ଝାରସୁଗୁଡ଼ା, ୫/୪: ଆଇଆଇଏମ୍ର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଫେରୁଥିବା ରାଜ୍ୟପାଳଙ୍କୁ ଆଜି ଝାରସୁଗୁଡ଼ା ବିମାନବନ୍ଦରରେ ପ୍ରାୟ ଦେଢ଼ଘଣ୍ଟା ରହିବାକୁ ପଡ଼ିଛି। ସେ ଯିବାକୁ ଥିବା ଷ୍ଟାର୍ଏୟାର୍ ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ବିମାନ ମରାମତି ପରେ ସନ୍ଧ୍ୟା ୫ଟା ୪୫ ମିନିଟ୍ରେ ରାଜ୍ୟପାଳ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲେ।
ରାଜ୍ୟପାଳ ହରିବାବୁ କମ୍ଭମପାଟି ଶୁକ୍ରବାର ସନ୍ଧ୍ୟାରେ ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇ ସଡ଼କ ପଥରେ ସମ୍ବଲପୁର ଯାଇଥିଲେ। ବୁର୍ଲା ଅଶୋକ ନିବାସରେ ରାତ୍ରିଯାପନ କରି ଆଜି ଆଇଆଇଏମ୍ ସମ୍ବଲପୁରର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ଏହାପରେ ସେ ପୁଣି ସଡ଼କପଥରେ ଝାରସୁଗୁଡ଼ା ଫେରି ଅପରାହ୍ଣ ୪ଟା ୧୦ ସୁଦ୍ଧା ବିମାନବନ୍ଦରରେ ପହଞ୍ଚି ଯାଇଥିଲେ।
ଏଠାରୁ ଷ୍ଟାର୍ଏୟାର୍ ବିମାନ ଯୋଗେ ସେ ଭୁବନେଶ୍ବର ଫେରିବାର ଥିଲା। ସାଧାରଣତଃ ଏହି ବିମାନର ଭୁବନେଶ୍ବରକୁ ଉଡ଼ାଣ ସମୟ ଅପରାହ୍ଣ ୪ଟା ୧୦ ମିନିଟ୍ ଥିବାବେଳେ ଆଜି ୫ଟା ୫ ମିନିଟ୍ରେ ଛାଡ଼ିବାକୁ ପୂର୍ବରୁ ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ନିର୍ଦ୍ଧାରିତ ସମୟରେ ଉଡ଼ାଣ ପୂର୍ବରୁ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଫଳରେ ବିମାନବନ୍ଦର ଭିଭିଆଇପି ଲାଉଞ୍ଜରେ ରାଜ୍ୟପାଳ ଅଟକି ରହିଥିଲେ। ବିମାନର ଅନ୍ବୋର୍ଡ ଏୟାରକ୍ରାଫ୍ଟ ଇଞ୍ଜିନିୟର ଉକ୍ତ ତ୍ରୁଟିକୁ ସଜାଡ଼ିବା ପରେ ସନ୍ଧ୍ୟା ୫ଟା ୪୫ ମିନିଟରେ ବିମାନ ଯାତ୍ରା ଆରମ୍ଭ କରିଥିଲା। ଝାରସୁଗୁଡ଼ା ଏୟାରପୋର୍ଟ ନିର୍ଦ୍ଦେଶକ ଉପେନ୍ଦ୍ରନାଥ ଧଉଣ୍ଡିଆ କହିଛନ୍ତି, ଉଡ଼ାଣ ଆରମ୍ଭ ପୂର୍ବରୁ ବିମାନର ଯାନ୍ତ୍ରିକ ତ୍ରୁଟି ଜଣାପଡ଼ିଥିଲା। ଫଳରେ ପ୍ରୋଟୋକଲ୍ ଅନୁଯାୟୀ ଭିଭିଆଇପି ଲାଉଞ୍ଜକୁ ଖାଲି କରି ରାଜ୍ୟପାଳଙ୍କୁ ସେଠାରେ ରଖାଯାଇଥିଲା। ଯାନ୍ତ୍ରିକ ତ୍ରୁଟି ପାଇଁ ରାଜ୍ୟପାଳଙ୍କୁ ଅଧିକ ୪୦ ମିନିଟ୍ ଅପେକ୍ଷା କରିବାକୁ ପଡ଼ିଲା ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।