ଭୁବନେଶ୍ୱର, ୫/୧୦: ପୁଲିସ ଏସଆଇ ପରୀକ୍ଷା ପରିଚାଳନାରେ ଅନିୟମିତତାକୁ ନେଇ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଏହା ଉପରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କୌଣସି ପରିସ୍ଥିତିରେ ଅନିୟମିତତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଚେତାବନୀ ଦେବା ସହିତ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଅପଣାଯିବ ବୋଲି କହିଛନ୍ତି। ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ଆୟୋଜନରେ ସ୍ୱଚ୍ଛତା ରକ୍ଷା ତଥା ଦୁର୍ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ପ୍ରଥମ ଥର ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରସିଡ଼ୁଅର(ଏସଓପି) ବା ମାର୍ଗଦର୍ଶିକା ଜାରି କରାଯାଇଛି। ଇତିମଧ୍ୟରେ ରାଜ୍ୟ ସରକାର ୨୦୨୪ ଜୁନରୁ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ନିଯୁକ୍ତି ଭିତ୍ତିକ ପରୀକ୍ଷା ସଂକ୍ରାନ୍ତ ଅନିୟମିତତା ପ୍ରସଙ୍ଗରେ ସାଧାରଣ ପ୍ରଶାସନ ବିଭାଗକୁ ରିପୋର୍ଟ ମାଗିବା ସହିତ ପୂର୍ବ ସରକାର ଅମଳରୁ କ୍ରମାଗତ ଭାବେ ଚାଲିଥିବା ପରୀକ୍ଷା ଦୁର୍ନୀତି ଉପରୁ ପରଦା ହଟାଇବା ପାଇଁ ଜୋରସୋର ଉଦ୍ୟମ ଚଳାଇଛନ୍ତି।
ଏସଆଇ ପରୀକ୍ଷା ବାତିଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପାଇଁ ବିରୋଧୀ-ଶାସକ ମଧ୍ୟରେ ବାଦ-ବିବାଦ ଲାଗିରହିଛି। ଘଟଣାରେ ବହୁ ପ୍ରଭାବଶାଳୀ ଲୋକଙ୍କ ସଂପୃକ୍ତି ଥିବା ଚର୍ଚ୍ଚା ହେଉଥିବାବେଳେ କେତେକ ଏହାକୁ କେବଳ ରାଜନୀତି ଭିତରେ ସୀମିତ ରଖିବାକୁ ଉଦ୍ୟମ କରୁଛନ୍ତି। ଓଡ଼ିଶା ପୁଲିସ ରିକ୍ରୁଇଟମେଣ୍ଟ ବୋଡ଼, ପରୀକ୍ଷା ଦାୟିତ୍ୱରେ ଥିବା ମୁଖିଆଙ୍କ କାର୍ଯ୍ୟକଳା, ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥା, ଦାୟିତ୍ୱ ହସ୍ତାନ୍ତରିତ ହୋଇଥିବା ଆଉଟସୋର୍ସିଂ ସଂସ୍ଥା ଏବେ ସନ୍ଦେହ ଘେରରେ ଥିବାବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହାର ତଦନ୍ତ ଚାଲିଛି।
