ଓଡ଼ିଶାରେ ୪ ପର୍ଯ୍ୟାୟରେ ନିର୍ବାଚନ: ୬୦ ପ୍ରତିଶତ ବୁଥ୍‌‌ରେ ହେବ ୱେବ୍‌କାଷ୍ଟିଂ

ମେ’ ୧୩, ୨୦, ୨୫ ଓ ଜୁନ୍‌ ୧ରେ ମତଦାନ, ଲାଗୁ ହେଲା ଆଦର୍ଶ ଆଚରଣ ବିଧି

0

ଭୁବନେଶ୍ବର, ୧୭/୩: ଭାରତର ନିର୍ବା‌ଚନ ଆୟୋଗ ଆଜି ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହିତ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏହାପରେ ଓଡ଼ିଶାରେ ସାଧାରଣ ନିର୍ବାଚନ‌କୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସର୍ବଦଳୀୟ ବୈଠକ ଡାକି ବିଭିନ୍ନ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି।

ଆଜି ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଧଳ କହିଛନ୍ତି ଯେ ସାରାଦେଶରେ ମୋଟ୍ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଓଡ଼ିଶାରେ ଶେଷ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ମେ’ ୧୩, ମେ’ ୨୦, ମେ’ ୨୫ ଓ ଜୁନ୍‌ ୧ରେ ଓଡ଼ିଶାରେ ୨୧ଟି ‌ଲୋକସଭା ଆସନ ଏବଂ ୧୪୭ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ମେ’ ୧୩ରେ ୪ଟି ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୨୮ଟି ବିଧାନସଭା ଆସନ, ମେ’ ୨୦ରେ ୫ଟି ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୩୫ଟି ବିଧାନସଭା ଆସନ, ମେ’ ୨୫ରେ ୬ଟି ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୪୨ଟି ବିଧାନସଭା ଆସନ,
ଜୁନ୍ ୧ରେ ୬ଟି ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଜୁନ୍ ୪ ତାରିଖରେ ମତଗଣନା ସହିତ ଫଳାଫଳ ଘୋଷଣା କରାଯିବ। ରାଜ୍ୟରେ ଏଥର ୩,୩୪,୭୩,୫୬୧ଜଣ ମତଦାତା ଥିବାବେଳେ ଏଥିପାଇଁ ୩୦,୬୫୩ଟି ମତଦାନ ସ୍ଥାନରେ ୩୭,୮୦୯ଟି ପୋଲିଂ ବୁଥ୍ ରହିବ। ସହରାଞ୍ଚଳ‌ରେ ୪୩୮୦ଟି ଏବଂ ଗ୍ରାମାଞ୍ଚଳରେ ୩୩,୪୨୯ଟି କେନ୍ଦ୍ର ରହିଛି। ୧୫୦୦ରୁ ଅଧିକ ଭୋଟର ଥିବା ସ୍ଥାନରେ ସହାୟକ ମତଦାନ କେନ୍ଦ୍ର ସ୍ଥାପନ ହେବ। ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। କିଛି ସ୍ଥାନରେ ମତଦାନ ସମୟ କମାଇବାକୁ ଜିଲ୍ଲାପାଳମାନେ ସୁପାରିସ କରିଥିବା ବେଳେ ଏହାକୁ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଛି। ଏହା ଅନୁମୋଦନ ହେବା ପରେ ନିଷ୍ପତ୍ତି ନିଆଯିବ।

 ଏଥର ନିର୍ବାଚନକୁ ସ୍ବଚ୍ଛ, ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୨୦୧୯ରେ ୧୦%ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯାଇଥିବା ବେଳେ ଚଳିତବର୍ଷ ୬୦% ବୁଥ୍‌ରେ (୨୨୬୮୫ଟି) ୱେବ୍‌କାଷ୍ଟିଂ କରାଯିବ। ଯାହା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲାପାଳ ଏସ୍‌ପିଙ୍କ ସିଧା ନଜର ରହିବ। ଏହାଦ୍ବାରା ମତଦାନ କେନ୍ଦ୍ରରେ ନିରପେକ୍ଷ ମତଦାନ ହୋଇପାରିବ। ସେହିପରି ଯଦି ପ୍ରିଜାଇଡିଂ ଅଫିସର କି ଅନ୍ୟ କୌଣସି ଅଧିକାରୀ ପକ୍ଷପାତିତା କରନ୍ତି, ତେବେ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଚାକିରିରୁ ବହିଷ୍କାର କରାଯିବ। ଚଳିତ ନିର୍ବାଚନରେ ନୂଆ ଏମ୍‌-୩ ଇଭିଏମ୍‌ ମେସିନ୍ ବ୍ୟବହାର କରାଯିବ। ଏବେ ବିଧାନସଭା ଅନୁଯାୟୀ ଇଭିଏମ୍‌ ବଣ୍ଟାଯିବ। ପ୍ରାର୍ଥୀ ଚୂଡ଼ାନ୍ତ ହେବା ପରେ ଇଭିଏମ୍‌ କମିସନିଂ କରାଯିବ।

