ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପୀଡ଼ିତାଙ୍କ ‘ଟୁ ଫିଙ୍ଗର୍‌ ଟେଷ୍ଟ୍‌’ ବନ୍ଦ କର

0

କଟକ,୧୩।୯: ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳାଙ୍କ କୁମାରୀତ୍ୱ ପରୀକ୍ଷା ପାଇଁ କରାଯାଉଥିବା ‘ଟୁ ଫିଙ୍ଗର୍‌ ଟେଷ୍ଟ୍‌’ ବା ‘ଦୁଇ ଆଙ୍ଗୁଳି ପ୍ରବେଶ ପରୀକ୍ଷା’ରୁ ନିବୃତ୍ତ ରହିବାକୁ ଓଡ଼ିଶା ହାଇକୋର୍ଟ ଆଜି ସ୍ୱାସ୍ଥ୍ୟ  ବିଶେଷଜ୍ଞଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବଳାତ୍କାର ଅଭିଯୋଗରେ ରୁଜୁ ମାମଲାକୁ ରଦ୍ଦ କରିବା ଲାଗି ହୋଇଥିବା ମାମଲାରେ ଆବେଦନକାରୀ ଅଭିଯୁକ୍ତ ଯୁବକ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଏହି ମାମଲାର ଶୁଣାଣି ଅବସରରେ ଉପରୋକ୍ତ  ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଜଣେ ଯୁବତୀଙ୍କୁ ତାଙ୍କ ସାଇକେଲ୍‌ରେ ବସାଇ   ଅପହରଣ କରି ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଘଟଣାରେ ଆବେଦନକାରୀଙ୍କ ବିରୋଧରେ ଥାନାରେ ମାମଲା ହେବା ସହ ଭାରତୀୟ ପିଙ୍ଗଳ   କୋଡ୍‌ର ୩୬୬ (ବିବାହ  ଉଦ୍ଦେଶ୍ୟରେ ଅପହରଣ  କରିବା) ଏବଂ ୩୭୬  (ବଳାତ୍କାର କରିବା)ରେ  ଚାର୍ଜସିଟ୍‌ ହୋଇଥିଲା । ଏହାକୁ ରଦ୍ଦ କରିବା ଲାଗି  ଆବେଦନକାରୀ ଅଭିଯୁକ୍ତ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

ହାଇକୋର୍ଟ ଏହି ମାମଲାର ଶୁଣାଣି  ଅବସରରେ ଜାଣିବାକୁ ପାଇଥିଲେ ଯେ, ଯୁବତୀଙ୍କୁ ପୁଲିସ ଉଦ୍ଧାର କରିବା  ପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା । ସେ ବିବାହିତ କି’ ନୁହେଁ  ସେ ସମ୍ପର୍କରେ ଉକ୍ତ ଯୁବତୀଙ୍କୁ ପଚରା ଯାଇଥିଲା । ଯୁବତୀ ଆବେଦନକାରୀଙ୍କୁ  ବିବାହ କରିଥିବା ସ୍ୱୀକାର କରିଥିଲେ । ଯୁବତୀ ଆବେଦନକାରୀଙ୍କ ସହ   ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ମଧ୍ୟ ଜଣାପଡ଼ିଥିଲା । ଫଳରେ  ହାଇକୋର୍ଟ ଆବେଦନକାରୀଙ୍କ ବିରୋଧରେ ରୁଜୁ ମାମଲାକୁ ରଦ୍ଦ ପାଇଁ  ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏହି ମାମଲାର ଶୁଣାଣି ଅବସରରେ ହାଇକୋର୍ଟ  ପୀଡ଼ିତା ଯୁବତୀଙ୍କୁ ପରୀକ୍ଷା କରିଥିବା ଡାକ୍ତରଙ୍କ ମତ ଜାଣିବାକୁ ଚାହିଁଥିଲେ ।  ପୀଡ଼ିତାଙ୍କ ଯୌନାଙ୍ଗରେ ଦୁଇ ଆଙ୍ଗୁଳି ସହଜରେ ପ୍ରବେଶ କରୁଛି । ତେଣୁ  ସେ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଏଥିରୁ ପ୍ରମାଣିତ ହେଉଛି ବୋଲି  ଉକ୍ତ ଡାକ୍ତର ଅଦାଲତଙ୍କୁ ଅବଗତ କରିଥିଲେ । ଏହି ଜବାବରେ ହାଇକୋର୍ଟ  ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ହାଇକୋର୍ଟ ରାୟରେ କହିଛନ୍ତି, ଜଣେ ଶାରୀରିକ  ସମ୍ପର୍କ ରଖିଥିବା ମହିଳା ମଧ୍ୟ ବଳାତ୍କାରର ଶିକାର ହୋଇପାରିବେ । ତେଣୁ  ଜଣେ ମହିଳାଙ୍କ କୁମାରୀତ୍ୱ ଜାଣିବା ଲାଗି ଏଭଳି ପରୀକ୍ଷାର କୌଣସି  ଆଇନଗତ ଆବଶ୍ୟକତା ନାହିଁ । ଏଭଳି ପରୀକ୍ଷାରୁ ବିରତ ରହିବାକୁ  ହାଇକୋର୍ଟ ଏହି ଅବସରରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 

Leave A Reply

Your email address will not be published.