ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ, ୯।୩: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ୱତ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟାଙ୍କୁ ଭେଟି ସେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି। ଚାରି ବର୍ଷ ପାଇଁ ଦଳ ତାଙ୍କୁ ଏହି ଦାୟିତ୍ୱରେ ରଖିଥିବାରୁ ସେ ଧନ୍ୟବାଦ ଦେଇଛନ୍ତି। ତ୍ରିବେନ୍ଦ୍ର ଗତକାଲି ଦିଲ୍ଲୀଗସ୍ତ କରିଥିଲେ। ଏହି ସମୟରେ ସେ ବିଜେପିର ଶୀର୍ଷ ନେତାଙ୍କୁ ଭେଟିଥିଲେ। ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ଶାସକ ଦଳ ବିଜେପିରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ଯାଉଛି।

ଦଳରେ ତ୍ରିବେନ୍ଦ୍ରଙ୍କ କାର୍ଯ୍ୟକଳାପକୁ ନେଇ କିଛି ବିଧାୟକ ଅସନ୍ତୁଷ୍ଟ ଥିଲେ। ଯଦି ରାଓ୍ୱତ ଏଭଳି କାର୍ଯ୍ୟଧାରା ଜାରି ରଖିବେ ତା’ହେଲେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ପରାଜୟ ବରଣ କରିବ ବୋଲି ଆଶଙ୍କା କରିଥିଲେ ଦଳୀୟ ନେତା। ଆଉ ଅସନ୍ତୁଷ୍ଟ ନେତା ବିଧାୟକ ଦିଲ୍ଲୀରେ ଦଳର ଶୀର୍ଷ ନେତାଙ୍କୁ ଭେଟି ଅବଗତ କରାଇଥିଲେ। ଏବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶିକ୍ଷାମନ୍ତ୍ରୀ ଦୁଷ୍ୟନ୍ତ ଗୌତମ ନହେଲେ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ହୋଇପାରନ୍ତି। ବିଜେପି ନେତାଙ୍କ ମଧ୍ୟରେ ଏହି ଚର୍ଚ୍ଚା ଚାଲିଛି।

Comments are closed.