ବିନା ଅନୁମତିରେ ହୋଇପାରିବନି ବିଜୟ ଶୋଭାଯାତ୍ରା: ପୁଲିସ ଡିଜି

ଭୁବନେଶ୍ୱର, ୩/୬: ଆସନ୍ତାକାଲି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ ଏହାକୁ ନେଇ ପୁଲିସ ଡିଜି କହିଛନ୍ତି ଯେ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା ଓ ଫଳାଫଳ ଘୋଷଣା ପରେ ବିଜୟ ଶୋଭାଯାତ୍ରା ପାଇଁ ପୁଲିସ ଅନୁମତି ବିନା ହେବ ନାହିଁ। ସେହିପରି ଡିଜି ଅରୁଣ ଷଡ଼ଙ୍ଗୀ କହିଛନ୍ତି ଯେ ଏଥର ମାଓ ଅଞ୍ଚଳରେ ବିନା ହିଂସାରେ ନିର୍ବାଚନ କରାଯାଇପାରିଛି। ପ୍ରତି ଥର ନିର୍ବାଚନ ବେଳେ ଏହି ମାଓ ଅଧ୍ୟୁଷିତ ଅଞ୍ଚଳରେ ଘଟୁଥିବା ହିଂସାକୁ ନଜରରେ ରଖି ଆମେ ଏଥର ସେଠାରେ ସ୍ୱତନ୍ତ୍ର ଯୋଜନା କରିଥିଲୁ। ଏହି ମାଓ ଅଧ୍ୟୁଷିତ ଅଞ୍ଚଳରେ ନିର୍ବାଚନ ତାରିଖ ଘୋଷଣା ୪ ମାସ ପୂର୍ବରୁ ଆମେ ସେଠାରେ ଅପରେସନ ଆରମ୍ଭ କରିଥିଲୁ।

ଏହା ଫଳରେ କିଛି ମାଓବାଦୀଙ୍କୁ ଗିରଫ କରିଥିଲୁ କିଛି ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଏହା ଦ୍ଵାରା ସେଠାରେ ମାଓବାଦୀଙ୍କୁ ଆଉ ନିର୍ବାଚନରେ ବାଧା ସୃଷ୍ଟି କରିବା ପାଇଁ କୌଣସି ସୁଯୋଗ ହିଁ ମିଳି ନ ଥିଲା। ଆମର ସ୍ୱତନ୍ତ୍ର ନିର୍ବାଚନ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ରାଜ୍ୟ ପୁଲିସ ଗୁଇନ୍ଦା ଠାରୁ ଖବର ନେଇ ମାଓବାଦୀଙ୍କ ପ୍ରତିଟି ଗତିବିଧି ଯୋଜନା ଉପରେ ନଜର ରଖିଥିଲେ। ଏମିତିକି ନିର୍ବାଚନ ବେଳେ ମଧ୍ୟ ପ୍ରତି ବୁଥ ଉପରେ ରାଜ୍ୟ ପୁଲିସର ଗୁଇନ୍ଦା ନଜର ରଖୁଥିଲା। ଯେଉଁ ସବୁ ଜାଗାରେ କିଛି ହିଂସାକାଣ୍ଡ ଘଟିଛି ସେଗୁଡିକ ଉପରେ ପୁଲିସ କୁଇକ୍ ଆକ୍ସନ ନେଇଛି ଓ ତଦନ୍ତ ଜାରି ରହିଛି। ପୁରା ନିର୍ବାଚନ ସୁରୁଖୁରରେ ପରିଚାଳନା ପାଇଁ ଓଡ଼ିଶା ପୁଲିସ ଏଥର ଆପ୍ରାଣ ଉଦ୍ୟମ କରିଛି।

Comments are closed.