କାଳିଆ ଯୋଜନାରେ ଚାଷୀଙ୍କୁ ୭୪୨.୫୮କୋଟି ଟଙ୍କାର ରବି ଫସଲ ସହାୟତା ରାଶି ପ୍ରଦାନ କଲେ ରାଜ୍ୟ ସରକାର

0

ଭୁବନେଶ୍ବର, ୧୧।୯: ନୂଆଁଖାଇ ଅବସରରେ ରାଜ୍ୟ ସରକାର କାଳିଆ ଯୋଜନା ଅନ୍ତର୍ଭୁକ୍ତ ୩୭ ଲକ୍ଷ ୧୨ହଜାର ୯୧୪ଜଣ ହିତାଧିକାରୀଙ୍କୁ ୭୪୨.୫୮କୋଟି ଟଙ୍କାର ରବି ଫସଲ ସହାୟତା ରାଶି ପ୍ରଦାନ କରିଛନ୍ତି। ସମସ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି ରାଜ୍ୟ ସରକାର।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ପ୍ରଦାନ କରି କହିଛନ୍ତି,, କାଳିଆ ଯୋଜନା ହେଉଛି ଚାଷୀ କଲ୍ୟାଣ ପାଇଁ ସମଗ୍ର ଦେଶରେ ସବୁଠୁ ଭଲ ଯୋଜନା। ଭୂମିହୀନ ଚାଷୀଙ୍କୁ ସହାୟତା ଦେବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ। ଲକ୍ଷଲକ୍ଷ ଛୋଟ ଚାଷୀ କାଳିଆ ଯୋଜନାରେ ସବୁଠୁ ଅଧିକ ଉପକାର ପାଉଛନ୍ତି। କରୋନା ମହାମାରୀ ଆରମ୍ଭ ହେବା ପରଠୁ ରାଜ୍ୟ ସରକାର ଏହି ଯୋଜନାରେ ଚାଷୀମାନଙ୍କୁ ୩୨୦୦ କୋଟିରୁ ଅଧିକ ଟଙ୍କା ସହାୟତା ପ୍ରଦାନ କରିସାରିଲେଣି । ଚାଷୀଙ୍କ ସମସ୍ୟାକୁ କେବେ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏମ୍ଏସ୍ପି ଓ ଫସଲ ବୀମା ପ୍ରସଙ୍ଗରେ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି କହିଛନ୍ତି । ସାର ଅଭାବକୁ ନେଇ ଦେଖା ଦେଇଥିବା ଅସୁବିଧାର ସମାଧାନ ପାଇଁ ମଧ୍ୟ ସେ ନିଜେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଥିବା କହିଛନ୍ତି। ମରୁଡ଼ି ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏବେ ଭଲ ବର୍ଷା ହେଉଥିବାରୁ ଆଗକୁ ସ୍ଥିତିରେ ଉନ୍ନତି ଆସିବ ବୋଲି ଆଶାବ୍ୟକ୍ତ କରିଛନ୍ତି । କୃଷି ବିଭାଗର ପରାମର୍ଶ ଅନୁସାରେ ଚାଷୀମାନେ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ନୂଆଁଖାଇ ହେଉଛି ମାଟି ମା’ର ପର୍ବ । ଆଉ ଚାଷୀମାନେ ହେଉଛନ୍ତି ମାଟି ମା’ର ସବୁଠୁ ବଡ଼ ପୂଜାରୀ। ତେଣୁ ଏହି ପବିତ୍ର ଦିନରେ ସହାୟତା ଦିଆଯାଉଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟ ସରକାର ପ୍ରତିବର୍ଷ ଦୁଇଟି କିସ୍ତିରେ କାଳିଆ ଯୋଜନାରେ ୪ ହଜାର ଟଙ୍କା ସହାୟତା ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କୁ ଦେଉଛନ୍ତି ।

Leave A Reply

Your email address will not be published.