କଡ଼ାକଡ଼ି ହେଲା ମାଟ୍ରିକ ପରୀକ୍ଷା ବ୍ୟବସ୍ଥା, ୩୦ ଜିଲ୍ଲା ପାଇଁ ୩୮ଟି ସ୍ପେସାଲ୍‌ ସ୍କ୍ୱାଡ୍‌

ପରୀକ୍ଷାର ସୁପରିଚାଳନା ଓ କପି ରୋକିବାକୁ ବୋର୍ଡର କଡ଼ା ପଦକ୍ଷେପ

କଟକ,୨୬।୪: ମାଟ୍ରିକ୍‌ ସମେଟିଭ୍‌ ଆସେସମେଣ୍ଟ-୨ ପରୀକ୍ଷାର ସୁପରିଚାଳନା ଓ କପି ରୋକିବା ଲାଗି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ ୩୦ ଜିଲ୍ଲା ପାଇଁ ୩୮ଟି ସ୍ପେସାଲ୍‌ ସ୍କ୍ୱାଡ୍‌ ଗଠନ କରିଛନ୍ତି। ତେବେ ଏହି ସ୍ପେସାଲ୍‌ ସ୍କ୍ୱାଡ୍‌ ବାଦ୍‌ ଜିଲ୍ଲାସ୍ତରରେ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପୃଥକ ସ୍କ୍ୱାଡ୍‌ ଗଠନ କରାଯାଇଛି ବୋଲି ସୂଚନା ମିଳିଛି। ପରୀକ୍ଷା ସମୟରେ ସ୍କ୍ବାଡ୍‌ର ଭୂମିକା କଠୋର ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି। ଏ ନେଇ ବୋର୍ଡ ସଭାପତି ରାମଶିଷ୍‌ ହାଜରାଙ୍କ ଅଧ୍ୟକ୍ଷତାରେ ସ୍କ୍ବାଡ୍‌ର ଅଧିକାରୀମାନଙ୍କ ସମେତ ବୋର୍ଡର ଜୋନ୍‌ ଅଧିକାରୀ ଏବଂ କେତେକ ଶିକ୍ଷାଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସ୍କ୍ୱାଡ୍‌ ଅଧିକାରୀ ଏବଂ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ବୋର୍ଡ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ଗତ ୨୦ ତାରିଖରେ ବିଭିନ୍ନ ସେଣ୍ଟର ସୁପରିଟେଣ୍ଡେଣ୍ଟମାନଙ୍କ ସହ ମଧ୍ୟ ପରୀକ୍ଷା ସୁପରିଚାଳନା ଏବଂ କପି ନିୟନ୍ତ୍ରଣ ସମ୍ପର୍କରେ ଆଲୋଚନା କରାଯାଇଥିବା ବୋର୍ଡ ସୂତ୍ରରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଜ୍ୟରେ ୩୦ଟି ଜିଲ୍ଲାରେ ମୋଟ ୩୨୦୩ଟି ସେଣ୍ଟର ଏବଂ ୩୧୫ଟି ନୋଡାଲ୍‌ ସେଣ୍ଟର ସହିତ ୧ ହଜାର ସେଣ୍ଟରରେ କ୍ଲୋଜ୍‌ ସର୍କିଟ୍‌ କ୍ୟାମେରା ଖଞ୍ଜାଯାଇଛି। ପ୍ରଶ୍ନପତ୍ର ଓ ଖାତା ରହିବା ଲାଗି ଥିବା ସମସ୍ତ ୩୧୫ଟି ନୋଡାଲ୍‌ ସେଣ୍ଟରରେ ସିସିଟିଭି କ୍ୟାମେରା ଲଗାଯାଇଥିବା ସହ ୬୮୫ଟି ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି ଲଗାଯାଇଛି।

ପ୍ରଶ୍ନପତ୍ରର ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ ନୋଡାଲ୍‌ ସେଣ୍ଟରରେ ବନ୍ଧୁକଧାରୀ ପୁଲିସ ସହ ବିଦ୍ୟାଳୟ କର୍ମଚାରୀମାନେ ୨୪ ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ ରହିଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ୍‌ ୨୯ରୁ ଦଶମ ଶ୍ରେଣୀ ସମେଟିଭ୍‌ ଆସେସମେଣ୍ଟ୍‌-୨ ପରୀକ୍ଷା ସମେତ ମଧ୍ୟମା, ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ (ଏସ୍‌ଓଏସ୍‌ସି), କରେସପଣ୍ଡେଣ୍ଟ୍‌ କୋର୍ସ ପରୀକ୍ଷା ହେବ। ରାଜ୍ୟରେ ୩ ହଜାର ୨୦୩ ସେଣ୍ଟରରେ ୫ ଲକ୍ଷ ୬୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି।

Comments are closed.