ସେପ୍ଟେମ୍ବର ୧୭ରୁ ବୁଲା କୁକୁର ଗଣନା: ନିୟୋଜିତ ହେବେ ୪୧୦ ଟିମ୍‌

ଭୁବନେଶ୍ୱର, ୧୩/୯: ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବୁଲା କୁକୁର ଗଣନା ହେବ। ଆସନ୍ତା ୧୭ ତାରିଖରୁ ୨୪ ତାରିଖ ମଧ୍ୟରେ ସମୁଦାୟ ୬୭ଟି ଓ୍ୱାର୍ଡରେ ଏହି ଗଣନା କାର୍ଯ୍ୟ ଚାଲିବ। ବୁଲା କୁକୁର ଗଣନା ପାଇଁ ଜୋନ୍, ଓ୍ୱାର୍ଡ ଓ ଓ୍ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ଟିମ୍  ଗଠନ କରାଯାଇଛି। ପ୍ରତ୍ୟେକ ଗଳିକନ୍ଦିରେ ଦୁଇ ଦୁଇଟି ପର୍ଯ୍ୟାୟରେ ଏବଂ ବୈଜ୍ଞାନିକ ପଦ୍ଧତିରେ ବୁଲା କୁକୁର ଗଣନା କରାଯିବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୧୭ରୁ ୨୦ ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଭୋର ୫ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଏହି କୁକୁର ଗଣନା ଚାଲିବ। ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍ଏମଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖ ଏହି କାର୍ଯ୍ୟ ସଂପାଦନ କରିବେ। ଏକ କାଳୀନ 410ଟି ଟିମ୍ ଭୁବନେଶ୍ୱରର ବିଭିନ୍ନ ଗଳିକନ୍ଦିରେ କୁକୁର ଗଣନା ସାରିବା ପାଇଁ ନିର୍ଦେଶ ଦିଆଯାଇଛି।

ଯେଉଁମାନେ ଏହି କୁକୁର ଗଣନା କାର୍ଯ୍ୟ ସଂପାଦନ କରିବେ, ସେମାନଙ୍କୁ ଆଜି ବିସ୍ତୃତ ଭାବେ ତାଲିମ ଦିଆଯାଇଛି। ଏହି ଜୋନ୍ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ। ଆଜିର ଏହି ତାଲିମ କାର୍ଯ୍ୟକ୍ରମରେ ଅତିରିକ୍ତ କମିସନର ରତ୍ନାକର ସାହୁ, ଡେପୁଟି କମିସନର ଏନ୍. ଗଣେଶ ବାବୁ ଏବଂ ଡାକ୍ତର ଦେବୀପ୍ରସାଦ କୁଣ୍ଡ୍ ତାଲିମ ପ୍ରଦାନ କରିଥିବା ବେଳେ ଏବିସି ଉପାୟୁକ୍ତ ରଶ୍ମୀରେଖ ପ୍ରଧାନଙ୍କ ସମେତ ପଶୁଡାକ୍ତରମାନେ ମଞ୍ଚାସୀନ ଥିଲେ।

କୁକୁରଙ୍କ ସଂଖ୍ୟା ସର୍ବେକ୍ଷଣ: ଜନସଂଖ୍ୟାର ଆକାର ଏବଂ ଜନସଂଖ୍ୟାର  ଘନତ୍ୱ ଜାଣିବା ପାଇଁ ପ୍ରତ୍ୟେକ ୱାର୍ଡର ବୁଲା କୁକୁରଙ୍କ ଗଣନା।  ଭୁବନେଶ୍ୱରବାସୀଙ୍କ ବୃହତ୍ତର ସ୍ୱାର୍ଥ ତଥା ଦୁର୍ଘଟଣା ଏବଂ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାରୁ ରକ୍ଷା କରିବା ପାଇଁ ବିଏମ୍ ସି ପକ୍ଷରୁ ରାଜ୍ୟରେ ପ୍ରଥମ କରି ଏହି ପଦକ୍ଷେପ ନିଆଯାଇଛି। ଏଥିପାଇଁ ଭୁବନେଶ୍ୱରବାସୀ ଆମର କୁକୁର ଗଣନାକାରୀଙ୍କୁ ସହଯୋଗ ଓ ସହାୟତା ପ୍ରଦାନ କରିବା ପାଇଁ ମାନନୀୟା ମେୟର ଓ କମିଶନର ଅନୁରୋଧ କରିଛନ୍ତି।

 

Comments are closed.