ଶୁକସାରୀ ମନ୍ଦିରର ସୁରକ୍ଷା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର
ଭୁବନେଶ୍ବର, ୩୦।୧: ଭୁବନେଶ୍ୱରର ଏକାମ୍ର କ୍ଷେତ୍ର ବିଶେଷ ଭାବରେ ପ୍ରଭୁ ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ଚତୁଃପାଶ୍ୱର୍ରେ ଥିବା ଶତାବ୍ଦୀ ଶତାବ୍ଦୀର ପ୍ରାଚୀନ ମନ୍ଦିରର ସୁରକ୍ଷା ଓ ପୁନଃଉଦ୍ଧାର ପାଇଁ ତୁରନ୍ତ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ଭାରତୀୟ ପ୍ରତ୍ନତତ୍ୱ ବିଭାଗ (ଏଏସ୍ଆଇ)ର ବିଶେଷଜ୍ଞ ଦଳକୁ ଭୁବନେଶ୍ୱର ପଠାଇବାକୁ ନିର୍ଦ୍ଦେଶ ଦେବା ସହ ଏହି କ୍ଷେତ୍ରର ଖନନ କରି ବିସ୍ତୁତ ଭାବରେ ଗବେଷଣା କରିବା ଦିଗରେ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ ପତ୍ର ଜରିଆରେ ଅନୁରୋଧ କରିଛନ୍ତି ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ନିକଟରେ ଏଏସ୍ଆଇର ଭୁବନେଶ୍ୱର ଶାଖା ଦ୍ୱାରା ମନ୍ଦିରମାଳିନୀ ଭୁବନେଶ୍ୱର ସହରର ଏକାମ୍ର କ୍ଷେତ୍ରରେ ଥିବା ଶୁକଶାରୀ ମନ୍ଦିର ନିକଟ ୨ ଏକର ଜମିରେ ଖନନ କାର୍ଯ୍ୟ ଚାଲିଥିବା ବେଳେ ଶାରୀ ମନ୍ଦିରର ଉତ୍ତର-ପଶ୍ଚିମ କୋଣରେ ଥିବା ସୋମବଂଶୀ ସମୟର ଦଶମ ଶତାବ୍ଦୀ ଓ ଏକାଦଶ ଶତାବ୍ଦୀର ଅମୂଲ୍ୟ ଭଗ୍ନାବଶେଷ ଉଦ୍ଧାର ହୋଇଛି। ଏଏସଆଇ ନିକଟରେ ଦୁଇଟି ଢ଼ାଂଚା ଆବିଷ୍କାର କରିଛି, ଯାହା ଶାରୀ ମନ୍ଦିରର ଭଗ୍ନାବଶେଷ ବୋଲି ଜଣାପଡୁଛି । ମିଳିଥିବା ତଥ୍ୟନୁସାରେ ଏସଏସଆଇର ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ଶାରି ମନ୍ଦିର ପଞ୍ଚାୟତନ୍ ଢାଞ୍ଚାରେ ନିର୍ମାଣ ହୋଇଛି । ଯାହା ଚାରୋଟି ଛୋଟ ଛୋଟ ମନ୍ଦିର ପରିସରଭୃକ୍ତ ରହିଛି । ପାରିପାର୍ଶିକ ସ୍ଥିତିରୁ ଏହା ଏକାମ୍ର କ୍ଷେତ୍ରରେ ଭୂମି ତଳେ ଅନେକ ଗୁଡ଼ିଏ ଐତିହାସିକ ଢାଂଚାର ଅନୁମାନ କରାଯାଉଛି । ଭୁବନେଶ୍ୱର ସ୍ଥିତ ଶୁକସାରୀ ମନ୍ଦିର ଏବଂ ପ୍ରଭୁ ଲିଙ୍ଗରାଜ ମନ୍ଦିର ପୂରାତନ କୀର୍ତିରାଜି ଏବଂ ପ୍ରତ୍ନତତ୍ୱ ବିଭାଗ ଓ ଭଗ୍ନାବଶେଷ ଆଇନ (ଏମଏଏସଆର) ଅଧୀନରେ ଏଏସଆଇ ଦ୍ୱାରା ସୁରକ୍ଷିତ ରଖାଯାଇଛି । ତେଣୁ ଅମୂଲ୍ୟ ପୂରାତନ ଓଡ଼ିଶାର ପ୍ରଚୀନ କୀର୍ତିରାଜିକୁ ସୁରକ୍ଷିତ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।
ଓଡ଼ିଶାର ପ୍ରାଚୀନ ମନ୍ଦିରର ସ୍ଥାପତ୍ୟ, କାରୁକାର୍ଯ୍ୟସମ୍ପନ୍ନ, ସାମାଜିକ ସଂସ୍କୃତି ଓ ଧାର୍ମିକ ମହତ୍ୱକୁ ଧ୍ୟାନରେ ରଖି ଭୁବନେଶ୍ୱର ଏକାମ୍ର କ୍ଷେତ୍ର ବିଶେଷ ଭାବରେ ପ୍ରଭୁ ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ନିକଟକୁ ଏକ ଏଏସଆଇର ବିଶେଷଜ୍ଞ ଦଳକୁ ପଠାଇବାକୁ ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଅନୁରୋଧ କରିଛନ୍ତି । ଏହା ଦ୍ୱାରା ଏଠାରେ ଭୂମି ତଳେ ଥିବା ଐତିହାସିକ ଢ଼ାଂଚାର ପୁନଃଉଦ୍ଧାର ନିର୍ଦ୍ଧାରିତ ସମୟ ମଧ୍ୟରେ ହୋଇପାରିବ ବୋଲି କେନ୍ଦ୍ରମବୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।
Comments are closed.