ଓଡ଼ିଶାରେ ୨୦୨୧ରୁ କାୟାବିସ୍ତାର କରିଥିବା ଏକ ସଂସ୍ଥା ଏକାଧିକ ପରୀକ୍ଷା ଦାୟିତ୍ୱ ନେଇଥିବାବେଳେ ଏଥିରୁ ଅନେକ ଅନିୟମିତତା କାରଣରୁ ବାତିଲ ହୋଇଥିଲା। ସେସବୁର ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି। ଏହାଛଡ଼ା ପରୀକ୍ଷା ଅନିୟମିତତା କାରବାରରେ ଲିପ୍ତ ଥିବା କିଛି ପ୍ରଭାବଶାଳୀଙ୍କ ପ୍ରତିଷ୍ଠିତ କୋଚିଂ ସେଣ୍ଟର ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥିର ହୋଇଛି। ଘଟଣା ସହିତ ଜଡ଼ିତ ୧୧୮ ଜଣଙ୍କ ଗିରଫ ପରେ ଏଥିରେ ସଂପୃକ୍ତ କିଛି ପ୍ରଭାବଶାଳୀଙ୍କୁ ଖୋଜାଚାଲିଛି। ସରକାର ଘଟଣାର ମୂଳରେ ପହଞ୍ଚିବା ଏବଂ ପୂର୍ବ ସରକାର ଅମଳରୁ ଚାଲିଥବା ଦୁର୍ନତିର ମୂଳୋତ୍ପାଟନ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ସେଥିପାଇଁ ସାଧାରଣ ପ୍ରଶାସନ ବିଭାଗକୁ ବିସ୍ତୃତ ରିପୋର୍ଟ ମଗାଯାଇଛି। ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇ ଗଳାବାଟ ଦେଇ ପୁଲିସ ଏସଆଇ ଚାକିର ପାଇଁ ଚାଲିଥିବା ଉଦ୍ୟମ ଫସରଫାଟିବା ପରେ ଏହାକୁ ନେଇ ଶାସକ-ବିରୋଧୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।
ଏପରି ସ୍ଥିତିରେ ଆରଆଇ/ଅମିନ ପରୀକ୍ଷା, ଓଟିଇଟି ପରୀକ୍ଷାଠାରୁ ଆରମ୍ଭ କରି ପୁଲିସ, ଉଚ୍ଚଶିକ୍ଷା, ଗଣଶିକ୍ଷା ଓ ଅନ୍ୟାନ୍ୟ ବିଭାଗରେ ଖାଲି ପଦ ପୂରଣ ପାଇଁ ଅନୁଷ୍ଠିତ ହେବାକୁ ଥିବା ଲିଖିତ ଓ ମୌଖିକ ପ୍ରତିଯୋଗିତାମୂଳକ ପରୀକ୍ଷା ଆୟୋଜନ ଏଣିକି କଡ଼ାକଡ଼ି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ଏସଆଇ ପରୀକ୍ଷା ଦୁର୍ନୀତି ପ୍ରସଙ୍ଗ ଓଡ଼ିଶା ପୁଲିସ ଠାବ କରିବାର ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜନସାଧାରଣଙ୍କ ମତାମତ ଓ ପରାମର୍ଶକୁ ଭିତ୍ତି କରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଓ ତ୍ରୁଟି ବିଚ୍ୟୁତି ସମ୍ପୂର୍ଣ୍ଣ ଦୂର କରିବା ନିମନ୍ତେ ଏସଓପି ଜାରି କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଥିଲେ।
