୍ଚ କରି ମୋତେ ପାଠ ପଢିବାକୁ ଛାଡିଲେ । ହେଲେ ତାଙ୍କ ପଇସାର କିଛି ମୂଲ୍ୟ ରହିଲା ନାହିଁ। ସୂଚନାଯୋଗ୍ୟ, ବିଜେବି କଲେଜର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତଦେହ ଆଜି ଲେଡିଜ ହଷ୍ଟେଲରୁ ଉଦ୍ଧାର ହୋଇଥିଲା।
Comments are closed.