ରାଜ୍ୟରେ ୧୦୦ବର୍ଷରୁ ଊର୍ଦ୍ଧ୍ବ ପ୍ରାୟ ୯ହଜାର ମତଦାତା ଥିବାବେ‌ଳେ ସେମାନଙ୍କୁ ମିଶାଇ ୮୫ବର୍ଷରୁ ଊର୍ଦ୍ଧ୍ବ ମୋଟ୍ ୩ଲକ୍ଷ ୨ହଜାର ୨୭୩ଜଣ ମତଦାତା ଅଛନ୍ତି। ଏହି ମତଦାତା, ୪୦%ରୁ ଅଧିକ ଭିନ୍ନକ୍ଷମ ଥିବା ବ୍ୟକ୍ତି, କୋଭିଡ-୧୯ ସନ୍ଦିଗ୍ଧ ବା ସଂକ୍ରମିତମାନେ ଘରେ ବସି ଡାକ ବାଲାଟ୍ ମାଧ୍ୟମରେ ଭୋଟ୍ ଦେଇପାରିବେ। ଏହାସହ ଓଡ଼ିଶାରେ ପ୍ରଥମ ଥର ସାଧାରଣ ନିର୍ବାଚନରେ ନିର୍ବାଚନ ଦାୟିତ୍ବରେ ନିୟୋଜିତ ଅଧିକାରୀ, ଜରୁରୀକାଳୀନ ସେବାରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ମଧ୍ୟ ସେମାନେ ଡ୍ୟୁଟି କରୁଥିବା ସ୍ଥାନରେ ରିଟର୍ଣ୍ଣିଂ ଅଫିସରମାନଙ୍କ ଦ୍ବାରା ସ୍ଥାପିତ ସୁବିଧା କେନ୍ଦ୍ରରେ ଡାକ ବାଲାଟ୍ ମାଧ୍ୟମରେ ଭୋଟ୍ ଦେଇପାରିବେ।

ସେହିପରି ନିର୍ବାଚନ ପ୍ରଚାର‌ରେ ଯଦି କୌଣସି ପ୍ରାର୍ଥୀ ଅଧିକ ଅର୍ଥ ଖର୍ଚ୍ଚ କରୁଥିବା ପ୍ରମାଣିତ ହୁଏ ତେବେ ତାଙ୍କ ପ୍ରାର୍ଥିତ୍ବକୁ ଅବୈଧ ଘୋଷଣା କରାଯିବ। ସାଂସଦ ପ୍ରାର୍ଥୀ ୯୫ଲକ୍ଷ, ବିଧାୟକ ପ୍ରାର୍ଥୀ ୪୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। କୌଣସି ସ୍ଥାନରେ ଅର୍ଥ ନେଣଦେଣ, ମତଦାତାଙ୍କୁ ପ୍ରଲୋଭିତ ବା ନିର୍ବାଚନ ସମ୍ପର୍କିତ କୌଣସି ଅଭିଯୋଗ ସମ୍ପର୍କରେ ସି-ଭିଜିଲ୍ ଆପ୍‌ରେ ଫଟୋ ଓ ଭିଡିଓ ମାଧ୍ୟମରେ ଅଭିଯୋଗ କଲେ ୧୦୦ମିନିଟରେ ପୁଲିସ ପହଞ୍ଚିବ। କୌଣସି ସରକାରୀ ଅଧିକାରୀ କି ଠିକା ପାରା ୱାର୍କର୍ସ, ଯେଉଁମାନେ ସରକାରୀ ଖଜଣାରୁ (ଅଙ୍ଗନବାଡି କର୍ମୀ, କେନ୍ଦ୍ରୀୟ ରିଜର୍ଭ ପୁଲିସ, ଏମ୍‌ବିକେ) ବେତନ ପାଉଛନ୍ତି ସେମାନେ ସଂପୂର୍ଣ୍ଣ ନିରପେକ୍ଷତା ବଜାୟ ରଖିବେ। କୌଣସି ରାଜନୈତିକ ଦଳ କି ପ୍ରାର୍ଥୀଙ୍କ ପାଇଁ କୌଣସି କାର୍ଯ୍ୟ କରିପାରିବେନି। ଯଦି କେହି ପକ୍ଷପାତିତା କରୁଥିବା ନଜରକୁ ଆସେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁ ମତଦାନ କେନ୍ଦ୍ରରେ ଆବଶ୍ୟକ ପିଇବା ପାଣି, ରାମ୍ପ, ଛାମୁଡ଼ିଆ ବ୍ୟବସ୍ଥା ହେବ। ମେ’ ମାସରେ ବାତ୍ୟା ଏବଂ କାଳବୈଶାଖୀ ବର୍ଷା ପବନକୁ ନଜରରେ ରଖି ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ଧଳ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏନ୍‌.ତିରୁମାଲା ନାଏକ, ମିହିର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.