ପଶ୍ଚିମବଙ୍ଗ ଜଗନ୍ନାଥ ଧାମ କରିପାରିବ ନାହିଁ: ଆଇନମନ୍ତ୍ରୀ

ଭୁବନେଶ୍ବର, ୪/୫: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାର ଉପକୂଳବର୍ତ୍ତୀ ସହର ‘ଦୀଘା’ ଠାରେ ଜଗନ୍ନାଥ ମନ୍ଦିରକୁ ଧାମ କରାଯାଇଥିବା ନେଇ ଦେଖାଦେଇଥିବା ବିବାଦ ବଢ଼ିବାରେ ଲାଗିଛି। ଏହି ମନ୍ଦିରକୁ ପଶ୍ଚିମବଙ୍ଗ ସରକାର ଜଗନ୍ନାଥ ଧାମ ଘୋଷଣା କରିଥିବା ବେଳେ ସନାତନ ଧର୍ମ ଉପରେ ବିଶ୍ବାସ କରୁଥିବା ବ୍ୟକ୍ତି ବିଶେଷ ଓ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଲାଗିଛି। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୁହଁ ଖୋଲିଛନ୍ତି।। ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗ ଜଗନ୍ନାଥ ଧାମ କରିପାରିବ ନାହିଁ। ଏଥି ପାଇଁ ଆମେ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବୁ। ସେଠାରେ ଜଗନ୍ନାଥ ଧାମ କରିବାର କୌଣସି କାରଣ ନାହିଁ। ସେମାନେ ଜଗନ୍ନାଥ ଧାମ ବୋଲି କହିବାର କିଛି ଅଧିକାର ନାହିଁ। ପଶ୍ଚିମବଙ୍ଗ ରାଜନୈତିକ ଦୃଷ୍ଟିକୋଣରୁ କ’ଣ ଘଟୁଛି ତାହା ଭିନ୍ନ କଥା ହୋଇପାରେ। କିନ୍ତୁ ଆମ ସଂସ୍କୃତି, ଆମ ମନ୍ଦିର, ସୁରକ୍ଷା, ବ୍ୟବସ୍ଥା ସୁରକ୍ଷିତ ଅଛି ଓ ରହିବ। ସରକାରଙ୍କର ଯାହା ଦାୟିତ୍ଵ ସେ କଥା ତୁଲାଇବୁ।

ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଛତିଶାନିଯୋଗକୁ ନେଇ ମୁଖ୍ୟ ପ୍ରଶାସକ ବୈଠକ ନେଇ ସାରିଛନ୍ତି। କିଛି କଥାରେ ନିଷ୍ପତ୍ତି ହୋଇଛି। ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଗୋଟିଏ ନିର୍ଯ୍ୟାସରେ ପହଞ୍ଚିବ। ଆଗାମୀ ଦିନରେ ଠାକୁରଙ୍କ ରୀତିନୀତି ହେଉ କି ସେବା ଯୋଗାଇବା ହେଉ କିମ୍ବା ସେବାୟତ ମାନଙ୍କର କୌଣସି ବିଶୃଙ୍ଖଳା ନହେଉ ସେଥିପ୍ରତି ଧ୍ୟାନ ରଖାଯାଉଛି। ବିଶୃଙ୍ଖଳା ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଯେଉଁ ସେବାୟତମାନେ ସେଠାକୁ ଯାଇଥିଲେ ସେମାନଙ୍କୁ ଡାକି ପଚରାଉଚରା କରାଯାଉଛି। ସେବାୟତମାନେ ଅତିଥି ଭାବେ ଯାଇ ପାରିବେ। କିନ୍ତୁ ଅନ୍ୟ କେଉଁଠି ସେବା ପୂଜା କରିବା ଭୁଲ କଥା ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

 

Comments are closed.