ଏକ ନୋଟସିଟରେ ମୁଖ୍ୟମନ୍ତ୍ରୀ ଉଲ୍ଳେଖ କରିଥିଲେ ଯେ ନିକଟରେ ରାଜ୍ୟରେ ଖାଲିପଡ଼ିଥିବା ପ୍ରାୟ ଦେଢ଼ଲକ୍ଷ ପଦ ଆଗାମୀ ଦିନଗୁଡ଼ିକରେ ପୂରଣ କରାଯିବ। ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ଜରିଆରେ ଏସବୁ ପଦ ପୂରଣ ହେବ। କିଛି ପରୀକ୍ଷା ରିକ୍ରୁଇଟମେଣ୍ଟ ସଂସ୍ଥା ଦ୍ୱାରା ହେଉଥିବାବେଳେ କିଛି ନିର୍ଦିଷ୍ଟ ପଦ ପାଇଁ ନିଯୁକ୍ତି ପରୀକ୍ଷା ପ୍ରକ୍ରିୟା ସିଧାସଳଖ ବିଭାଗଗୁଡ଼ିକ ଦ୍ୱାରା ପରିଚାଳିତ ହୋଇଥାଏ। ଏଭଳି ପରୀକ୍ଷା ପାଇଁ ବିଭିନ୍ନ ନିଯୁକ୍ତି ସଂସ୍ଥା ପୃଥକ ପ୍ରଣାଳୀ ପ୍ରୟୋଗ କରୁଥିବାରୁ ଏହାକୁ କେନ୍ଦ୍ର କରି ଅଧିକାଂଶ ସମୟରେ ପକ୍ଷପାତିତା ଏବଂ ପ୍ରକ୍ରିୟାଗତ ତ୍ରୁଟିକୁ ନେଇ ଅଭିଯୋଗ ଆସୁଛି। ସରକାର ସବୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ପାଇଁ ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି। ପରୀକ୍ଷାରେ କୌଣସି ତ୍ରୁଟି ବା ବ୍ୟତିକ୍ରମକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସ୍ୱଚ୍ଛ ଓ ସଠିକ ଭାବେ ପରୀକ୍ଷା ପରିଚାଳନା ନିଶ୍ଚିତ କରିବାକୁ ଏବଂ କୌଣସି ପ୍ରକାର ଅବ୍ୟବସ୍ଥା ଦୂର କରିବାକୁ ଏଣିକି ଅନଲାଇନ ବା ଅଫଲାଇନରେ ଆୟୋଜିତ ସମସ୍ତ ପରୀକ୍ଷା ଏକ ସୁରକ୍ଷିତ ଓ ନିରାଦ ପରିବେଶରେ ଆୟୋଜନ କରାଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଜାରି କରିବା ପରେ ନିଯୁକ୍ତି ପରୀକ୍ଷା ପରିଚାଳନା ପାଇଁ ମାର୍ଗ ଦର୍ଶିକା ପ୍ରସ୍ତୁତ କରାଯାଇଛି। ପରୀକ୍ଷା ପ୍ରଣାଳୀ ସମସ୍ତଙ୍କ ପାଇଁ ଏକାପ୍ରକାର କରିବା, ସ୍ୱଚ୍ଛତା ରକ୍ଷା ସହିତ ଦୁର୍ନୀତିମୁକ୍ତ କରିବା ଏହାଦ୍ୱାରା ନିଶ୍ଚତ ହୋଇପାରିବ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ସାଧାରଣ ପ୍ରାଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ସମସ୍ତ ବିଭାଗୀୟ ମୁଖ୍ୟ, ଓଡ଼ିଶା ପୁଲିସ ରିକ୍ରୁଇଟମେଣ୍ଟ ବୋର୍ଡ଼, ଓଡ଼ିଶା ପୁଲିସ ରାଜ୍ୟ ସିଲେକ୍ସନ ବୋର୍ଡ଼, ଓଡ଼ିଶା ପୁଲିସ ମିନିଷ୍ଟେରିଆଲ ଷ୍ଟାଫ ସିଲେକ୍ସନ ବୋର୍ଡ଼, ସିଲେକ୍ସନ ବୋର୍ଡ଼(ପୁଲିସ)ର ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ, ଓପୋର ପ୍ରକଳ୍ପ ନିର୍ଦେଶକ, ଓପିଏସସି, ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ, ଓଏସଏସଏସସି, ରାଜ୍ୟ ସିଲେକ୍ସନ ବୋର୍ଡ଼(ଉଚ୍ଚ ଶିକ୍ଷା)ର ସଚିବ ତଥା ସମସ୍ତ ଜିଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି।
ଏସଓପିରେ ଧାର୍ଯ୍ୟ ବ୍ୟବସ୍ଥା ଅନୁସାରେ ଏଣିକି ପରୀକ୍ଷା ପ୍ରଶ୍ନପତ୍ର କେବଳ ସବଜେକ୍ଟ ଏକ୍ସପର୍ଟ(ବିଷୟ ବିଶେଷଜ୍ଞ)ଙ୍କ ଦ୍ୱାରା କରାଯିବ ଯିଏକି ସବୁ ବିଷୟ ଗୁପ୍ତ ରଖିବା ନିମନ୍ତେ ଷ୍ଟାଣ୍ଡାର୍ଡ଼ ପ୍ରୋଟୋକଲ ରକ୍ଷା କରିବେ। ଚୂଡ଼ାନ୍ତ ପ୍ରଶ୍ନପତ୍ର ଓ ଉତ୍ତର ପୃଥକ ଲଫାଫାରେ ଭିନ୍ନ ଭିନ୍ନ ସେଟ୍ରେ ସିଲ କରାଯାଇ କଡ଼ା ନିରାତ୍ତା ବଳୟରେ ପ୍ରେସକୁ ଯିବ। ଛାପା କାର୍ଯ୍ୟ ବିଭାଗର ପ୍ରାଧିକୃତ ବରିଷ୍ଠ ଅଧିକାରୀ ଏବଂ ପୁଲିସ ଅଧିକାରୀଙ୍କ ତତ୍ତ୍ୱାବଧାନରେ ହେବ।
ପରୀକ୍ଷା ଆୟୋଜନ ପାଇଁ ଏଜେନ୍ସି ମନୋନୟନ ବେଳେ ଯଥାସାଧ୍ୟ ସତର୍କତା ଅବଲମ୍ବନ କରାଯିବ। ପରୀକ୍ଷା କ୍ଷେତ୍ରରେ ଆଉଟସୋର୍ସଂକୁ ଅନୁମତି ଦିଆଯିବ ନାହିଁ। ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବ। କୌଣସି ଘଟଣାର ଅଡ଼ିଟ ପାଇଁ ବ୍ୟବସ୍ଥା ସମ୍ପର୍କରେ ଓକାକ/ଏନଆଇସିକୁ ତଥ୍ୟ ଦିଆଯିବ। ଓଏମଆର ସିଟର ସ୍କାନିଂ କେବଳ ସରକାରୀ ସଂସ୍ଥାରେ ବରିଷ୍ଠ ଅଧିକାରୀଙ୍କ ତଦାରଖରେ କରାଯିବ। ଅନଲାଇନ ପରୀକ୍ଷା କ୍ଷେତ୍ରରେ ବାଇଓମେଟ୍ରିକ ତଥା ପରିଚୟ ଯାଞ୍ଚକୁ କଡ଼ାକଡ଼ି କରାଯିବ। ଏକ ଶାନ୍ତ ଏବଂ କୋଳାହଳ ଶୂନ୍ୟ ପରିବେଶରେ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯିବ। ପରୀକ୍ଷା ସଂକ୍ରାନ୍ତ ତଥ୍ୟର ସୁରକ୍ଷା ଏବଂ ବିଶ୍ୱସନୀୟତା ରକ୍ଷା ବିଷୟ ଉପରେ ଅନଲାଇନ ପରୀକ୍ଷାରେ ସର୍ବାଧିକ ଗୁରୁତ୍ୱ ଦିଆଯିବ। ପରୀକ୍ଷା ପାଇଁସମୟ କଡ଼ାକଡ଼ି ଜଗାଯିବ ଯାହାଦ୍ୱାରା ବାହାରୁ କୌଣସିପ୍ରକାର ସହାୟତା ମାଗିବାକୁ ପରୀକ୍ଷାର୍ଥୀ ସୁଯୋଗ ପାଇବେ ନାହିଁ।
