ଭୁବନେଶ୍ୱର: ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ହେଉଛି ଓଡ଼ିଶାର ସାମଗ୍ରିକ ବିକାଶର ମୁଖ୍ୟ ଆଧାର। ଏହି ଲକ୍ଷ୍ୟକୁ ଆଗେଇ ନେବା ପାଇଁ ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ କରି ମହିଳାମାନଙ୍କ ଜୀବନଜୀବିକାରେ ସକାରାତ୍ମକ ପରିବର୍ତ୍ତନ ଆଣୁଛନ୍ତି। ଆଜି ମିସନ ଶକ୍ତି ଭବନ, ଭୁବନେଶ୍ୱର ଠାରେ ‘ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସୁଧ ଫେରସ୍ତ’ କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ‘ମହିଳାଙ୍କୁ ସ୍ୱାବଳମ୍ବୀ କରିବା ପାଇଁ ରାଜ୍ୟ ସରକାର ଜୀବିକାମୂଳକ ଓ ଦୀର୍ଘକାଳୀନ ଆର୍ଥିକ ମଡେଲ୍ ଉପରେ କାମ କରୁଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି।
ବ୍ୟାଙ୍କ ଋଣ ମାଧ୍ୟମରେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ନିଜ ଉଦ୍ୟୋଗକୁ ଆଗେଇ ନେଇପାରୁଛନ୍ତି। ଏହା ସହ ଋଣରେ ସୁଧ ଭାର କମିଥିବାରୁ ସେମାନଙ୍କ ଆୟ ଓ ବ୍ୟବସାୟ ବୃଦ୍ଧି ପାଉଛି। ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣରେ ବାର୍ଷିକ ସୁଧ ହାରକୁ ଶୂନ୍ୟ ପ୍ରତିଶତ କରି ଏହାର ସମ୍ପୂର୍ଣ୍ଣ ସୁଧ ରାଶି ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଭାବେ ଫେରସ୍ତ କରୁଛନ୍ତି।
ଅଧିକ ସୁଧ ଫେରସ୍ତ ରାଶି ପ୍ରଦାନ
ଆଜିର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ୨,୮୦,୫୮୬ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭. ୬୬ କୋଟି ଟଙ୍କାରୁ ଅଧିକ ସୁଧ ଫେରସ୍ତ ରାଶି ପ୍ରଦାନ କରିଥିଲେ। ୨୦୨୫-୨୬ ଆର୍ଥିକ ବର୍ଷ ରେ ବର୍ତ୍ତମାନ ସୁଦ୍ଧା ୫୧୫ କୋଟିରୁ ଉର୍ଦ୍ଧ ଟଙ୍କା ସୁଧ ଫେରସ୍ତ କରାଯାଇଛି। ଏହି ପଦକ୍ଷେପ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗମାନଙ୍କୁ ଆର୍ଥିକ ଭାବେ ଅଧିକ ସଶକ୍ତ କରିବା ସହ ରାଜ୍ୟର ଆର୍ଥିକ ପ୍ରଗତିରେ ମହିଳାମାନଙ୍କ ଅବଦାନକୁ ଆହୁରି ସୁଦୃଢ଼ କରିଛି। କେନ୍ଦ୍ର ସରକାର ବଜେଟରେ ଲକ୍ଷପତି ଦିଦି ଯୋଜନାର ସଂପ୍ରସାରଣ ଓ SHE Mart (Self-help Enterprises) ଉପରେ ଗୁରୁତ୍ଵ ଦେଇ କ୍ଲଷ୍ଟର ଲେବଲରେ ମହିଳା ସଶକ୍ତିକରଣକୁ ଏକ ସୃଦୃଢ ଓ ଶକ୍ତିଶାଳୀ କର୍ମଦକ୍ଷ ଭାବେ ରୂପାନ୍ତରିତ ହେବ ବୋଲି କରିଥିବା ଘୋଷଣାର ସେ ପୁନରାବୃତ୍ତି କରିଛନ୍ତି।
କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ନୂଆ ୟୁନିଫର୍ମ
ଆଜି ଏକ ଐତିହାସିକ ଘୋଷଣା କରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି ୪୬ ହଜାରରୁ ଉର୍ଦ୍ଧ୍ଵ ସିଆରପି ଭଉଣୀମାନଙ୍କୁ ସ୍ମାର୍ଟ ଫୋନ, ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ନୂଆ ୟୁନିଫର୍ମ ଏବଂ ପରିଚୟ ମିଳିବ। ଏହି କାର୍ଯ୍ୟକ୍ରମରେ ମିସନ ଶକ୍ତି ବିଭାଗ, ଓଡ଼ିଶା ଜୀବିକା ମିସନର ବରିଷ୍ଠ ଅଧିକାରୀମାନେ ଓ ବିଭିନ୍ନ ବ୍ୟାଙ୍କର ପ୍ରତିନିଧିମାନେ ଉପସ୍ଥିତ ଥିଲେ।