ରଥ ନିର୍ମାଣ ପାଇଁ ଉତ୍ତର ଘୁମୁସର ବନଖଣ୍ଡରୁ ଗଲା କାଠ
ପୁରୀ, ୨୩/୩: ପୁରୀ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ନିମନ୍ତେ ରଥ ନିର୍ମାଣ ସକାଶେ ଆଜି ଉତ୍ତର ଘୁମୁସର ବନଖଣ୍ଡର ତାରସିଂ ବନାଞ୍ଚଳର ଆମ୍ବଝରା ଜଙ୍ଗଲରୁ କାଠ ସଂଗ୍ରହ କରି ୨ଟି ଟ୍ରକରେ କାଠ ପୁରୀ ପଠାଯାଇଛି।
ପ୍ରଥମ ପର୍ଯ୍ୟାୟରେ ୨୯ଟି ଢଉରା କାଠ ଯାଇଥିବା ଜଣାପଡିଛି। ସେଥରୁ ୧୫ଟି ସିଧା ସଳଖ ପୁରୀ ଯିବ ଆଉ ୧୪ ଟି ଆଗାମୀ ରାମନବମୀ ଅବସରରେ କାଠକଟା ଅନୁକୂଳ ପାଇଁ ଚିରଟ ହେବାକୁ କଟକ ଖପୁରିଆ କରତକଳକୁ ପଠା ଯାଇଥିବା ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି। ଆମ୍ବଝରା ଜଙ୍ଗଲରୁ କଟା ଯାଇଥିବା ଉକ୍ତ କାଠକୁ ଏକତ୍ରିତ କରିବା ପରେ ଗାୟଗଣ୍ଡା ଠାରେ ପୁରୀରୁ ଆସିଥିବା ସ୍ବତନ୍ତ୍ର ଗାଡ଼ି ସାମ୍ନାରେ ବନଖଣ୍ଡ ଅଧିକାରୀ ଶ୍ରୀମହାନ୍ତିଙ୍କ ତତ୍ତ୍ଵାବଧାନରେ ହୋମଯଜ୍ଞ ସହ ପୂଜାର୍ଚ୍ଚନା କରାଯାଇଥିଲା। ଗାଡ଼ିରେ ଉକ୍ତ କାଠକୁ ନେଇ ଯିବା ରାସ୍ତାରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ଏହାକୁ ନେଇ ଆଜି ସ୍ଥାନୀୟ ଇଲାକାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଜୟ ଜଗନ୍ନାଥ ଧ୍ବନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା। ଗ୍ରାମର ବହୁ ମହିଳା ଓ ପୁରୁଷ ଗିନି ମୃଦ୍ଦଙ୍ଗ ବଜାଇବା ସହ ଗାଡ଼ି ନିକଟରେ ବନ୍ଦାପନା କରିବା ସହ ନଡିଆ କଦଳି ଭୋଗ ଓ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ପତକା ଦେଖାଇ ଡିଏଫ୍ଓ ଶୁଭାରମ୍ଭ କରିଥିଲେ। ଏଥିରେ ଏସିଏଫ ବିମଳ ପ୍ରଧାନ ରେଞ୍ଜର ପ୍ରଶାନ୍ତ କୁମାର ବେହେରା, ବନପାଳ ଶୁଭଶ୍ମିତା ଦାଶ, କଳାବଦନ ଦାସ, କୃଷ୍ଣ ନାହାକଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ସ୍ଥାନରୁ ପୁରୀ ଯିବା ପାଇଁ ୧୦୨ଟି ଗଛ ଚିହ୍ନଟ ହୋଇଥିବା ବେଳେ ୧୯ଟି ଅସନ କାଠ, ୬୭ଟି ଢଉରା କାଠ, ୧୬ଟି ଫାସୀ କାଠ ଯିବା ନେଇ ନିଷ୍ପତ୍ତି ନିଆଯାଇଛି। ସେଥିମଧ୍ୟରୁ ଆମ୍ବଝରା ଜଙ୍ଗଲରୁ ୨୯ଟି ଢଉରା କାଠ ଆଜି ପଠାଯାଇଛି। ଯାହାକି ତିନି ରଥର ଅଖ, ଦଣ୍ଡା ଓ ଗୟଳ ନିର୍ମାଣରେ ଲାଗିବ। ଆଗାମୀ ଦିନରେ ତାକୁ ମଧ୍ୟ ପଠାଯିବା ନେଇ ବ୍ୟବସ୍ଥା ଚାଲିଛି। ଫାସୀ ଗଛର କାଠରେ ରଥର ଚକ,ପଇ ଓ ତୁମ୍ବ, ଶିମୁଳି କାଠରେ ପାରା ଭାଡି ନିର୍ମାଣରେ ଲାଗିବ।