୬ ଲକ୍ଷ ପରିବାର ପାଇଛନ୍ତି କରୋନା ସହାୟତା

0

ଭୁବନେଶ୍ବର, ୧୩।୭: କରୋନା ସମୟରେ ଜୀବନଜୀବିକା ପ୍ରଭାବିତ ହେଇଥିବାରୁ ଗରିବ ରାସନ କାର୍ଡଧାରୀଙ୍କୁ ଓଡ଼ିଶା ସରକାର ଦୁଇଟି ପର୍ଯ୍ୟାୟରେ ହଜାରେ ଟଙ୍କା ଲେଖାଏଁ ସହାୟତା ଦେଇଥିଲେ। ଏହି ସହାୟତାକୁ ରାସନ କାର୍ଡଧାରୀମାନେ ନିଜର ମାସିକ ରାସନ୍ ସାମଗ୍ରୀ ସହ ନଗଦ ଆକାରରେ ନିଜ ଅଂଚଳର କଂଟ୍ରୋଲ ଡିଲର ମାଧ୍ୟମରେ ପାଇଥିଲେ। କିନ୍ତୁ ପ୍ରଥମ ପର୍ଯ୍ୟାୟରେ ୨.୦୯ଲକ୍ଷ ପରିବାର ଓ ଦ୍ୱିତୀୟ ପର୍ଯ୍ୟାୟରେ ୩.୬୪ଲକ୍ଷ ପରିବାର ଏହି ସହାୟତା ପାଇବାରୁ ବଂଚିତ ଅଛନ୍ତି। କେଉଁ ପରିସ୍ଥିତିରେ ସମ୍ପୃକ୍ତ ପରିବାରଗୁଡ଼ିକୁ କୋଭିଡ୍ ସହାୟତା ଦିଆଗଲାନି ତାହା ଏବେବି ଅସ୍ପଷ୍ଟ ।

ଆଜି ବିଧାନସଭାରେ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ରାଜ୍ୟରେ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ରାସନ କାର୍ଡଧାରୀ ପରିବାର ୯୫ଲକ୍ଷ ୫୧ହଜାର ୬୯୪ ଥିଲା । ଏବେ ତାହା ୯୫ଲକ୍ଷ ୮୫ହଜାର ୭୬୬ ଅଛି । ଏହି ରାସନକାର୍ଡଧାରୀ ପରିବାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୩ଲକ୍ଷ ୪୨ହଜାର ୪୪ଟି ପରିବାର ଓ ଦ୍ୱିତୀୟ ପର୍ଯ୍ୟାୟରେ ୯୨ଲକ୍ଷ ୨୧ହଜାର ୨୭୧ଟି ପରିବାରକୁ କୋଭିଡ୍ ସହାୟତା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୨ଲକ୍ଷ ୯ହଜାର ୬୫୦ଟି ପରିବାର ଓ ଦ୍ୱିତୀୟ ପର୍ଯ୍ୟାୟରେ ୩ଲକ୍ଷ ୬୪ହଜାର ୪୯୫ଟି ପରିବାର ନିଜର ମାସିକ ଆବଂଟିତ ଖାଦ୍ୟଶସ୍ୟ ଉଠାଇନାହାନ୍ତି । କିମ୍ବା ଏହି ସହାୟତା ନେଇନାହାନ୍ତି । ଗଞ୍ଜାମରେ ସର୍ବାଧିକ ପ୍ରଥମ ପର୍ଯ୍ୟାୟରେ ୩୨୩୦୪ଟି ପରିବାର ଓ ଦ୍ୱିତୀୟ ପର୍ଯ୍ୟାୟରେ ୨.୦୭ ଲକ୍ଷ ପରିବାର, ନୟାଗଡ଼ରେ ୭୪,୧୫୮ଟି ପରିବାର, ଖୋର୍ଦ୍ଧାରେ ୧୭୪୪୯ଟି ପରିବାର ଓ ପୁରୀରେ ୯୯୮୧ଟି ପରିବାର ସେମାନଙ୍କର ଖାଦ୍ୟଶସ୍ୟ ସହ ସହାୟତା ରାଶି ନେଇ ନଥିବା ଜଣାପଡ଼ିଛି ।

ଏତେ ସଂଖ୍ୟକ ପରିବାର ନିଜର ମାସିକ ରାସନ ସାମଗ୍ରୀ ଓ ସରକାରଙ୍କ କୋଭିଡ୍ ସହାୟତା ନେଇନଥିଲେ ମଧ୍ୟ କେଉଁ କାରଣରୁ ସେମାନେ ଏଥିରୁ ବଂଚିତ ହୋଇଛନ୍ତି ସେ ନେଇ ସରକାରୀସ୍ତରରେ ଖୋଳତାଡ଼ କିମ୍ବା ସେମାନଙ୍କ ପାଖରେ ଏହି ସହାୟତା ପହଂଚାଇବା ଦିଗରେ ସରକାର ଆନ୍ତରିକତା ଦେଖାଇନଥିବା ସ୍ପଷ୍ଟ ହୋଇଛି । ନଚେତ୍ ଏତେ ସଂଖ୍ୟକ ପରିବାର କୋଭିଡ୍ ସହାୟତାରୁ ବଂଚିତ ହୋଇନଥାନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ।

 

Leave A Reply

Your email address will not be published.