ଭୁବନେଶ୍ୱର, ୩୦/୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶ ତଥା ରାଜ୍ୟରେ ରନ୍ଧନ ଗ୍ୟାସ୍ ଓ ପେଟ୍ରୋଲିଅମ୍ ଆଦିର ନିଅଣ୍ଟିଆ ସ୍ଥିତି ଦେଖାଦେଇଛି। ଏହି ସ୍ଥିତିରେ ରାଜ୍ୟରେ ଥିବା ୯୦ଟି କେନ୍ଦ୍ରୀୟ ରୋଷେଇଶାଳ ସହାୟତାରେ ଚାଲୁଥିବା ୧୭୦ଟି ଆହରକେନ୍ଦ୍ର ଚାଲିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ରାଜ୍ୟ ସରକାର ଆଜି ଏହି ଆଶଙ୍କା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। କୌଣସି ଆହାରକେନ୍ଦ୍ର ଗ୍ୟାସ୍ ଯୋଗୁଁ ବନ୍ଦ ହେବନାହିଁ ବୋଲି ଆଶ୍ବସନା ଦେଇଛନ୍ତି।
ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ‘ଆହାର’ ଯୋଜନାକୁ ନିରନ୍ତର ଓ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସାରା ଓଡ଼ିଶାରେ ଥିବା ଆହାର ରୋଷେଇ ଶାଳଗୁଡ଼ିକ ପାଇଁ ରନ୍ଧନ ଗ୍ୟାସ ଯୋଗାଣକୁ ସରଳୀକୃତ ଏବଂ ସୁରକ୍ଷିତ କରିବାକୁ ବିଭାଗ ପକ୍ଷରୁ ବ୍ୟାପକ ନିର୍ଦ୍ଦେଶନାମା ଜାରି କରାଯାଇଛି।
ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର ଏବଂ ଜିଲ୍ଲା ଓ ସିଟି ଆହାର ସୋସାଇଟିର ସଭାପତିମାନଙ୍କୁ ପତ୍ର ଲେଖି ଏହି ଯୋଜନାର ଲଜିଷ୍ଟିକ୍ସ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାକୁ ଗୁରୁତ୍ୱାରୋପ କରିଛନ୍ତି। ସେବା ପ୍ରଦାନରେ ଯେପରି କୌଣସି ଅନ୍ତରାୟ ସୃଷ୍ଟି ନହୁଏ, ସେଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିଜ ନିଜ ଅଞ୍ଚଳରେ ରନ୍ଧନ ଗ୍ୟାସର ଉପଲବ୍ଧତା ସମ୍ପର୍କରେ ତୁରନ୍ତ ସମୀକ୍ଷା କରିବାକୁ ଏବଂ ଗ୍ୟାସ ଯୋଗାଣକାରୀ ଓ ବିତରକଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖାଦ୍ୟ ପ୍ରସ୍ତୁତି ଏବଂ ବଣ୍ଟନ ପ୍ରକ୍ରିୟାରେ ଯେପରି କୌଣସି ସମସ୍ୟା ନଉପୁଜେ, ସେଥିପାଇଁ ସମୟୋଚିତ ପଦକ୍ଷେପ ନେବାକୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି।
Comments are closed.