ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭/୧: ଆପଣମାନେ ଯେପରି ଖୁସି ମନରେ ତୀର୍ଥଯାତ୍ରା କରିବାକୁ ଯାଉଛନ୍ତି, ସେହିଭଳି ସୁସ୍ଥ ଓ ନିରାପଦ ଭାବେ ତୀର୍ଥଯାତ୍ରା ସମ୍ପନ୍ନ କରି ଅଶେଷ ପୁଣ୍ୟ ଅର୍ଜନ କରି ଘରକୁ ଫେରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ ଅବସରରେ ବରିଷ୍ଠ ନାଗରିକମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନଠାରୁ ଖୋର୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଢେଙ୍କାନାଳ ଜିଲ୍ଲାର ୮୦୦ ଜଣ ବରିଷ୍ଠ ନାଗରିକ ମହାରାଷ୍ଟ୍ରର ପ୍ରସିଦ୍ଧ ତୀର୍ଥସ୍ଥଳୀ ସିରିଡି ଓ ନାସିକ ଦର୍ଶନ ପାଇଁ ଆଜି ଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ପାରମ୍ପରିକ ପୂଜା ସହିତ ପତକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥି ସହିତ ଟ୍ରେନ ଭିତରେ ବୁଲି ବୁଲି ତୀର୍ଥଯାତ୍ରୀମାନଙ୍କୁ ସଫଳ ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟର ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କ ଆଧ୍ୟାତ୍ମିକ ଓ ଧାର୍ମିକ ଆକାଂକ୍ଷା ପୂରଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରାଯାଇଛି । ଚଳିତ ବର୍ଷ ରାଜ୍ୟର ୮୦୦୦ ବରିଷ୍ଠ ନାଗରିକଙ୍କ ପାଇଁ ୧୦ଟି ପର୍ଯ୍ୟାୟରେ ସିରିଡି, ନାସିକ,  କୋଲକତା ଦକ୍ଷିଣକାଳୀ, କାମାକ୍ଷା, ଅଯୋଧ୍ୟା, ବାରଣାସୀ ଆଦି ତୀର୍ଥସ୍ଥାନ ଭ୍ରମଣର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାୟଗଡା ଓ ବାଲେଶ୍ୱର ଷ୍ଟେସନରୁ ଦୁଇଟି ପର୍ଯ୍ୟାୟରେ ଏହି ତୀର୍ଥଯାତ୍ରା ଟ୍ରେନ ଚଳାଚଳ କରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ସନାତନ ପରମ୍ପରା ଅନୁଯାୟୀ, ଜୀବନକାଳ ମଧ୍ୟରେ କିଛି କିଛି ଧର୍ମସ୍ଥଳୀ ଦର୍ଶନ କରି ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ସମସ୍ତଙ୍କ ଇଚ୍ଛା ଥାଏ । କୌଣସି କାରଣ ବଶତଃ ଏହା ସମ୍ଭବ ହୋଇନଥାଏ । ଖୁସିର କଥା ଆପଣମାନଙ୍କ ପାଇଁ ବାବା ଭୋଲେନାଥ ଓ ସିରିଡି ସାଇଙ୍କ ଦରବାରକୁ ଡୋର ଲାଗିଛି ଏବଂ ଆପଣମାନେ ତାଙ୍କ ଦର୍ଶନ ପାଇଁ ଯାଉଛନ୍ତି । ନିଜର ଓ ନିଜ ପରିବାରର ମଙ୍ଗଳ କାମନା କରିବା ସହିତ ରାଜ୍ୟର ସମୃଦ୍ଧି ଓ ଉନ୍ନତି ପାଇଁ ମଧ୍ୟ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବେ ।