ଆଗାମୀ ବର୍ଷଗୁଡ଼ିକରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ପରିଚାଳନା ପାଇଁ ମଧ୍ୟ ଏସଓପିରେ କିଛି ପରାମର୍ଶ ଦିଆଯାଇଛି। ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ କିମ୍ବା ଅନ୍ୟାନ୍ୟ ପ୍ରମୁଖ କଲେଜରେ ଓଏମଆର ପରୀକ୍ଷା ପରିଚାଳନା ପାଇଁ ଉଭୟ କମ୍ପ୍ୟୁଟର ଥିବା ପରୀକ୍ଷା କେନ୍ଦ୍ର ଓ ସାଧାରଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଉଦ୍ୟମ କରାଯିବା ଆବଶ୍ୟକ ବୋଲି ଏସଓପିରେ ଦର୍ଶାଯାଇଛି। ପରୀକ୍ଷା ପାଇଁ ଆବଣ୍ଟିତ ପ୍ରକୋଷ୍ଠ କେବଳ ଏହି କାମରେ ବିନିଯୋଗ ହେବ ଏବଂ ଏଠାରେ ଆଇଟି ଓ ସାଇବର ନିରାତ୍ତା ବ୍ୟବସ୍ଥା ରହିବ। ସିସିଟିଭିକୁ ଏକ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ସହିତ ସଂଯୋଜିତ କରାଯିବ ଯାହାଦ୍ୱାରା ଏକ ଟିମ ଏକ ସେଣ୍ଟ୍ରାଲ ଲୋକେସନରୁ ସବୁ କାର୍ଯ୍ୟକ୍ରମ ଦେଖିପାରିବେ। ଉଚ୍ଚଶିକ୍ଷା ବିଭାଗ, ଓକାକ, ଏନଆଇସି ଏବଂ ରୀକ୍ଷା ପରିଷଦ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇ ପରୀକ୍ଷା କେନ୍ଦ୍ର ଚୂଡ଼ାନ୍ତ କରାଯିବ। ଏପରିକି ଉଯୁକ୍ତ ରକ୍ଷଣାବେକ୍ଷଣ ଓ ସହାୟତା ପାଇଁ ଏହି କେନ୍ଦ୍ର ପିପିପି ମୋଡ଼ରେ ପ୍ରତିଷ୍ଠା କରାଯାଇପାରିବ। ଏହାଛଡ଼ା ସରକାର ପ୍ରଶ୍ନପତ୍ର ଛାପିବା ପାଇଁ ଏକ ହାଇ ସିକୁରିଟି ପ୍ରିଣ୍ଟିଂ ପ୍ରେସ ପ୍ରତିଷ୍ଠା ପାଇଁ ଯୋଜନା କରିବା ଉଚିତ କିମ୍ବା ସରକାରୀ ପ୍ରିଣ୍ଟିଂ ପ୍ରେସର ଏକ ଅଂଶ ବିକଶିତ କରିବା ଉଚିତ ଯେଉଁଠି ବିଭିନ୍ନ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଛପାଯାଇପାରିବ।
ପରୀକ୍ଷା ପରିଚାଳନା ପାଇଁ ଏଜେନ୍ସି ମନୋନୟନ ବେଳେ ସର୍ବାଧିକ ସତର୍କତା ଅମଲମ୍ବନ ଜରୁରୀ ଏବଂ ଏକ୍ତ ଏଜେନ୍ସି ଦ୍ୱାରା ପରୀକ୍ଷା ପାଇଁ କୌଣସି ଆଉଟସୋର୍ସିଂକୁ ଦାୟିତ୍ୱ ହସ୍ତାନ୍ତର କଡ଼ାକଡ଼ି ବନ୍ଦ କରାଯିବା ଆବଶ୍ୟକ। ପରୀକ୍ଷା କେନ୍ଦ୍ରରେ ଶୃଙ୍ଖଳା ବଜାୟ ରଖିବାକୁ ପର୍ଯ୍ୟାପ୍ତ ପୁଲିସ ବାହିନୀ ମୁତୟନ କରାଯିବା ଆବଶ୍ୟକ ବୋଲି ଏସଓପିରେ କୁହାଯାଇଛି।
Comments are closed.