କଟକ,୧୩।୯: ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳାଙ୍କ କୁମାରୀତ୍ୱ ପରୀକ୍ଷା ପାଇଁ କରାଯାଉଥିବା ‘ଟୁ ଫିଙ୍ଗର୍ ଟେଷ୍ଟ୍’ ବା ‘ଦୁଇ ଆଙ୍ଗୁଳି ପ୍ରବେଶ ପରୀକ୍ଷା’ରୁ ନିବୃତ୍ତ ରହିବାକୁ ଓଡ଼ିଶା ହାଇକୋର୍ଟ ଆଜି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବଳାତ୍କାର ଅଭିଯୋଗରେ ରୁଜୁ ମାମଲାକୁ ରଦ୍ଦ କରିବା ଲାଗି ହୋଇଥିବା ମାମଲାରେ ଆବେଦନକାରୀ ଅଭିଯୁକ୍ତ ଯୁବକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁ ଏହି ମାମଲାର ଶୁଣାଣି ଅବସରରେ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଜଣେ ଯୁବତୀଙ୍କୁ ତାଙ୍କ ସାଇକେଲ୍ରେ ବସାଇ ଅପହରଣ କରି ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଘଟଣାରେ ଆବେଦନକାରୀଙ୍କ ବିରୋଧରେ ଥାନାରେ ମାମଲା ହେବା ସହ ଭାରତୀୟ ପିଙ୍ଗଳ କୋଡ୍ର ୩୬୬ (ବିବାହ ଉଦ୍ଦେଶ୍ୟରେ ଅପହରଣ କରିବା) ଏବଂ ୩୭୬ (ବଳାତ୍କାର କରିବା)ରେ ଚାର୍ଜସିଟ୍ ହୋଇଥିଲା । ଏହାକୁ ରଦ୍ଦ କରିବା ଲାଗି ଆବେଦନକାରୀ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।
ହାଇକୋର୍ଟ ଏହି ମାମଲାର ଶୁଣାଣି ଅବସରରେ ଜାଣିବାକୁ ପାଇଥିଲେ ଯେ, ଯୁବତୀଙ୍କୁ ପୁଲିସ ଉଦ୍ଧାର କରିବା ପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା । ସେ ବିବାହିତ କି’ ନୁହେଁ ସେ ସମ୍ପର୍କରେ ଉକ୍ତ ଯୁବତୀଙ୍କୁ ପଚରା ଯାଇଥିଲା । ଯୁବତୀ ଆବେଦନକାରୀଙ୍କୁ ବିବାହ କରିଥିବା ସ୍ୱୀକାର କରିଥିଲେ । ଯୁବତୀ ଆବେଦନକାରୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ମଧ୍ୟ ଜଣାପଡ଼ିଥିଲା । ଫଳରେ ହାଇକୋର୍ଟ ଆବେଦନକାରୀଙ୍କ ବିରୋଧରେ ରୁଜୁ ମାମଲାକୁ ରଦ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏହି ମାମଲାର ଶୁଣାଣି ଅବସରରେ ହାଇକୋର୍ଟ ପୀଡ଼ିତା ଯୁବତୀଙ୍କୁ ପରୀକ୍ଷା କରିଥିବା ଡାକ୍ତରଙ୍କ ମତ ଜାଣିବାକୁ ଚାହିଁଥିଲେ । ପୀଡ଼ିତାଙ୍କ ଯୌନାଙ୍ଗରେ ଦୁଇ ଆଙ୍ଗୁଳି ସହଜରେ ପ୍ରବେଶ କରୁଛି । ତେଣୁ ସେ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଏଥିରୁ ପ୍ରମାଣିତ ହେଉଛି ବୋଲି ଉକ୍ତ ଡାକ୍ତର ଅଦାଲତଙ୍କୁ ଅବଗତ କରିଥିଲେ । ଏହି ଜବାବରେ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ହାଇକୋର୍ଟ ରାୟରେ କହିଛନ୍ତି, ଜଣେ ଶାରୀରିକ ସମ୍ପର୍କ ରଖିଥିବା ମହିଳା ମଧ୍ୟ ବଳାତ୍କାରର ଶିକାର ହୋଇପାରିବେ । ତେଣୁ ଜଣେ ମହିଳାଙ୍କ କୁମାରୀତ୍ୱ ଜାଣିବା ଲାଗି ଏଭଳି ପରୀକ୍ଷାର କୌଣସି ଆଇନଗତ ଆବଶ୍ୟକତା ନାହିଁ । ଏଭଳି ପରୀକ୍ଷାରୁ ବିରତ ରହିବାକୁ ହାଇକୋର୍ଟ ଏହି ଅବସରରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.