ସେ ଆହୁରି କହିଥିଲେ ଯେ, ଭାରତୀୟ ସଂସ୍କୃତିକୁ ଏକ ସୂତ୍ରରେ ବାନ୍ଧି ରଖିଛି ଆମ ମନ୍ଦିର ପରମ୍ପରା । ଅତୀତରେ ମନ୍ଦିର ପରମ୍ପରା ଆମ ସାଂସ୍କୃତିକ ଭାବ ବିନିମୟର କେନ୍ଦ୍ର ଥିଲା । ଆମ ଐତିହ୍ୟ, କଳା, ସଂସ୍କୃତି, ଭାସ୍କର୍ଯ୍ୟ ଓ ଅର୍ଥନୀତିର ସମନ୍ୱୟ ପୀଠ ଥିଲା ମନ୍ଦିର । ସେଥିପାଇଁ ପ୍ରତ୍ୟେକ ଭାରତୀୟମାନେ ତୀର୍ଥସ୍ଥଳୀ ଓ ମନ୍ଦିର ପରିଦର୍ଶନ କରିବା ପାଇଁ ମନ ଭିତରେ ସବୁ ବେଳେ ଆଶା ରଖିଥାନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତୀର୍ଥଯାତ୍ରୀମାନେ ଯେପରି ସୁରୁଖୁରୁରେ, ସୁବିଧାରେ ଭ୍ରମଣ ଓ ଦର୍ଶନ କରିପାରିବେ ସେଥିପାଇଁ ସେମାନଙ୍କ ସହିତ ପୁରା ଯାତ୍ରା ସମୟ ପାଇଁ ସ୍ୱତନ୍ତ୍ର ଅଧିକାରୀ, ଗାଇଡ୍ ଓ ଡାକ୍ତରୀ ଦଳର ବ୍ୟବସ୍ଥା କରାଯାଇଛି । ସମସ୍ତ ତୀର୍ଥଯାତ୍ରୀଙ୍କୁ ନିଜ ଗ୍ରାମଠାରୁ ସେମାନେ ଯାତ୍ରା ଆରମ୍ଭ କରୁଥିବା ରେଳ ଷ୍ଟେସନ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଯିବା ଆସିବା ସୁବିଧା କରାଯାଇଛି । ଯାତ୍ରା ସମୟରେ ସେମାନଙ୍କର ରହିବା, ଖାଇବା ପିଇବା ସହିତ ରେଳ ଷ୍ଟେସନରୁ ତୀର୍ଥସ୍ଥାନ ପର୍ଯ୍ୟନ୍ତ ଯିବା ଆସିବା ସୁବିଧା ମଧ୍ୟ କରାଯାଇଛି । ଯାତ୍ରା ସମୟରେ ସମସ୍ତେ ସତର୍କ ରହିବା ସହିତ ନିୟୋଜିତ ଅଧିକାରୀ ଓ ଗାଇଡ୍‍ଙ୍କ ତତ୍ତ୍ୱାବଧାନରେ ତୀର୍ଥସ୍ଥଳୀ ବୁଲିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ନୂଆ ସରକାର ରାଜ୍ୟର ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ଉତ୍ତମ ଜୀବନଯାପନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ବରିଷ୍ଠ ନାଗରିକମାନେ ସୁସ୍ଥ ରହିଲେ, ସେମାନଙ୍କ ମୁହଁରେ ହସ ଫୁଟିଲେ, ସେଇଟା ହିଁ ହେବ ରାଜ୍ୟ ପାଇଁ ବିଶେଷ କରି ମୋ ପାଇଁ ବଡ ଆଶୀର୍ବାଦ । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେ ଯେ, ଆମ ରାଜ୍ୟର ସାଂସ୍କୃତିକ ପର୍ଯ୍ୟଟନର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ହେଉଛି ଏକ ଅନନ୍ୟ କାର୍ଯ୍ୟକ୍ରମ ।  ଏହି ତୀର୍ଥଯାତ୍ରା ଆପଣମାନଙ୍କୁ ଏକ ନୂତନ ଦୃଷ୍ଟିଭଙ୍ଗୀ ଓ ଅନୁଭବ ପ୍ରଦାନ କରିବ । ଏହି ଯୋଜନା ମାଧ୍ୟମରେ ଆମେ ଆମ ବରିଷ୍ଠ ନାଗରିକଙ୍କ ଇଚ୍ଛାକୁ ଯଥାର୍ଥ ସମ୍ମାନ ଜଣାଇପାରୁଛୁ । ଏହି ଯୋଜନା ଆମ ବରିଷ୍ଠ ନାଗରିକମାନଙ୍କୁ ମାନସିକ ଓ ଧାର୍ମିକ ଶାନ୍ତି ପ୍ରଦାନ କରିବା ସହିତ ସେମାନଙ୍କର ତୀର୍ଥଯାତ୍ରା କରିବାର ସ୍ୱପ୍ନ ପୂରଣ କରୁଛି ।

କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ ଉପସ୍ଥିତ ଥିଲେ । ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ବାଳମୁକୁନ୍ଦ ଭୂୟାଁ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ।

 

Comments are closed.