ବ୍ରିଟେନ୍‌ରେ ଆରମ୍ଭ ହେଲା ଟିକାକରଣ: ଫାଇଜର୍‌ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେଲେ ୯୦ ବର୍ଷୀୟ ବୃଦ୍ଧା

ଭୁବନେଶ୍ବର, ୮।୧୨: ବ୍ରିଟେନରେ ଆଜି ଟିକାକରଣ ଆରମ୍ଭ ହୋଇଯାଇଛି। ବିଶ୍ୱର ପ୍ରଥମ କୋଭିଡ୍ ଟିକା ଭାବେ ଫାଇଜର କଂପାନୀର ଟିକାକୁ ବ୍ରିଟେନ ଅନୁମତି ଦେବା ପରେ ଏହାର ସାମୂହିକ ଟିକାକରଣ ଆରମ୍ଭ ହୋଇଛି । ଆଉ ଏହାର ପ୍ରଥମ ଡୋଜ୍ ନେଇଛନ୍ତି ଜଣେ ୯୦ ବର୍ଷୀୟ ମହିଳା ମାର୍ଗାରେଟ୍‌।

ସପ୍ତାହେ ପରେ ମାର୍ଗାରେଟ୍ ୯୧ ବର୍ଷ ବୟସରେ ପାଦ ଥାପିବେ। ଏହା ପୂର୍ବରୁ ତାଙ୍କୁ ଫାଇଜର କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି।  କେନ୍ଦ୍ରୀୟ ଇଂଲଣ୍ଡର କୋଭିଣ୍ଟ୍ରିସ୍ଥିତ ହସ୍ପିଟାଲରେ ତାଙ୍କୁ ଏହି ଟିକା ଦିଆଯାଇଛି। ସେଠାକାର ସମୟ ଅନୁସାରେ ସକାଳ ପ୍ରାୟ ସାଢ଼େ ୬ଟା ବୃଦ୍ଧାଙ୍କୁ କୋଭିଡ୍ ଟିକା ଦିଆଯାଇଥିଲା। ଟିକା ନେବା ପରେ ମହିଳା ଜଣକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପ୍ରଥମ ଟିକା ନେବା ମୋ ପାଇଁ ଗୌରବର ବିଷୟ । ଜନ୍ମଦିନ ପୂର୍ବରୁ ଏହା ମୋ ପାଇଁ ସବୁଠାରୁ ବଡ଼ ଉପହାର । ମୁଁ  ଏବେ ସୁସ୍ଥ ରହିବା ସହ ନୂଆ ବର୍ଷରେ ମୋ ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ବିତାଇବାକୁ ଅପେକ୍ଷା କରିପାରିବି। ବୃଦ୍ଧାଙ୍କୁ ସାରା ବିଶ୍ବରୁ ଶୁଭେଚ୍ଛାର ସୁଅ ଛୁଟିଛି।

ଫାଇଜର ଓ ବାୟୋଏନ୍‌ଟେକ୍‌  ମିଳିତ ଭାବେ ପ୍ରସ୍ତୁତ କରିଥିବା କୋଭିଡ୍ ଟିକାର ପରୀକ୍ଷଣ ଶେଷ ହେବା ପରେ ବ୍ରିଟେନରେ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପାଶ୍ଚାତ୍ୟ ଦେଶ ଭାବେ ଏହି ଅଭିଯାନ ଆରମ୍ଭ କରିଛି ବ୍ରିଟେନ୍ । ସାଧାରଣ ଲୋକଙ୍କୁ କରୋନା ସଂକ୍ରମଣରୁ ମୁକ୍ତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ବର୍ତମାନ ଯାଏଁ ଏହି ମାରାତ୍ମର ଭୂତାଣୁ ଯୋଗୁଁ ସାରା ବିଶ୍ୱରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି ।  ଅନ୍ୟପଟେ ଫାଇଜର ଟିକାର ସଂରକ୍ଷଣ ଓ ପରିବହନ ନେଇ କେତେକ ସମସ୍ୟା ଥିଲେ ମଧ୍ୟ ଏହା ନୂଆ ଆଶା ସଂଚାର କରିଛି ।

 

Comments are closed.