ରାଜ୍ୟର ୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ୍ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର, ୯।୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭ଟି ଜିଲ୍ଲାରେ ୭ଟି ତରଳ ମେଡିକାଲ ଅମ୍ଳଜାନ ପ୍ଲାଣ୍ଟ ଓ ୭ଟି ପିଏସ୍‌ଏ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିଛନ୍ତି। ଏହାସହିତ ବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡ, ରକ୍ତ ବର୍ଗୀକରଣ ୟୁନିଟ, କଟକରେ ଫୁସଫୁସ ରୋଗର ଚିକିତ୍ସା ପାଇଁ ଏକ ଉତ୍କର୍ଷ କେନ୍ଦ୍ର ଓ ନବରଙ୍ଗପୁରରେ ଏକ ଆର୍‌ଟିପିସିଆର୍‌ ଟେଷ୍ଟ ଲାବୋରେଟୋରିର ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହି ସମସ୍ତ ଭିତ୍ତିଭୂମି ପାଇଁ ୨୯ କୋଟି ୪୧ ଲକ୍ଷ ଟଙ୍କା ବିନିଯୋଗ କରାଯାଇଥିବା ସୂଚନା ମିଳିଛି।

ଏହି ଶିଳାନ୍ୟାସ ଉତ୍ସବ‌ରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନାର ଦ୍ବିତୀୟ ଲହରିରେ ମେଡିକାଲ ଅମ୍ଳଜାନର ଆବଶ୍ୟକତା ବହୁତ ବଢିଯାଇଥିଲା। ଏହି ସମୟରେ ଓଡ଼ିଶାରେ ଅମ୍ଳଜାନ ଯୋଗାଣ ନେଇ କୌଣସି ସମସ୍ୟା ହୋଇନାହିଁ। ନିଜର ଆବଶ୍ୟକତାକୁ ପୂରଣ କରିବା ସହ ଓଡ଼ିଶା ୧୭ଟି ରାଜ୍ୟକୁ ଅମ୍ଳଜାନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛି। ଓଡ଼ିଶା ପାଇଁ ଏହା ନିଶ୍ଚିତ ଭାବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଆତ୍ମସନ୍ତୋଷର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଅମ୍ଳଜାନର ଉତ୍ପାଦନଠାରୁ ଆରମ୍ଭ କରି ରୋଗୀକୁ ସେବା ଯୋଗାଇ ଦେବା ପର୍ଯ୍ୟନ୍ତ ବ୍ୟବସ୍ଥା ଏକ ଜଟିଳ ପ୍ରକ୍ରିୟା। ଏଥିରେ ବହୁତ ଯନ୍ତ୍ରପାତି, ଯାନବାହାନ, ନିରନ୍ତର ତଦାରଖ ଓ ଅନ୍ୟାନ୍ୟ ବ୍ୟବସ୍ଥାର ଆବଶ୍ୟକତା ଜରୁରୀ। ଓଡ଼ିଶାକୁ ଆମେ ଦେଶର ବିଭିନ୍ନ ସ୍ଥାନରୁ ଏପରିକି ଚୀନ୍‌ରୁ ମଧ୍ୟ ଅମ୍ଳଜାନ ସିଲିଣ୍ଡର ଆଣି ଆମର ବ୍ୟବସ୍ଥାକୁ ସୁଦୃଢ କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କରୋନା ଭୂତାଣୁ ସଂକ୍ରମଣର ଅନିଶ୍ଚିତ ଗତି ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ, ବର୍ତ୍ତମାନଠାରୁ ହିଁ ଆମକୁ ପ୍ରସ୍ତୁତ ରହିବାକୁ ହେବ। ଏଥିପାଇଁ ଆମର ସ୍ବାସ୍ଥ୍ୟ ଭିତ୍ତିଭୂମି, ସ୍ବାସ୍ଥ୍ୟ କର୍ମଚାରୀ ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ବ ଦେଇ କାମ କରାଯାଉଛି। ଆଜିର ନୂଆ ବ୍ୟବସ୍ଥାଗୁଡ଼ିକ ଲୋକଙ୍କୁ ଖୁବଶୀଘ୍ର ସେବା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ଏହିସବୁ ଭିତ୍ତିଭୂମି ପାଇଁ କର୍ପୋରେଟ କ୍ଷେତ୍ରର ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

 

Leave A Reply

Your email address will not be published.